ଦାରିଙ୍ଗବାଡିରେ ୮ମ ସମିତି ବୈଠକ, ପାନୀୟ ଜଳ ଓ ସ୍ବାସ୍ଥ୍ୟ ସେବା ନେଇ ତାତିଲେ ଜନ ପ୍ରତିନିଧି

ଦାରିଙ୍ଗବାଡି,୧୬/୮(ତରଣୀ ସାହୁ): ଦାରିଙ୍ଗବାଡି ବ୍ଲକ ସଭାଗୃହ ଠାରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ ଙ୍କ ଅଧ୍ୟକ୍ଷତା କ୍ରମେ ୮ମ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନୂତନ ଭାବେ ନିର୍ବାଚିତ ହୋଇଥିବା ଜି.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଏଥି ସହିତ ସାଂସଦ ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନ ଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରାଯାଇଥିଲା । ଜିପିଡିଓ ସୁରେଶ ପଣ୍ଡା ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ପ୍ରଥମେ ସ୍ବାସ୍ଥ୍ୟ ସେବା ବିଷୟରେ ଆଲୋଚନା ହୋଇଥିଲା । ସ୍ବାସ୍ଥ୍ୟ କେନ୍ଦ୍ରରେ ଶୌଚାଳୟ ତାଲା ପଡ଼ି ରହୁଥିବାରୁ ରୋଗୀ ତଥା ରୋଗୀ ସମ୍ପର୍କୀୟ ବହୁ ହଇରାଣ ହେଉଥିବା ସହ ଶୌଚାଳୟରେ ପାଣି ବ୍ୟବସ୍ଥା ନଥିବା ନେଇ ଜନ ପ୍ରତିନିଧି ମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ହାତୀମୁଣ୍ଡା ପଞ୍ଚାୟତ ଠାରେ ଥିବା ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ସିଏଚଓ ସଠିକ୍ ଭାବେ ଆସୁନଥିବା ଯୋଗୁଁ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇଥିବା ହାଟିମୁଣ୍ଡା ସରପଞ୍ଚ ଅଭିଯୋଗ କରିଥିଲେ। ଏହାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଥିଲେ । ଏହାପରେ ଶିକ୍ଷା ବିଭାଗ ଉପରେ ଆଲୋଚନା ହୋଇଥିଲା । ଦିନ କୁ ଦିନ ଶିକ୍ଷାର ମାନ ହ୍ରାସ ପାଉଥିବା ବେଳେ ଅନେକ ବିଦ୍ୟାଳୟର ଛାତ ଗଳୁ ଥିବା ସହ ଶିକ୍ଷକ ଅଭାବ ରହିଛି । ଏପରିକି ଅନେକ ବିଦ୍ୟାଳୟ ରେ ଶୌଚାଳୟ ନଥିବା ଅଭିଯୋଗ ହୋଇଥିଲା । ଦାରିଙ୍ଗବାଡି ବ୍ଲକରେ ୨୫ ଗୋଟି ପଞ୍ଚାୟତ ରହିଥିବା ବେଳେ ଆଜି ପର୍ଯ୍ୟନ୍ତ ଅନେକ ଗାଁ କୁ ପାଣି ଯୋଗାଣ ବ୍ୟବସ୍ଥା ହୋଇ ପାରି ନାହିଁ । ଯେଉଁ ଗାଁ କୁ ପାଣି ଯୋଗାଣ ହୋଇଛି ସେହି ଗାଁ ରେ ଘର କୁ ଘର ଜଳ ଯୋଗାଣ ବ୍ୟବସ୍ଥା କରାଯାଇନାହିଁ । ଏପରିକି ଜଳ ଯୋଗାଣରେ ବିଶୁଦ୍ଧ ଜଳ ନା ରେ ଗୋଳିଆ ପାଣି ଯୋଗାଣ ହେଉଥିବା ଅଭିଯୋଗ ହୋଇଥିଲା । ଅନେକ ସ୍ଥାନରେ ପାଇପ ଗୁଡ଼ିକ ଭାଙ୍ଗି ଯାଇଥିଲେ ସୁଦ୍ଧା ତାହା ସଠିକ୍ ଭାବେ ମରାମତି କରାଯାଉନଥିବା ରୁ ଜନ ପ୍ରତିନିଧି ମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ସିମନବାଡ଼ି ଠାରେ ଖାଲି ଥିବା ଏଲ୍ ଆଇ ପଦବୀ ପୁରଣ କରିବା, ବିହନ ବିଳମ୍ବରେ ପ୍ରଦାନ କରିବା ଭଳି ଅଭିଯୋଗ ହୋଇଥିଲା । ବିଭିନ୍ନ ବିଭାଗରୁ ଆସିଥିବା ଅଧିକାରୀ ମାନେ ନିଜ ନିଜ ବିଭାଗରେ ରହିଥିବା ସରକାରି ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । କୃଷି ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ଗାଁ ଗାଁ ରେ ଲୋକଙ୍କୁ ସଚେତନ କରିବାକୁ ବ୍ଲକ କୃଷି ଅଧିକାରୀ ଙ୍କୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ବିଡ଼ିଓ ଗଦାଧର ପାତ୍ର, ଉପାଧ୍ୟକ୍ଷା ସସ୍ମିତା ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ପ୍ରଧାନ, ଦୀପିକା ମୁଠାମାଝୀ, ଏପିଓ କେଦାର ଚନ୍ଦ୍ର ପଣ୍ଡା, ସିଡ଼ିପିଓ ସନ୍ଧ୍ୟାରାଣି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।