ବ୍ରହ୍ମପୁର, ୨୨/୧୨ : ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରଦ୍ଧେୟ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ୨୫ ଡିସେମ୍ବରକୁ ସମଗ୍ର ଦେଶ “ସୁଶାସନ ଦିବସ” ଭାବରେ ପାଳନ କରିଥାଏ । ଶ୍ରଦ୍ଧେୟ ଅଟଳଜୀଙ୍କର ଏହା ଜନ୍ମ ଶତାବ୍ଦୀ ବର୍ଷ । ଏହି ଅବସରରେ ସାରା ଦେଶରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହେବ । ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନାଡ଼ୁଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୫ ଡିସେମ୍ବରରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯିବ । ବୁଥ ସ୍ତରରେ ଦଳ ପକ୍ଷରୁ ଅଟଳ ସ୍ମୃତି ସଭା ଆୟୋଜିତ ହେବ । ସଭାରେ ଶ୍ରଦ୍ଧେୟ ଅଟଳଜୀଙ୍କର ପ୍ରତିମୂର୍ତି ଓ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବ । ରାଷ୍ଟ୍ରୀୟ ସ୍ତରରୁ ସ୍ୱିକୃତି ଦୁଇଟି କବିତା ଆବୃତ୍ତ କରାଯିବ । ଯେଉଁଥିରେ ଯୁବସମାଜ ଅଂଶଗ୍ରହଣ କରିବେ ।
ବିଜେପିର ପ୍ରତିଷ୍ଠାତା ତଥା ଭାରତର ପ୍ରଧାନମନ୍ତ୍ରୀ ଭାବରେ ଶ୍ରଦ୍ଧେୟ ଅଟଳ ବିହାରୀ ବାଜପେୟୀଙ୍କ ପ୍ରମୁଖ ଅବଦାନ ଉପରେ ଆଲୋଚନା କରାଯିବ । ବରିଷ୍ଠ କର୍ଯ୍ୟକର୍ତ୍ତା, ଯେଉଁମାନେ ଶ୍ରଦ୍ଧେୟ ଅଟଳ ବିହାରୀ ବାଜପେୟୀଙ୍କ ସହ କାମ କରିଛନ୍ତି କିମ୍ବା ତାଙ୍କ କାର୍ଯ୍ୟକାଳରେ ସକ୍ରିୟ ଥିଲେ ସେମାନଙ୍କୁ ସମ୍ମାନିତ କରାଯିବ । ମଣ୍ଡଳ ସ୍ତରରେ “ସୁଶାସନ ପଦଯାତ୍ରା” କରାଯିବ । ଏହା ପରେ ଭାରତରତ୍ନ ଅଟଳଜୀଙ୍କ ସୁଶାସନ ଓ ଜାତୀୟ ସ୍ୱାର୍ଥରେ ତାଙ୍କ ଦ୍ଵାରା କରାଯାଇଥିବା ପୋଖରାନ୍ – ୨ ପରୀକ୍ଷଣ, କାର୍ଗିଲ ବିଜୟ ଦିବସ, ଏନଡ଼ିଏ ପ୍ରତିଷ୍ଠା, କିସାନ କ୍ରେଡିଟ୍ କାର୍ଡର ଶୁଭାରମ୍ଭ, ସ୍ଵର୍ଣଚର୍ତୁଭୂଜ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଭଳି ଅନେକ ଜନକଲ୍ୟାଣକାରୀ ଯୋଜନା ଏବଂ ପ୍ରେରଣାଦାୟୀ ବ୍ୟକ୍ତିତ୍ଵ ବିଷୟରେ ନେତୃବୃନ୍ଦ ଆଲୋକପାତ କରିବେ । ଜିଲ୍ଲା ସ୍ତରରେ ଏକ ପ୍ରଦର୍ଶନୀ ଆୟୋଜିତ ହେବ ଯେଉଁଥିରେ ଅଟଳଜୀଙ୍କର ଜୀବନୀ ଏବଂ ଅବଦାନର ବିବରଣୀ ରହିବ । ଅଟଳଜୀଙ୍କ ଜନ୍ମ ଶତାବ୍ଦୀ ବର୍ଷ ଉପଲକ୍ଷେ କାର୍ଯ୍ୟକ୍ରମ ଗୁଡିକର ସଫଳ ରୂପାୟନ ପାଇଁ ଜିଲ୍ଲାରେ ୪ ଜଣିଆ କମିଟି ଗଠନ କରାଯାଇଛି । ପ୍ରମୁଖ ଭାବେ ପ୍ରଭାତ କିରଣ ଷଡ଼ଙ୍ଗୀ ଥିବା ବେଳେ ସହ ପ୍ରମୁଖ ଭାବେ ସୁନିଲ କୁମାର ସାହୁ, ଶିବ ଶଙ୍କର ନାୟକ ଏବଂ ବର୍ଷା ବିଦ୍ୟୁସ୍ମିତା ଦାୟୀତ୍ୱରେ ଅଛନ୍ତି । ଆସନ୍ତା ଡ଼ିସେମ୍ବର ୨୫ ତାରିଖରେ ଭାରତରତ୍ନ ଅଟଳଜୀଙ୍କ ଜନ୍ମ ଶତାବ୍ଦୀ ବର୍ଷ ଅବସରରେ ବ୍ରହ୍ମପୁର ଠାରେ ମଧ୍ୟ ଏକ ବିଶାଳ “ସୁଶାସନ ପଦଯାତ୍ରା” ଅନୁଷ୍ଠିତ ହେବ । ବ୍ରହ୍ମପୁର ଷ୍ଟାଡିୟମ ଠାରେ ପୂର୍ବାହ୍ନ ୭ଟା ସମୟରେ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହି “ସୁଶାସନ ପଦଯାତ୍ରାର” ଶୁଭାରମ୍ଭ କରିବେ । ଏହି ପଦଯାତ୍ରା ବ୍ରହ୍ମପୁର ଷ୍ଟାଡିୟମରୁ ଆରମ୍ଭ ହୋଇ ପୁରୁଣା ବସଷ୍ଟାଣ୍ଡ,ଅର୍ନ୍ନପୁର୍ଣ୍ଣା ବଜାର,ଗିରିଜା ଛକ,କର୍ପୋରେସନ ରୋଡ଼,ଆସିକା ରୋଡ଼,ଗେଟ୍ ବଜାର ଛକ,ସିଟି ହସ୍ପିଟାଲ୍ ରୋଡ଼,ପିଭିଏନ୍ ରାଓ ପେଟ୍ରୋଲ ପମ୍ପ ଛକ,ମୋତି ହୋଟେଲ ଛକ,ଗାନ୍ଧୀନଗର ଛକ ଦେଇ ପୁଣି ବ୍ରହ୍ମପୁର ଷ୍ଟାଡିୟମରେ ପହଞ୍ଚିବେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନୀୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର,ଦିଗପହଣ୍ଡି ବିଧାୟକ ଡ଼. ସିଦ୍ଧାନ୍ତ ମହାପାତ୍ର,ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ,ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତାରା,ପୂର୍ବତନ ବିଧାୟକ ଶିବ ଶଙ୍କର ସାହାଣୀ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି,ସରୋଜ ସାବତ,ରାଜ୍ୟ ପ୍ରବକ୍ତା ଟି ଗୋପି,ଅଟଳ ଜନ୍ମ ଶତାବ୍ଦୀ ବର୍ଷ କାର୍ଯ୍ୟକ୍ରମ ପ୍ରମୁଖ ପ୍ରଭାତ କିରଣ ଷଡ଼ଙ୍ଗୀ,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ ପାତ୍ର,ବରିଷ୍ଠ ବିଜେପି ନେତା ପିତବାସ ପଣ୍ଡା,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ବିଭିନ୍ନ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା, ଛାତ୍ରଛାତ୍ରୀଙ୍କ ସହ ବହୁ ଜନସାଧାରଣ ଏହି “ସୁଶାସନ ପଦଯାତ୍ରାରେ” ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ବରିଷ୍ଠ ନେତା ସୁନିଲ କୁମାର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।