ଠାକୁରଗଡ଼,୨୭/୧୦: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଆମ୍ବାସର୍ ମୁଣ୍ଡା ଗ୍ରାମସ୍ଥ ଗୋନ୍ଦ୍ ୱାଣା ଭବନ ପରିସରରେ ଜିଲ୍ଲା ଆୟୋଜନ ସମିତି ପକ୍ଷରୁ ତ୍ରୟୋଦଶ ବାର୍ଷିକ କର୍ମକର୍ତ୍ତା ଚୟନ ପ୍ରକିୟା ଅନୁଷ୍ଠିତ ହୋଇ ଯାଇଛି। ଅନୁଗୁଳ ପ୍ରାଦେଶିକ ଜିଲ୍ଲା ଅନ୍ତର୍ଗତ ୨୮ ଟି ପୁଞ୍ଜ ସମିତି,୫ ଟି ବ୍ଲକ୍ ସମିତି, ଜିଲ୍ଲା ମହିଳା ସମିତି ଓ ଜିଲ୍ଲା ଯୁବ ଆୟୋଜକ ସମିତି ର ସମସ୍ତ କର୍ମ କର୍ତ୍ତା ଯୋଗ ଦେଇ ଥିବା ବେଳେ ଜିଲ୍ଲା ସଭାପତି ସଦାଶିବ ନାୟକ ଏଥିରେ ଅଧ୍ୟକ୍ଷତା କରି ଥିଲେ।୨୦୨୧ ମସିହାରେ ଗଠିତ ସମିତି ର କାର୍ଯ୍ୟକାଳ ଅବଧି ଇତି ମଧ୍ୟରେ ପୂରଣ ହୋଇ ଯାଇଥିବାରୁ ଉକ୍ତ ବୈଠକ ର ଆବଶ୍ୟକ ଅନୁଭୂତ ହୋଇଥିଲା। ଏଥିରେ ପ୍ରାଦେଶିକ ମହାସଚିବ ପ୍ୟାରୀ ମୋହନ ନାୟକ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେଓ ରାଜ୍ୟ ମହିଳା ମହାସଚିବ ସୁଜାତା ନାୟକ ଉପସ୍ଥିତ ଥିଲେ। ସର୍ବ ସମ୍ମତି କ୍ରମେ ସଦାଶିବ ନାୟକ ପୁନର୍ବାର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ। ବିଦ୍ୟାଧର ସିଂହ ଜିଲ୍ଲା ମହାସଚିବ, ବସନ୍ତ କୁମାର ନାୟକ କୋଷାଧ୍ୟକ୍ଷ, ରାମ ଚନ୍ଦ୍ର ନାୟକ, ହରିହର ଗଡ଼ନାୟକ ଓ ଶାନ୍ତିଲତା କହଁର ଉପ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ। ନୂତନ ସଭାପତି ସଦାଶିବ ନାୟକ ଜୀବନର ଲମ୍ବସମୟ ଅଭିଜ୍ଞତାକୁ ବର୍ଣ୍ଣନା କରିବାକୁ ଯାଇ କହିଥିଲେ ଯେ, ସମାଜ ବ୍ୟତୀତ ବ୍ୟକ୍ତିର ସ୍ଵାତନ୍ତ୍ର ନାହିଁ, ତେଣୁ ତୃଣମୂଳ ସ୍ତରରୁ ସମାଜ କୁ ମଜଭୁତ କରିବାକୁ ପଡ଼ିବ। ଜିଲ୍ଲା ମହାସଚିବ ବିଦ୍ୟାଧର ସିଂହ ବାର୍ଷିକ ବିବରଣୀ ପାଠ କରିଥିଲେ। ଜିଲ୍ଲା କୋଷାଧ୍ୟକ୍ଷ କୃପାସିନ୍ଧୁ ନାୟକ ଆୟ ବ୍ୟୟ ଅଟକଳ ପରିମାଣର ସମସ୍ତ ତଥ୍ୟ ପ୍ରଦାନ କରି ଥିବା ବେଳେ ବାଙ୍କ ନିଧି ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ।