ଜୁଲାଇରେ ପ୍ରକାଶ ପାଇବ ସିବିଏସ୍‌ଇ ଦଶମ ପରୀକ୍ଷା ଫଳ, ୨୦ରୁ ଉପଲବ୍ଧ ହେବ ପୋର୍ଟାଲ

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦଶମ ବୋର୍ଡ ପରୀକ୍ଷା ଫଳ ଜୁନ ୨୦ରେ ପ୍ରକାଶିତ ହେବ ନାହିଁ । ପରିବର୍ତ୍ତିତ ସିଡ୍ୟୁଲ ଅନୁସାରେ ପରୀକ୍ଷା ଫଳ ଜୁଲାଇ ପ୍ରଥମ ସପ୍ତାହରେ ପ୍ରକାଶ କରାଯିବ । ମଙ୍ଗଳବାର ସିବିଏସଇ ଏ ନେଇ ନୋଟିସ୍‌ ଜାରି କରିଥିବା ବେଳେ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ମାର୍କ ସବମିଟ୍‌ ଅନ୍ତିମ ତିଥି ସମ୍ପ୍ରସାରଣ କରିଛନ୍ତି । ସିବିଏସଇଙ୍କ ନୂଆ ସିଡ୍ୟୁଲ ଅନୁସାରେ ମେ ୨୦ ତାରିଖରୁ ପୋର୍ଟାଲ ଉପଲବ୍ଧ ହେବ । ମାର୍କ ସବମିଟ୍‌ ଲାଗି ଶେଷ ତାରିଖ ୩୦ ଜୁନ ୨୦୨୧ନିର୍ଦ୍ଧାରିତ ହୋଇଛି ।

ପୂର୍ବରୁ ଜୁନ୍‌ ତୃତୀୟ ସପ୍ତାହରେ ଦଶମ ଫଳ ପ୍ରକାଶ ପାଇବ ବୋଲି ସିବିଏସ୍‌ଇ ପରୀକ୍ଷା ନିୟନ୍ତ୍ରକ ଡ. ସାନମ୍‌ ଭରଦ୍ୱାଜ କହିଥିଲେ । ମାତ୍ର ଏବେ ସିବିଏସଇ ଦଶମ ମାର୍କ ଅପଲୋଡ୍‌ ଓ ଅନ୍ୟାନ୍ୟ ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି । ଦଶମ ମାର୍କ ଟାବୁଲେସନ ପ୍ରକ୍ରିୟା ଜୁନ୍‌ ୩୦ ତାରିଖ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ସିବିଏସ୍‌ଇ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଫଳରେ ମାର୍କିଂ ପ୍ରକ୍ରିୟା ବିଳମ୍ବ ହେବା ସହିତ ପିଲାଙ୍କ ଫଳ ମଧ୍ୟ ବିଳମ୍ବରେ ପ୍ରକାଶ ପାଇବ । ଜୁଲାଇରେ ଫଳ ପ୍ରକାଶ ପାଇବାରେ ବୋଲି ଆଶା କରାଯାଉଛି ।

ସୂଚନାଯୋଗ୍ୟ, କରୋନା ଯୋଗୁ ସିବିଏସ୍‌ଇ ବୋର୍ଡର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ବାତିଲ୍‌ କରାଯାଇଥିବା ବେଳେ ବିକଳ୍ପ ପଦ୍ଧତ୍ତିରେ ମୂଲ୍ୟାୟନ କରିବା ନେଇ ବୋର୍ଡ ବିଜ୍ଞପ୍ତି ଜାରି କରିଥିଲା । ଚଳିତ ମାସ ଶେଷ ସୁଦ୍ଧା ଛାତ୍ରଛାତ୍ରୀଙ୍କ ମାର୍କିଂ ପ୍ରକ୍ରିୟା ସ୍କୁଲସ୍ତରରେ ସାରିବା ପାଇଁ ବୋର୍ଡ ପୂର୍ବରୁ ନିର୍ଦ୍ଦେଶନାମା ଜାରି କରିଥିଲା । ମାତ୍ର ଦେଶରେ ବର୍ତ୍ତମାନ କରୋନାର ଉତ୍କଟ ସ୍ଥିତିରେ ଶିକ୍ଷାକମାନଙ୍କ ସୁରକ୍ଷା ଲାଗି ବୋର୍ଡ ତାରିଖରେ ପରିବର୍ତ୍ତନ କରିଥିବା ଦର୍ଶାଇଛି । ଜୁନ୍‌ ଶେଷ ସୁଦ୍ଧା ମାର୍କ ଦାଖଲ ଲାଗି ବୋର୍ଡ ସିବିଏସଇ ଅନୁବନ୍ଧିତ ସ୍କୁଲଗୁଡ଼ିକୁ ନିର୍ଦ୍ଦେଶ ଦେଇଛି । ସେହିପରି ଅନ୍ୟାନ୍ୟ ପ୍ରକ୍ରିୟା ପାଇଁ ତାରିଖ ନିଷ୍ପତ୍ତି ରେଜଲ୍ଟ କମିଟି ଗ୍ରହଣ କରିବ ବୋଲି ବୋର୍ଡ ବିଜ୍ଞପ୍ତିରେ ଉଲ୍ଲେଖ କରିଛି ।