ଢେଙ୍କାନାଳ,୦୫.୦୯(ଶୁଭମ ପାଣି): ଗୁରୁଦିବସ ପାଳନ ଉପଲକ୍ଷେ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପ୍ରାଙ୍ଗଣ ହୋଇଉଠିଥିଲା ଉତ୍ସବମୁଖର l ଭାରତୀୟ ପରମ୍ପରାରେ ଗୁରୁଙ୍କର ସ୍ୱତନ୍ତ୍ର ସ୍ଥାନ ରହିଛି ଯାହାକୁ ମର୍ମେ ମର୍ମେ ଉପଲବ୍ଧି କରିଥିଲେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ l ବିଦ୍ୟାଳୟ ମୁଖ୍ୟ ଫାଟକରୁ ସଭାଗୃହ ପର୍ଯ୍ୟନ୍ତ ସାଜସଜ୍ଜା ଥିଲା ଯେତିକି ସୁନ୍ଦର ସେତିକି ହୃଦୟସ୍ପର୍ଶୀ l ସକାଳ ପ୍ରାୟ ୯ ଘଟିକାରୁ ୧୦ ଘଟିକା ମଧ୍ୟରେ ଅତିଥିଭାବେ ଉପସ୍ଥିତ ହୋଇଯାଇଥିଲେ ବିଦ୍ୟାଳୟରୁ ଅତୀତରେ ଅବସର ନେଇଥିବା ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ମହାପାତ୍ର ଓ ବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ସଭାପତି ଶ୍ରୀମତୀ ଖୁର୍ଷିତା ବେଗମ l ବିଦ୍ୟାଳୟ ପରିସର ମଧ୍ୟରେ ଥିବା ବନବିଦ୍ୟାଳୟରେ ପଞ୍ଚସଖାଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣକରି ବରେଣ୍ୟ ଅତିଥୀଙ୍କ ସମେତ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କ ସଭା ଗୃହକୁ ପ୍ରବେଶ ହୋଇଥିଲା l ପ୍ରଥମେ ଶ୍ରୀ ଜଗନ୍ନାଥଙ୍କ ଦାରୁ ବିଗ୍ରହ ଓ ଡ଼ଃ. ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ପ୍ରତିଛବି ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ସଭା କାର୍ଯ୍ୟକୁ ଆରମ୍ଭ କରାଯାଇଥିଲା l ଅତିଥିମାନଙ୍କ ପରିଚୟ ପରେ ସେମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମିନତୀ ଦେହୁରୀ l ଏହି ଅବସରରେ ପିଲାଙ୍କ ଦ୍ୱରା ଆୟୋଜିତ ଗୁରୁପୂଜା କାର୍ଯ୍ୟକ୍ରମଟି ଥିଲା ଅତ୍ୟନ୍ତ ମନୋରମ l ପାରମ୍ପରିକ ରୀତିନୀତି ଅନୁସାରେ ସେମାନେ ଫୁଲ, ଚନ୍ଦନ, ସିନ୍ଦୁର, ଧୂପ ଓ ଦୀପ ଆଦି ଉପଚାର ମାଧ୍ୟମରେ ଗୁରୁପୂଜା କରି ଗୁରୁ ବନ୍ଦନା ଗାନ କରିଥିଲେ l ନିମନ୍ତ୍ରିତ ଅତିଥିମାନଙ୍କ ମଧ୍ୟରେ ଥିଲେ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷୟିତ୍ରୀ – ଶ୍ରୀମତୀ ଉର୍ମିଳା କର, ଶ୍ରୀମତୀ ସ୍ନେହଲତା ତ୍ରିପାଠୀ, ଶ୍ରୀମତୀ ଜୟନ୍ତୀ ରଥ, ଶ୍ରୀମତୀ ଗୀତାଞ୍ଜଳି ମିଶ୍ର l ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ପୂର୍ଣ୍ଣ ପ୍ରାଣ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ଓ ସୁନ୍ଦର ହୋଇପାରିଥିଲା l