ଦାରିଙ୍ଗବାଡି,୬/୯(ତରଣୀ ସାହୁ): ରାଜ୍ୟ ସରକାର ଙ୍କ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ମହିଳା ଙ୍କ ଆଖିରେ ଆଉ ନିଦ ନାହିଁ । କିଭଳି ଏହି ଯୋଜନାରେ ସାମିଲ ହେବୁ ଆଉ ୫୦ ହଜାର ଟଙ୍କା ପାଇବୁ । ଏଥି ପାଇଁ ବ୍ୟାଙ୍କ, ପୋଷ୍ଟାଲ ଅଫିସ ଓ ଜନ ସେବା କେନ୍ଦ୍ର ଗୁଡିକରେ ଠେଲାପେଲା ହେଉଥିବା ଦେଖିବାକୁ ମିଳିଛି । ସକାଳୁ ଉଠୁ ଉଠୁ କିଭଳି ବ୍ୟାଙ୍କ,ପୋଷ୍ଟାଲ ଅଫିସ ଓ ଆଧାର କେନ୍ଦ୍ର କୁ ଯିବୁ ତାହା ହିଁ ଚିନ୍ତା । ପୋଷ୍ଟାଲ ଅଫିସ ଓ ଆଧାର କେନ୍ଦ୍ର ଆଗରେ ଆଧାରରେ ଫୋନ ନମ୍ୱର ଲିଙ୍କ ଓ ବ୍ୟାଙ୍କ ଏକାଉଣ୍ଟ୍ ରେ ଫୋନ ନମ୍ୱର ଲିଙ୍କ ପାଇଁ ଜମୁଛି ଭିଡ । କାହାର ୨ ଦିନ ମଧ୍ୟରେ କାମ ହେଉଛି ତ ଆଉ କାହାର ୩ ଦିନ ଆସିଲେ ସୁଦ୍ଧା କାମ ହେଉ ନାହିଁ । ଫଳରେ ଦୁରଦୁରାନ୍ତ ରୁ ଆସୁ ଥିବା ମହିଳାଙ୍କ ଯାତାୟତ ଖର୍ଚ୍ଚ ସହ ହୋଟେଲରେ ଖାଇବା ଓ ଅନ୍ୟାନ୍ୟ ଖର୍ଚ୍ଚ ହୋଇ ଯାଉଛି । ଫଳରେ ଗୋଟିଏ ଦିନରେ ଜଣେ ମହିଳାଙ୍କ ୩୦୦ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହେଉଛି । ଯାହାର ୨ ଦିନରେ କାମ ହେଉଛି ତାହାର ୬୦୦ ଟଙ୍କା ଖର୍ଚ୍ଚ ହୋଇଯାଉଥିବା ବେଳେ କାହାର ୨ ଦିନରେ କାମ ନହେଲା ତାହାର ଅଧିକ ଟଙ୍କା ଖର୍ଚ୍ଚ ହେଉଛି । ଆଧାରରେ ମୋବାଇଲ ନମ୍ବର ଲିଙ୍କ କରିବା ଲାଇନରେ ଠିଆ ହେବାକୁ ପଡୁ ଥିବା ବେଳେ ପୁଣି ବ୍ୟାଙ୍କ ଏକାଉଣ୍ଟ୍ ରେ ମୋବାଇଲ ନମ୍ବର ଲିଙ୍କ କରିବା ଓ ଇ- କେୱାସି ପାଇଁ ଲାଇନ ଲାଗିବାକୁ ପଡ଼ୁଚି । ଏଭଳି ଭାବେ ସୁଭଦ୍ରା ଟଙ୍କା ପାଇବା ପାଇଁ ମହିଳା ମାନେ ନିଜର କାମ ଧନ୍ଦା ଛାଡ଼ି ପୋଷ୍ଟାଲ, ଆଧାର କେନ୍ଦ୍ର ଓ ବ୍ୟାଙ୍କ କାର୍ଯ୍ୟାଳୟ ଆଗରେ ପଡ଼ି ରହୁଛନ୍ତି । ଖାଇବା ପିଇବା ଭୁଲି ଗଲେଣି । ଦୂରଦୁରାନ୍ତ ରୁ ଆସୁଥିବା ମହିଳା ମାନେ ଘରେ ପହଞ୍ଚିଲା ବେଳେ ରାତି ୧୦ ମଧ୍ୟ ହୋଇଯାଉଛି । ଘରେ ପହଞ୍ଚିଲେ ରୋଷେଇ ହେଲେ ହଉଚି ନହେଲେ ନାହିଁ । ଲାଇନରେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ରହିବା ଫଳରେ କ୍ଳାନ୍ତ ହୋଇଯାଉଛନ୍ତି । ଫଳରେ ପରିବାରରେ ମଧ୍ୟ ଅନେକ ସମସ୍ୟା ଦେଖା ଦେଉଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଆଧାର ନମ୍ୱରରେ ମୋବାଇଲ୍ ନମ୍ବର ଲିଙ୍କ କରିବା ବାଧ୍ୟତା ନଥିବା କଥା ବାରମ୍ବାର କୁହାଯାଉଥିବା ବେଳେ ଜନସେବା କେନ୍ଦ୍ରରେ ସୁଭଦ୍ରା ଆବେଦନ ସମୟରେ ଆଖି ସ୍କାନ କିମ୍ବା ଫିଙ୍ଗର ପ୍ରିଣ୍ଟ କରାଯାଇ ଆବେଦନ କରାଯିବା ନେଇ କୁହାଯାଉଥିଲେ ସୁଦ୍ଧା ତାହା ସଠିକ୍ ଭାବେ ଉପାନ୍ତ ଅଞ୍ଚଳରେ ରହୁଥିବା ମହିଳା ଙ୍କ ପାଖରେ ସୂଚନା ପହଞ୍ଚି ପାରୁ ନାହିଁ । ଫଳରେ ପୋଷ୍ଟାଲ , ଆଧାର କେନ୍ଦ୍ରରେ ନାହିଁ ନଥିବା ଭିଡ ହଉଚି । ଯୋଜନା ଆରମ୍ଭ କରିବା ପୂର୍ବରୁ ପ୍ରତ୍ୟେକ ଗାଁରେ ବିଭିନ୍ନ ମାଧ୍ୟମରେ ପ୍ରଥମେ ସଚେତନ କରାଯାଇ ତାପରେ ସୁଭଦ୍ରା ଯୋଜନା ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ଆଜି ହୁଏତ ମହିଳା ମାନେ ଠେଲାପେଲା କିମ୍ବା ନଖାଇପିଇ ପୋଷ୍ଟାଲ, ଆଧାର କେନ୍ଦ୍ର ଓ ବ୍ୟାଙ୍କ କାର୍ଯ୍ୟାଳୟରେ ଭିଡ କରିନ ଥାନ୍ତେ ବୋଲି ଅଞ୍ଚଳର ବୁଦ୍ଧିଜୀବୀ ମାନେ କହିଛନ୍ତି । ଏଣୁ ଏହି ଯୋଜନା ସମ୍ପର୍କରେ ଉପାନ୍ତ ତଥା ଅନ୍ୟ ଅଞ୍ଚଳର ମହିଳା ଙ୍କୁ ଅଧିକ ରୁ ଅଧିକ ସଚେତନ କରିବା ପାଇଁ ରାଜ୍ୟ ସରକାର ଅଧିକ ସଚେତନ କାର୍ଯ୍ୟକ୍ରମ କରିବା ଆବଶ୍ୟକ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି ।