କନ୍ଧମାଳ : (ସଞ୍ଜୟ କୁମାର ପାଣିଗ୍ରାହୀ): ସରକାରୀ ଅର୍ଥ ତୋଷରପାତ ମାମଲାର ବିଚାର କରି ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଶୁକ୍ରବାର ଜଣେ ଅଭିଯୁକ୍ତଙ୍କୁ ୪ ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ଅଭିଯୁକ୍ତଙ୍କୁ ୧୦ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ଦୋଷୀକୁ ଅଧିକ ୬ ମାସ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତର କାନ୍ଦ୍ରା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ତତ୍କାଳୀନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ତପନ କୁମାର କହଁର। ସୂଚନା ଅନୁଯାୟୀ, ୨୦୧୯ ରେ ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ସରକାରୀ ଅନୁଦାନ ଆସିଥିଲା। ଅଭିଯୁକ୍ତ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନ କରି ୨ ଲକ୍ଷ ୯୪୫ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ୫/୨୦୧୯ରେ ଏକ ମାମଲା ରୁଜୁ କରାଯାଇଥିଲା। ଆଜି ଏହି ମାମଲାର ଶୁଣାଣି କରି ଫୁଲବାଣୀ ଭିଜିଲାନ୍ସ ଅଦାଲତ ବିଚାରପତି ସମର ବିଳାସ ବେହେରା ତଥ୍ୟ ପ୍ରମାଣ ଆଧାରରେ ଉପରୋକ୍ତ ରାୟ ଶୁଣାଇଛନ୍ତି। ମାମଲାର ଅନ୍ୟ ଦୁଇ ଅଭିଯୁକ୍ତ ପୁରନ୍ଦର ଦେହୁରୀ ଓ ସାରସ୍ବତ ମଲିକଙ୍କୁ ଅଦାଲତ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ସରକାରୀ ଓକିଲ ଭି.ଭି.ରାମଦାସ ପରିଚାଳନା କରୁଥିଲେ।