ମୃତ୍ୟୁ କୁ ଆମନ୍ତ୍ରଣ କରୁଛି ବୁଡ଼ାଗୁଡ଼ା – ଅଲିମାହା ରାସ୍ତା

ଦାରିଙ୍ଗବାଡି,୨୫/୯(ତରଣୀ ସାହୁ): ରାସ୍ତା କୁ ଦେଖିଲେ ପୋଖରୀର ଭ୍ରମ ସୃଷ୍ଟି ହେଉଛି । ଯୁଆଡ଼େ ଦେଖିବ ସିଆଡେ ଖାଲି ଖାଲ ହୋଇ ପାଣି ଜମି ରହିଛି । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଦାରିଙ୍ଗବାଡି ବ୍ଲକର ବୁଡ଼ାଗୁଡ଼ା – ଅଲିମାହା ଗ୍ରାମ୍ୟ ଉନ୍ନୟନ ରାସ୍ତାରେ । ବୁଡ଼ାଗୁଡ଼ା ଠାରୁ ଅଲିମାହା ୮ କିଲୋମିଟର ରାସ୍ତା ହୋଇଥିବା ବେଳେ ଉକ୍ତ ରାସ୍ତା ଉପରେ ଗୁମିକିଆ ପଞ୍ଚାୟତ ସମ୍ପୂର୍ଣ୍ଣ ଗାଁ ଓ ବୁଡାଗୁଡ଼ା ପଞ୍ଚାୟତର କିଛି ଗାଁ ନିର୍ଭର କରୁଛି । ହେଲେ ଉକ୍ତ ରାସ୍ତା ଦେଖିଲେ ଲାଗୁଚି ଯେ ମୃତ୍ୟୁ କୁ ଆମନ୍ତ୍ରଣ କରିଲା ଭଳି । ୮ କିଲୋ ମିଟର ରାସ୍ତା ସମ୍ପୂର୍ଣ୍ଣ ଖାଲ ଖମାରେ ଭର୍ତି । ଏପରି ଖାଲ ହୋଇଛି ପାଣି ଜମିଲେ ଦେଖିଲେ ଲାଗୁଛି ପୋଖରି ଭଳି । ଫଳରେ ଲୋକଙ୍କ ଯାତାୟତରେ ବାଧା ସୃଷ୍ଟି ହେଉଛି । ଗାଡ଼ିରେ ଯିବା ବେଳେ ରାସ୍ତା ସାରା ପାଣି ଜମିଥିବା ଯୋଗୁଁ ପାଣି ଛିଟିକି ଅନ୍ୟ ଉପରେ ପଡୁଛି । ରାସ୍ତା ସାରା କାଦୁଅ ମଧ୍ୟ ହୋଇଛି । ଅନେକ ସମୟ ରେ ଉକ୍ତ ରାସ୍ତାରେ ଲୋକଙ୍କ ଦୁର୍ଘଟଣା ମଧ୍ୟ ଘଟୁଥିବା ଦେଖିବାକୁ ମିଳିଛି । ହେଲେ ଏଥି ପ୍ରତି ପ୍ରଶାସନର ଦୃଷ୍ଟି ପଡୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅନେକ ବର୍ଷ ହେବ ରାସ୍ତା ଅବସ୍ଥା ଶୋଚନୀୟ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ରାସ୍ତାର ମରାମତି କରାଯାଉ ନାହିଁ । ଯଥା ଶୀଘ୍ର ଯଦି ଉକ୍ତ ରାସ୍ତାର ମରାମତି କରାନଯାଏ ତାହାଲେ ଆଗକୁ ଆଉ ଗାଡ଼ି ଯିବା ତ ଦୂରର କଥା ଚାଲିକି ଯିବା ମଧ୍ୟ ସମ୍ଭବ ହେବ ନାହିଁ । ଏଣୁ ଯଥା ଶୀଘ୍ର ଉକ୍ତ ରାସ୍ତାର ମରାମତି କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।