ପୁରୀ: ପୁରୀ ଜିଲ୍ଲାରେରେ ଆରମ୍ଭ ହେବ ଅକ୍ସିଜେନ୍ ପ୍ଲାଣ୍ଟ। ପୁରୀରେ କୋଭିଡ୍ ସ୍ଥିତିକୁ ସମୀକ୍ଷା କରି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପୁରୀରେ ଅକ୍ସିଜେନ୍ ପ୍ଲାଣ୍ଟ ନିର୍ମାଣ ହେବାକୁ ଯାଉଛି। ପବ୍ଲିକ୍ ସେକ୍ଟର ଅଣ୍ଡରଟେକିଂ ବ୍ୟବସ୍ଥାରେ ଏହି ପ୍ଲାଣ୍ଟ କାର୍ଯ୍ୟ ମେ’ ୧୫ ସୁଦ୍ଧା ଆରମ୍ଭ ହେବ।
ସମୀକ୍ଷାରେ ମନ୍ତ୍ରୀ ଆହୁରି କହିଛନ୍ତି, କୋଭିଡ୍ର ଦ୍ବିତୀୟ ଷ୍ଟ୍ରେନ୍ ପ୍ରାଣଘାତକ ହୋଇଛି। ଅଦ୍ୟାବଧି ୩୩ ହଜାର ୩ଶହ ୭୨ ନମୂନା ସଂଗ୍ରହ ହୋଇଛି। ଏଥିରୁ ୨ହଜାର ୫୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ଟିଭ୍ ୧ହଜାର ୮ଶହ ୮୪ ଜଣ ରହିଥିବା ବେଳେ ଗୃହ ସଙ୍ଗରୋଧରେ ୧୩ ହଜାର ୮୩୯ ଜଣ ରହିଛନ୍ତି।
ସେହିଭଳି ୯୭ ପ୍ରତିଶତ ସ୍ବାସ୍ଥ୍ୟ କର୍ମୀଙ୍କୁ ଟୀକା ଦିଆଯାଇଛି। ମୋଟ ୧ଲକ୍ଷ ୯୨ ହଜାର ୪୮ ଜଣଙ୍କୁ ପ୍ରଥମ ଡୋଜ୍ ଦିଆଯାଇଥିବା ବେଳେ ୭ହଜାର ୫୧୨ ଜଣଙ୍କୁ ଦ୍ବିତୀୟ ଡୋଜ୍ ଦିଆଯାଇଛି। ୧୧ବ୍ଲକ ଓ ୩ ଏନ୍ଏସିରେ ୧ହଜାର ୨ଶହ ବେଡ୍ର ବ୍ୟବସ୍ଥା ହୋଇଛି। ୧୩୦ ଅକ୍ସିଜେନ୍ ସିଲିଣ୍ଡର ବ୍ୟବସ୍ଥା ହୋଇଛି। ଜିଲ୍ଲାରେ ୧୫ ଆଇସିୟୁ ପ୍ରସ୍ତୁତ ହୋଇଥିବା ବେଳେ ଶ୍ରୀଜଗନ୍ନାଥ ମେଡିକାଲ୍ କଲେଜ୍ ଆଣ୍ଡ ହସ୍ପିଟାଲରେ ଗୋଟିଏ ସପ୍ତାହ ମଧ୍ୟରେ ଅକ୍ସିଜେନ୍ ବ୍ୟବସ୍ଥା ଥିବା ଦେଢ଼ ଶହ ବେଡ୍ କାର୍ଯ୍ୟକ୍ଷମ ହେବାକୁ ଯାଉଛି।