ଦାରିଙ୍ଗବାଡ଼ି,୨୩/୯(ତରଣୀ ସାହୁ): କନ୍ଧମାଳ ଏମ୍ପି ସୁକାନ୍ତ କୁମାର ପାଣିଗ୍ରାହୀ ସୋମବାର ଦିନ ଦାରିଙ୍ଗବାଡ଼ିକୁ ଦିନିକିଆ ଗସ୍ତରେ ଆସି ପ୍ରଥମେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ। ସେ ପ୍ରଥମେ ଅନ୍ତଃବିଭାଗ ପରିଦର୍ଶନ କରିଥିଲେ। ସେଠାରେ ରୋଗୀଙ୍କ ସ୍ବାସ୍ଥ୍ୟସେବା ବୁଝିବା ସହ ଶୌଚାଳୟର ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ସେ ଏନେଇ ସ୍ବାସ୍ଥ୍ୟକେନ୍ଦ୍ରର ଇନ୍ଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟଙ୍କୁ ଶୌଚାଳୟକୁ ସର୍ବଦା ସଫେଇ କରିବାକୁ ପରାମର୍ଶ ଦେବା ସହ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାପରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ସାମିଲ ହୋଇ ସ୍ଵାସ୍ଥ୍ୟ କେନ୍ଦ୍ରର ସମ୍ମୁଖ ଅଞ୍ଚଳ, ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ସାମ୍ନା, ଦୁର୍ଗା ମଣ୍ଡପ ସ୍ଥାନ ଆଦି ଅଞ୍ଚଳରେ ସଫେଇ କରି ଥିଲେ । ଏହା ପରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକଙ୍କ ଅଭିଯୋଗ ଗ୍ରହଣ କରିଥିଲେ । ଦାରିଙ୍ଗବାଡି ବିଆର୍ ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀ ଙ୍କୁ ପାଠ ପଢ଼ାଇବା ସହ ସୁବିଧା ଅସୁବିଧା ନେଇ ପଚାରି ବୁଝିଥିଲେ । ଏହା ପରେ ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ରେ ପହଞ୍ଚି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟ ଫାଟକ ଓ ବ୍ଲକ ପରିସର ମଧ୍ୟରେ ହୋଇଥିବା କେଫେର ଉଦ୍ଘାଟନ କରି ବ୍ଲକ କଲୋନୀ ମଧ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ବିଡ଼ିଓ ଗଦାଧର ପାତ୍ର, ତହସିଲଦାର ଶରତ ଶବର, ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ,ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ, ମଣ୍ଡଳ ସଭାପତି ସନ୍ତୋଷ ସାହୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ଶିଶିର ପାତ୍ର, କନିଷ୍ଠ ଯନ୍ତ୍ରୀ ଧିରେନ ସେଠୀ ପ୍ରମୁଖ ଯୋଗ ଦେଇଥିଲେ । ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ରହିଥିବା ବିଭିନ୍ନ ସମସ୍ୟା ବାବଦ ରେ ମେଡ଼ିକାଲ ଇନଚାର୍ଜ ଡ଼କ୍ଟର ଯାକେଶ ସାମନ୍ତରାୟ କନ୍ଧମାଳ ସାଂସଦଙ୍କୁ ଭେଟି ଲିଖିତ ଭାବେ ଜଣାଇଥିଲେ