ଭତା ରୁ ବଞ୍ଚିତ ବୃଦ୍ଧ ବୃଦ୍ଧା, ଭାତ ସହ ଲୁଣଲଙ୍କା ଖାଇ ବିତୁଛି ଜୀବନ

ଦାରିଙ୍ଗବାଡି,୧୯/୯(ତରଣୀ ସାହୁ): ରାଜ୍ୟ ଓ କେନ୍ଦ୍ର ସରକାର ବୃଦ୍ଧ, ବୃଦ୍ଧା,ଦିବ୍ୟାଙ୍ଗ, ଅବିବାହିତ, ବିଧବା ମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ପେନସନ ଯୋଜନା କରିଥିବା ବେଳେ ଅନେକ ଯୋଗ୍ୟ ହିତାଧିକାରୀକାରୀ ଆଜି ବି ଭତା ରୁ ବଞ୍ଚିତ ହୋଇ ରହିଛନ୍ତି । ଫଳରେ ବୃଦ୍ଧ, ବୃଦ୍ଧା ଓ ବିଧବା ଓ ଦିବ୍ୟାଙ୍ଗ ଙ୍କ ଦୁଃଖ ଦୁର୍ଦ୍ଦଶା ବୃଦ୍ଧି ପାଉଛି । ଦାରିଙ୍ଗବାଡି ବ୍ଲକ କିରିକୁଟି ପଞ୍ଚାୟତ ଅନ୍ତର୍ଗତ ନାହୁଡ଼ିସରୁ ଗ୍ରାମରେ ଦେଖିବାକୁ ମିଳିଛି କିଛି ଏଭଳି ଘଟଣା । ଉକ୍ତ ଗ୍ରାମର ମାଯୁଙ୍ଗା ପ୍ରଧାନ(୬୭), ସାବଜିନି ପ୍ରଧାନ(୬୩) ଓ ବାସନ୍ତୀ ପ୍ରଧାନ (୬୯) ଙ୍କ ବୟସ ସରକାରୀ ନିୟମ ପ୍ରକାରେ ୬୦ ବର୍ଷ ରୁ ଉର୍ଦ୍ଧ ହୋଇଥିବା ବେଳେ ଭତା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି । ବୃଦ୍ଧ , ବୃଦ୍ଧା କାରଣ ରୁ ଆଉ କାମ ଧନ୍ଦା ଯାଇ ପାରୁନାହାନ୍ତି । ସରକାରୀ ସହାୟତା ବୋଲେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଚାଉଳ ପାଉଛନ୍ତି । ଆର୍ଥିକ ଅବସ୍ଥା ଖରାପ ଯୋଗୁଁ ଲୁଣ ଲଙ୍କା ରେ ଭାତ ଖାଇବାକୁ ପଡୁଛି । ନୂଆଁ ଲୁଗା ପଟା କିଣିବା ପାଇଁ ପାଖରେ ଟଙ୍କା ନଥିବା ହେତୁ ବେଳେ ବେଳେ ଚିରା ଫଟା ପୋଷାକ ପିନ୍ଧି ଜୀବନ ବିତାଇ ବାକୁ ମଧ୍ୟ ପଡୁଛି । ଦିନ କୁ ଦିନ ଦୁଃଖ ଦୁର୍ଦ୍ଦଶା ବୃଦ୍ଧି ପାଉଛି । କେବେ ଭତା ମିଳିବ ତାକୁ ନେଇ ଚିନ୍ତାରେ ରହିଛନ୍ତି ବୃଦ୍ଧ,ବୃଦ୍ଧା। ପଞ୍ଚାୟତ କାର୍ଯ୍ୟାଳୟ ରେ ଅନେକ ବାର ଭତା ପାଇଁ ଆବେଦନ ପତ୍ର ପ୍ରଦାନ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଭତା ମିଳୁନଥିବା ଅଭିଯୋଗ କରୁଛନ୍ତି ବୃଦ୍ଧ, ବୃଦ୍ଧା । ଏନେଇ ବିଏସଏସଓ କ୍ଷୀତିସ୍ ପ୍ରିୟଦର୍ଶୀ ସାହୁ ଙ୍କୁ ପଚାରିବାରୁ ସେ ତିନି ଜଣ ବୃଦ୍ଧ ବୃଦ୍ଧା ଭତା ପାଇଁ ଆବେଦନ କରିଛନ୍ତି ହେଲେ ଟାର୍ଗେଟ ସୀମିତ ଥିବା ଯୋଗୁଁ ଦେବାରେ ବିଳମ୍ବ ହେଉଥିବା କହିବା ସହ ଏଭଳି ଭାବେ ୫ ଶହ ରୁ ଉର୍ଦ୍ଧ ଲୋକ ଭତା ପାଇଁ ଆବେଦନ କରିଥିବା କଥା କହିଥିଲେ । ଏଣୁ ଟାର୍ଗେଟ କୁ ସୀମିତ ନରଖି ଏହାକୁ ବୃଦ୍ଧି କରି ଯୋଗ୍ୟ ହିତାଧିକାରୀ ଯଥା ଶୀଘ୍ର ଭତା ପ୍ରଦାନ କରିବା ପାଇଁ ସାଧାରଣରେ ଦାବି ହୋଇଛି