ଭୁବନେଶ୍ୱର, ୧୩/୦୫ : ଚଳିତ ମାସ ୫ ତାରିଖରୁ ରାଜ୍ୟବ୍ୟାପୀ ଲକଡାଉନ୍ ଲାଗୁ କରିଛନ୍ତି ରାଜ୍ୟ ସରକାର । ଏହି ସମୟରେ ଜରୁରୀକାଳୀନ କାର୍ଯ୍ୟକୁ ଅନୁମତି ଦିଅଯାଇଥିବା ବେଳେ ଅନ୍ୟସବୁ କାର୍ଯ୍ୟକୁ ବନ୍ଦ ରଖାଯାଇଥିଲା । ଅନ୍ୟ ପକ୍ଷରେ ଲୋକମାନଙ୍କ ସକାଳ ସମୟରେ ୧ ଘଣ୍ଟା ପାଇଁ ମଣ୍ଣିଂ ୱାକ୍ ଏବଂ ସାଇକ୍ଲିଂ କରିବା ପାଇଁ ଅନୁମତି ଦିଆଯାଇଥିଲା । ହେଲେ ଆଜି ତାହା ଉପରେ ରୋକ୍ ଲଗାଇଛନ୍ତି ପୋଲିସ୍ କମିଶନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ । ଏନେଇ ସେ ପ୍ରେସମିଟ୍ ମାଧ୍ୟମରେ ସୁଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସକାଳ ସମୟରେ ୱାକିଂ, ସାଇକ୍ଲିଂ କରିପାରିବେ ନାହିଁ । କିଛି ଲୋକଙ୍କୁ ମଣ୍ଣିଂ ୱାକ୍ ନାମରେ କରୋନା ଗାଇଡଲାଇନ୍ ଭାଙ୍ଗୁଥିବା ଦେଖିବାକୁ ମିଳିଛି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ସମୟର ଫାଇଦା ଉଠାଇ କିଛି ଲୋକ ବାହାରେ ବୁଲୁଛନ୍ତି । ଆଉ କରୋନା ନିୟମକୁ ଉଲଂଘନ କରୁଛନ୍ତି । ତେଣୁ ସେ ଲୋକ ମାନଙ୍କୁ ଅପିଲ୍ କରିଛନ୍ତି ଯେ, କରୋନା ନିୟମକୁ ମାନନ୍ତୁ । ସଂକ୍ରମଣ ବଢ଼ୁଥିବା ବେଳେ ଅଯଥା ଆସି ବାହାରେ ବୁଲନ୍ତୁ ନାହିଁ । ଲକଡାଉନ୍ ର ଉଦ୍ଦେଶ୍ୟ ରାସ୍ତା ଉପରେ ଆସି ଗହଳୀ କରିବା ନୁହେଁ । ଅନ୍ୟପଟେ କଳାବଜାରୀ, ଅସାଧୁ ବ୍ୟବସାୟୀଙ୍କ ଠାରୁ ସଚେତନ ରହିବାକୁ ଚେତାବନୀ ଦେଇଛନ୍ତି ଆଇନଶୃଙ୍ଖଳା ଏଡିଜି ଯଶୋବନ୍ତ ଜେଠୱା ।
ବରିଷ୍ଠ ପୋଲିସ ଅଧିକାରୀଙ୍କ ଅନୁଯାୟୀ, ବରିଷ୍ଠ ନାଗରିକଙ୍କ ସୁବିଧା ପାଇଁ ହେଲ୍ଲାଇନ୍ ନମ୍ବର ଜାରି କରାଯାଇଛି। ହେଲ୍ଲାଇନ୍ ନମ୍ବର ୮୦୯୩୦୨୮୧୦୦ରେ କଲ୍ କରି ସହାୟତା ଲୋଡି ପାରିବେ। ଏହାବାଦ୍ ମହାମାରୀ ସମୟରେ କଳାବଜାରୀ କରୁଥିବା ଅସାଧୁ ବ୍ୟବସାୟୀଙ୍କୁ ଏଡିଜି ଯଶୋବନ୍ତ ଜେଠଓ୍ଵା ଚେତାବନୀ ଦେଇଛନ୍ତି। କରୋନା ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏପରିକି କୌଣସି ହସ୍ପିଟାଲ ଅଧିକ ଅର୍ଥ ନେଉଥିଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ। ଏହାକୁ ଦୃଷ୍ଟିରେ ରଖି ୨୨ଟି ଫ୍ଲାଇଂ ସ୍କ୍ଵାଡ ଗଠନ କରାଯାଇଛି।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଭୁବନେଶ୍ଵରରେ ଲାଗୁ ହୋଇଥିବା ସଟ୍ଡାଉନ୍ ସମୟରେ ରାଜଧାନୀବାସୀଙ୍କୁ ମର୍ଣ୍ଣିଂ ଓ୍ଵାକ୍ ଓ ସାଇକ୍ଲିଂ ପାଇଁ ସକାଳେ ଏକ ଘଣ୍ଟା କୋହଳ ଦିଆଯାଇଥିଲା। ତେବେ ଲୋକେ ଲକ୍ଡାଉନ୍ରେ ମଧ୍ୟ ଏହାକୁ ଜାରି ରଖିଥିଲେ।