ବୁଗୁଡା଼:୦୯/୦୨:(ବୁଦ୍ଧିରାମ ସାହୁ) ବୁଗୁଡା ଏନଏସିର ବିଭିନ୍ନ ରାସ୍ତାରେ ବୁଲୁଥିବା ଗାଈଗୋରୁଙ୍କୁ ବୁଗୁଡା଼ ଏନ୍ଏସି କର୍ତ୍ତୃପକ୍ଷ ଉଠାଇ ନେଉଥିବା ଜଣା ପଡିଛି। ଏହି ବୁଲା ଗାଈଗୋରୁ ମୁଖ୍ୟ ରାସ୍ତା ସମେତ ବଜାର ଓ ବିଭିନ୍ନ ସାହି ମାନଙ୍କରେ ବୁଲୁଥିବା ଓ ରାସ୍ତାରେ ଶୋଇବା ଯୋଗୁଁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବା ସହ ଛୋଟ ବଡ଼ ଦୁର୍ଘଟଣା ଘଟି ସମସ୍ୟା ସୃଷ୍ଟି କରୁଥିଲା। କୌଣସି ବ୍ୟକ୍ତି ଯଦି ସାଇକେଲ ବା ବାଇକରେ ଜିନିଷ ପତ୍ର ଓ ପନିପରିବା ରଖିଥିଲେ ବୁଲା ଗାଈଗୋରୁ ମନେ ଟାଣି ଓଟାରି ଖାଇବା ସହ ପାନ ଦୋକାନ, ପରିବାଦୋକାନ ଗୁଡ଼ିକରେ ଜବରଦସ୍ତ ପଶି ଖାଇ ଦେଉଥିଲେ। ଏହି ଘଟଣା ନେଇ ବହୁ ଅଭିଯୋଗ ହେଉଥିବା ବେଳେ ଗାଈଗୋରୁଙ୍କ ମାଲିକମାନେ କର୍ଣ୍ଣପାତ କରୁନଥିଲେ କି ଏନ୍ଏସି ପକ୍ଷରୁ ମଧ୍ୟ କୌଣସି ପଦକ୍ଷପ ନିଆଯାଉନଥିଲା। ବର୍ତ୍ତମାନ ଜିଲ୍ଳା ପ୍ରଶାସନଙ୍କ ନିର୍ଦ୍ଦେଶ କ୍ରମେ ବୁଗୁଡା଼ ଏନ୍ଏସି ଦାୟୀତ୍ୱରେ ଥିବା ଭଞ୍ଜନଗର ଉପ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ବୁଲା ଗାଈଗୋରୁଙ୍କୁ ଧରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ଶୁକ୍ରବାର ଠାରୁ ବୁଲା ଗାଈଗୋରକୁ କ୍ୟାଚେର୍ ଭେଇକଲରେ ଉଠାଇ ନିଆଯାଉଛି। ବୁଲା ଗାଈଗୋରୁକୁ ଏନ୍ଏସ କର୍ତ୍ତୃପକ୍ଷ ଧରିବା ପରେ ମାଲିକ ମାନେ ସାଙ୍ଗେ ସାଙ୍ଗେ ନେଲେ ପାଞ୍ଚ ଶହ ଟଙ୍କା ଓ ଦିନକ ପରେ ନେଲେ ଏକ ହଜାର ଟଙ୍କା ଲେଖାଏଁ ତଣ୍ଡ ଗଣିବେ । ଦୁଇ ଦିନ ଯାଏଁ ନନେଲେ ସେହି ଗାଈଗୋରୁଙ୍କୁ କୌଣସି ଗୋଶାଳା ବା ଜିଲ୍ଳା ବାହାରେ କୌଣସି ଗୋପାଳଙ୍କୁ ଦିଆଯିବା ନିୟମ ରହିଥିବା ଜଣାପଡିଛି। ଦୁଇ ଦିନ ମଧ୍ୟରେ ଏନଏସି କର୍ତ୍ତୃପକ୍ଷ ପାଞ୍ଚ ହଜାର ଟଙ୍କା ଜରିମାନା ଆଦାୟ କରିଥିବା ବେଳେ ୩ ଟି ଗାଈକୁ କେହି ମାଲିକ ନେଇ ନଥିବା ଏନ୍ଏସି ନିର୍ବାହ ଅଧିକାରୀ ରଶ୍ମିରଞ୍ଜନ ଦାଶ ପ୍ରକାଶ କରିଛନ୍ତି ।