କୀର୍ତ୍ତିମନ୍ତ ଜୀଇଁ ରହେ ଅନନ୍ତ କାଳର କଳାର କାଳିମାକୁ ଭେଦକରି କାଳଜୟୀ ଭାବରେ ସେମିତି ଜୀଇଁଛନ୍ତି କୀର୍ତ୍ତିସ୍ମାନ ମହାନ୍ ସ୍ବାଧିନତା ସଂଗ୍ରାମୀ ବିର୍ସା ମୁଣ୍ଡା।
ଭାରତର ସ୍ୱାଧୀନତା ସଂଗ୍ରାମରେ ଆତ୍ମବଳି ଦେଇଥିବା କେତେଜଣ ପୁଣ୍ୟାତ୍ମାଙ୍କ ଭିତରେ ଓଡ଼ିଶାର ବିର୍ସା ମୁଣ୍ଡା ଅନ୍ୟତମ।୧୮୭୫ ମସିହାରେ ନଭେମ୍ବର ମାସ ୧୫ ତାରିଖରେ ବିର୍ସା ଅଧୁନା ଝାଡ଼ଖଣ୍ଡ ରାଜ୍ୟର ରାଞ୍ଚି ଜିଲ୍ଲା ଖୁଣ୍ଟି ସବ୍-ଡିଭିଜନ୍ ଅନ୍ତର୍ଗତ “ବାମ୍ବା” ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଥିଲା ସୁଗନା ମୁଣ୍ଡା ଓ ମାତାଙ୍କ ନାମ ଥିଲା କରମୀ ମୁଣ୍ଡା।ବିର୍ସା ମୁଣ୍ଡାଙ୍କର ବାଲ୍ୟ ଶିକ୍ଷା ସାଲଗାଠାରେ ଆରମ୍ଭ ହୋଇଥିଲା। ସେଠାରେ ତାଙ୍କର ଜଇପାଲ ନାଗଙ୍କ ସହ ସାକ୍ଷ୍ୟାତ ହୋଇଥିଲା। ସେ ତାଙ୍କଠାରୁ ମହାନ ଗ୍ରନ୍ଥ ରାମାୟଣ ଓ ମହାଭାରତର ବିଷୟବସ୍ତୁ ସଂପର୍କରେ ଅବଗତ ହୋଇଥିଲେ।
ଏହାପରେ ସେ ବୁରୁଜ ପ୍ରାଇମେରୀ ସ୍କୁଲରେ ଅଧୟନ କରିବା ସହିତ ଚାଇଁବସାର ମିଶନ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଶିକ୍ଷା ଲାଭ କରିଥିଲେ। ଏହି ସମୟରେ ସେ ଜର୍ମାନୀ ଶିକ୍ଷକ ଫାଦର୍ ଡେଡଲକ୍ ଓ ଫାଦର୍ ନୋଟ୍ରୋଟଙ୍କ ସଂସ୍ପର୍ଶରେ ଆସିଥିଲେ। ସରଳ ବିଶ୍ୱାସୀ ଆଦିବାସୀ ଭାଇଭଉଣୀମାନଙ୍କ ଉପରେ ଗୋରା ଶାସକମାନଙ୍କ ଅତ୍ୟାଚାର ଓ ଅମାନୁଷିକ ବ୍ୟବହାର ତାଙ୍କୁ ବିଶେଷ ଭାବେ ମର୍ମାହତ କରିଥିଲ।ଗୋରା ଶାସକମାନେ ସେବକ ପଟ୍ଟା ଲେଖାଇ ସରଳ ଗ୍ରାମବାସୀମାନଙ୍କୁ ଗୋତି ଓ ବେଠି ଖଟାଇବା ଓ ଧର୍ମାନ୍ତରଣ କରିବାପଇଁ ବାଧ୍ୟ କରୁଥିବାର ଦେଖି ସେ ସହି ପାରୁ ନ ଥିଲେ। ଚାଇଁବସା ମିଶନ୍ ସ୍କୁଲରେ ପାଠ ପଢୁଥିଲାବେଳେ ଗୋରା ପ୍ରଧାନ ଶିକ୍ଷକ ଆକ୍ରୋଶ ମୂଳକ ଭାବେ ବିର୍ସାଙ୍କୁ ଅମାନୁଷିକ ଭାବେ ଚାବୁକରେ ମାଡ଼ ମାରିଥିଲେ ଓ ସ୍କୁଲରୁ ବହିସ୍କାର କରି ଦେଇଥିଲେ। ସେହି ଦିନ ଠାରୁ ପାଠପଢାରେ ପୂର୍ଣ୍ଣଚ୍ଛେଦ ପକାଇ ସେ ଫିରିଙ୍ଗି ଶାସନ କବଳରୁ ଓଡ଼ିଶାରୁ ମୁକ୍ତ କରିବାପାଇଁ ଅଣ୍ଟାଭିଡ଼ି ବାହାରି ପଡ଼ିଥିଲେ। ବଣେଇ, ଗୁରୁଣ୍ଡିଆ, କଳିପଶ ଆଦି ଗ୍ରାମର କୋହ୍ଲ, ଖତିଆର, ମୁଣ୍ଡା ଓ କିଷାନ୍ ଆଦିବାସୀମାନଙ୍କୁ ସେ ବ୍ରିଟିଶ୍ ଅତ୍ୟାଚାର ବିଷୟରେ ସଚେତନ କରିଥିଲେ। ସେବକପଟ୍ଟା ନ ଲେଖିବା, ଖଜଣା ନ ଦେବା ଓ ବନ୍ଧୁକ ମୁନକୁ ଡରି ଧର୍ମତ୍ୟାଗ ନ କରିବାକୁ ସେ ପ୍ରଚାର କରୁଥିଲେ। ତାଙ୍କ ନେତୃତ୍ୱରେ ଆଦିବାସୀମାନେ ଏକତ୍ରିତ ହୋଇ ଇଂରେଜମାନଙ୍କ ବିରୁଦ୍ଧରେ ସଶସ୍ତ୍ର ବିପ୍ଳବ କରିବାପାଇଁ ଆଗଭର ହେବାର ଦେଖି ଇଂରେଜ ଶାସକ ପ୍ରମାଦ ଗଣିଲେ। ୧୮୯୫ ମସିହା ଅଗଷ୍ଟ ୧୬ ଦିନ ପୋଲିସ୍ ଏସ୍.ପି. ମେୟରସ୍ ବିର୍ସା ଓ ତାଙ୍କର ୧୫ ଜଣ ସାଥିଙ୍କୁ ଗିରଫ କରିଥିଲେ। ଦେଶଦ୍ରୋହ ଅପରାଧରେ ତାଙ୍କୁ ଦୁଇବର୍ଷ କାରାଦଣ୍ଡ ଦିଆଗଲା। ଏଥିପାଇଁ ତାଙ୍କୁ ରାଞ୍ଚି ଜେଲ୍କୁ ପଠାଇ ଦିଆଗଲା। ମହାରାଣୀ ଭିକ୍ଟୋରିଆଙ୍କ ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଅନେକ କଏଦୀମାନଙ୍କୁ ମୁକ୍ତ କରି ଦିଆ ଯାଇଥିଲା। ଏମିତିରେ ବିର୍ସା ଓ ତାଙ୍କର ସହକର୍ମୀମାନେ ମଧ୍ୟ ମୁକ୍ତି ପାଇ ଯାଇଥିଲେ। ତାଙ୍କ ଆହ୍ୱାନରେ ଶହଶହ ଯୁବକ ନିଜ ମାତୃଭୂମିକୁ ବିଦେଶୀ ଶାସନ କବଳରୁ ମୁକ୍ତ କରିବାପାଇଁ ଶପଥ ନେଲେ। ସେମାନେ ୧୮୯୯ ମସିହା ଡିସେମ୍ବର ୯ ତାରିଖ ଦିନ ନିଆଁହୁଳା, ଧନୁ ତୀର ଓ ବର୍ଚ୍ଛା ଧରି ଗୋରାମାନଙ୍କର ବାସଭବନ ଓ ଅଫିସ୍ରେ ନିଆଁ ଲଗାଇଦେଲେ। ସେମାନେ ସିଂହଭୂମି ଜିଲ୍ଲାର ପୋରହାଟରେ ଅଗ୍ନୀକାଣ୍ଡ ଘଟାଇଥିଲେ। ରାଞ୍ଚି ବିଚାରାଳୟ ଆକ୍ରମଣ କରୁଥିବା ସମୟରେ ସେମାନଙ୍କ ଭିତରୁ ୧୨ଜଣ ଶହୀଦ ହୋଇଥିଲେ। ବ୍ରିଟିଶ୍ ସରକାର ବିର୍ସାଙ୍କୁ ଧରାଇଦେଲେ ପାଞ୍ଚଶହ ଟଙ୍କା ପୁରସ୍କାର ମିଳିବ ବୋଲି ଘୋଷଣା କରିଥିଲେ। ତାଙ୍କର ସନ୍ଧାନ ନେବାପାଇଁ କନେଷ୍ଟବଳ ବୁଡୁରାମ ଓ ଜୟରାମଙ୍କୁ ଏଟିକେଡ଼ି ଗ୍ରାମକୁ ପଠାଗଲା। ବିର୍ସାଙ୍କର ମୁଖ୍ୟ ସହକର୍ମୀ ଗୟା ମୁଣ୍ଡା ଅନ୍ୟ ଗ୍ରାମବାସୀଙ୍କ ସହାୟତାରେ ୧୯୦୦ ମସିହା ଜାନୁଆରୀ ୧୫ ତାରିଖରେ ଏଇ କନେଷ୍ଟବଳଦ୍ୱୟଙ୍କୁ ହତ୍ୟା କରିଥିଲେ। ଏହାର ପ୍ରତିଶୋଧ ନେଇ ମିଃ ଷ୍ଟ୍ରିଟ୍ ଫିଲ୍ଡ ସଶସ୍ତ୍ର ପୋଲିସ୍ ବାହିନୀ ସହାୟତାରେ ଗୟା ମୁଣ୍ଡାଙ୍କୁ ଗିରଫ କରିବା ସମୟରେ ସେମାନଙ୍କ ଭୀଷଣ ଅସ୍ତ୍ରାଘାତରେ ସେ ମୃତ୍ୟୁ ବରଣ କରିଥିଲେ।ଏହା ପରେ ବିର୍ସାଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ଦମନଲୀଳାର ମୁଖ୍ୟକେନ୍ଦ୍ର ଖୁଣ୍ଟିଥାନାକୁ ନିଆଁ ଲଗାଇଦେଲେ, କନେଷ୍ଟବଳ ରଘୁରାମକୁ ହତ୍ୟାକଲେ ଓ ଅନ୍ୟ ପୁଲିସ୍ମାନଙ୍କୁ ଥାନା ଛାଡ଼ି ଚାଲିଯିବାକୁ ଧମକ ଦେଲେ। ଏହାର ପ୍ରତ୍ୟୁତ୍ତରରେ ୩୦୦ ଫୁଟ ଉଚ୍ଚା ଡୋମ୍ବରି ପାହାଡ଼, ଯେଉଁଠି ବିର୍ସା ଓ ତାଙ୍କ ସହକର୍ମୀ ନରସିଂହ ଅନ୍ୟ ସଂଗ୍ରାମୀମାନଙ୍କୁ ଉଦ୍ବୋଧନ ଦେଉଥିଲେ, ତାକୁ ଘେରିଗଲେ ଓ ଆତ୍ମସମର୍ପଣ କରିବାପାଇଁ ଘୋଷଣା କଲେ। ବିଦ୍ରୋହୀମାନେ ଏଥିରେ ରାଜି ନ ହୋଇ ପାହାଡ଼ ଉପରୁ ଧନୁତୀର, ବର୍ଚ୍ଛା ଓ ପଥରଦ୍ୱାରା ଇଂରେଜମାନଙ୍କ ଉପରେ ଆକ୍ରମଣ ଆରମ୍ଭ କରିଦେଲେ। ଫଳତଃ ଇଂରେଜମାନଙ୍କ ତରଫରୁ ଗୁଳିଗୋଳା ମାଡ଼ରେ ନରସିଂହ ମୁଣ୍ଡାଙ୍କ ସମେତ ଦୁଇଶହ ବିଦ୍ରୋହୀ ଶହୀଦ୍ ହୋଇ ଯାଇଥିଲେ। ବିର୍ସା ଅଳ୍ପକେ ବଞ୍ଚିଯାଇ ଆତ୍ମ ଗୋପନପାଇଁ ଚକ୍ରଧରପୁର ଜଙ୍ଗଲକୁ ଚାଲିଗଲେ।ସରକାର ବିର୍ସାଙ୍କ ସନ୍ଧାନ ନ ପାଇବାରୁ ମୁଣ୍ଡାମାନଙ୍କ ଉପରେ ଅମାନୁଷିକ ଅତ୍ୟାଚାର କଲେ ଓ ସେମାନଙ୍କ ଘରେ ନିଆଁ ଲଗାଇଦେଲେ। ଏଥିରୁ ସେମାନଙ୍କୁ ରକ୍ଷା କରିବାପାଇଁ ତାଙ୍କ ସହକର୍ମୀ ଡେନକା ମୁଣ୍ଡା ଓ ମାଝିଆ ମୁଣ୍ଡା ସରକାରଙ୍କ ପାଖରେ ଆତ୍ମସମର୍ପଣ କଲେ, ଯେଉଁମାନଙ୍କୁ ପରବର୍ତ୍ତୀ ସମୟରେ ଦେଶରୁ ନିର୍ବାସିତ କରି ଦିଆଯାଇଥିଲା।
ତଥାପି ଦେଶପ୍ରେମୀ ବିର୍ସାଙ୍କ ମନରେ ସ୍ୱାଧୀନତାର ଆଶା ମଉଳି ନ ଥିଲା। ସଂଗ୍ରାମକୁ ନୂଆରୂପ ଦେବାପାଇଁ ସେ ଓଡ଼ିଶା ଛାଡ଼ି ସିଂହଭୂମି ଜିଲ୍ଲାକୁ ଚାଲି ଯାଇଥିଲେ। ବିଶ୍ୱାସଘାତକ ଶଶୀଭୂଷଣ ରାୟ ଓ ମାଝିତା ମାରିଆ ୫୦୦ ଟଙ୍କା ଲୋଭରେ ବିର୍ସା ସେନ୍ତେରା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଲୁଚିରହିଥିବାର ଖବର ଇଂରେଜ ସରକାରକୁ ଜଣାଇ ଦେଲେ। ୧୯୦୦ ମସିହା ମାର୍ଚ୍ଚ ୩ ତାରିଖରେ ତାଙ୍କୁ ଗିରଫକରି ରାଞ୍ଚି ଜେଲ୍କୁ ନିଆଗଲା। ଏହାଦେଖି ଶହ ଶହ ଅନୁଗାମୀ ତାଙ୍କ ସହ ଜେଲ୍ ଯିବାକୁ ବାହାରି ପଡ଼ିଲେ। ତେଣୁ ସୁରକ୍ଷା କାରଣରୁ ତାଙ୍କୁ ହଜାରିବାଗ ଜେଲ୍କୁ ସ୍ଥାନାନ୍ତରିତ କରାଗଲା। କିନ୍ତୁ ତାଙ୍କର ସ୍ୱାସ୍ଥ୍ୟ ଠିକ୍ ରହୁ ନ ଥିବା କାରଣରୁ ତାଙ୍କୁ ପୁଣି ରାଞ୍ଚି ଜେଲ୍କୁ ଅଣାଗଲା। ତାଙ୍କ ପାଦରେ କଡ଼ା ପିନ୍ଧାଇ ଦିଆଯାଇଥିଲା, ଅନେକ ପ୍ରକାରର ନିର୍ଯ୍ୟାତନା ଦିଆଯାଉଥିଲା ଓ ତାଙ୍କ ଖାଦ୍ୟରେ ବିଷ ମିଶାଇ ଦିଆ ଯାଇଥିଲା। ଏସବୁର ମୂକସାକ୍ଷୀ ଥିଲେ ଜେଲ୍ର ଡାକ୍ତର ଅମୂଲ୍ୟ ଓ ମେହେନ୍ତର ଶିବନା। ତାଙ୍କ ଅପରାଧର ବିଚାରପାଇଁ ତାଙ୍କୁ ବିଚାରାଳୟକୁ ନିଆଯାଇଥିଲା। ଇଂରେଜମାନଙ୍କ ଭୟରେ ସେଠାରେ କେହି ତାଙ୍କ ସପକ୍ଷରେ ସାକ୍ଷ୍ୟ ଦେଇ ନ ଥିଲେ। ବିଚାରାଳୟ କୋଠରୀରେ ବିର୍ସା ପ୍ରଳାପ କରୁଥିବାର ଦେଖି ବିଚାରପତି ବିଚାରକୁ ସ୍ଥଗିତ ରଖି ତାଙ୍କୁ ପୁନଃ ଜେଲ୍କୁ ପଠାଇଦେଲେ। ମାତ୍ର ପଚିଶ ବର୍ଷ ବୟସ୍କ ବିଦ୍ରୋହୀ ବିର୍ସା ରାଞ୍ଚି ଜେଲ୍ରେ କଲବଲ ହୋଇ ୧୯୦୦ ମସିହା ଜୁନ୍ ୯ ତାରିଖ ଦିନ ଶେଷ ନିଃଶ୍ୱାସ ତ୍ୟାଗକଲେ।ବିର୍ସା ମୁଣ୍ଡା ଭାରତୀୟ ସ୍ୱାଧୀନତା ସଂଗ୍ରାମର ଜଣେ ଅଗ୍ରଗଣ୍ୟ ସଂଗ୍ରାମୀ ଯାହାଙ୍କର ସାହସ ଓ ବଳିଦାନ ହଜାର ହଜାର ଭାରତୀୟଙ୍କୁ ଅନୁପ୍ରାଣିତ କରିଥିଲା।ଜନଜାତି ଜନନାୟକ ତଥା ମହାନ୍ ସ୍ୱତନ୍ତ୍ରତା ସେନାନୀ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ କୁ ‘ଜନଜାତୀୟ ଗୌରବ ଦିବସ’ ଭାବରେ ପାଳନ କରାଯିବ ବୋଲି ଗତ ବର୍ଷ କେନ୍ଦ୍ର କ୍ୟାବିନେଟ ନିଷ୍ପତି ନେଇଥିଲେ।ସଂପ୍ରଦାୟଙ୍କ ପୂର୍ବ ବୀରଗାଥା ଏବଂ ଗୌରବମୟ ଇତିହାସକୁ ଉଜ୍ଜିବୀତ କରିବା ସଙ୍ଗେସଙ୍ଗେ ସେମାନଙ୍କ ସଂସ୍କୃତି, ପରମ୍ପରା ସାରା ଭାରତବର୍ଷରେ ଆଦୃତ ହୋଇପାରିବ।ସେହି ମହାନ୍ ସ୍ବାଧିନତା ସଂଗ୍ରାମୀ ବିର୍ସା ମୁଣ୍ଡା ଙ୍କ ଜୟନ୍ତୀ ଅବସରରେ ତାଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳୀ ଓ କୋଟି କୋଟି ପ୍ରଣାମ।
ଲେଖକ- ବିଶ୍ବବିଜୟୀ ଦାଶ
ଯୁବ ସ୍ତମ୍ଭକାର
ସମ୍ପାଦକ, ବ୍ରଜବିଳାସ ଇ-ପତ୍ରିକା
ଗମ୍ଭାରିମୁଣ୍ଡା,ବାଣପୁର,ଖୋର୍ଦ୍ଧା
ପିନ୍- ୭୫୨୦୩୫
ଫୋନ ନଂ – ୬୩୭୦୨୦୮୪୨୮