ଦାରିଙ୍ଗବାଡି,୧୩/୮(ତରଣୀ ସାହୁ): ଓଡ଼ିଶାରେ ପ୍ରଥମ ଥର ପାଇଁ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି ଠାରେ ଜଙ୍ଗଲ,ପରିବେଶ ଓ ଜଳବାୟୁ ବିଭାଗ ପକ୍ଷରୁ ଚେରି ବ୍ଲସମ୍ ଚାରା ରୋପଣ କରାଯାଇଛି । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମଙ୍ଗଳବାର ଦିନ ଦାରିଙ୍ଗବାଡି ଗସ୍ତ କରି ଉକ୍ତ ଚାରା ରୋପଣର ଶୁଭାରମ୍ଭ କରିଛନ୍ତି । ଜଙ୍ଗଲ ବିଭାଗ ପକ୍ଷରୁ ମେଘାଳୟର ସିଲଙ୍ଗ ରୁ ୧ ହଜାର ବ୍ଲସମ୍ ଚାରା ଅଣାଯାଇ ପରୀକ୍ଷା ମୂଳକ ଭାବେ ଦାରିଙ୍ଗବାଡିର ଫରେଷ୍ଟ କଟେଜ ଅଞ୍ଚଳରେ ଲଗାଯାଇଛି । ଯଦି ଏହା ସଫଳ ହୁଏ ତାହାଲେ ଆଗାମୀ ଦିନରେ ଦାରିଙ୍ଗବାଡି ଅଞ୍ଚଳର ବିଭିନ୍ନ ସ୍ଥାନରେ ଏହା ଲଗାଯିବ । ଉକ୍ତ ଗଛ ଥଣ୍ଡା ଜଳବାୟୁ ରେ ଅଞ୍ଚଳରେ ଦେଖିବାକୁ ମିଳିଥାଏ । ଜାପାନରେ ଏହା ଅଧିକ ଦେଖିବାକୁ ମିଳୁଥିବା ବେଳେ ଉକ୍ତ ଗଛର ଫୁଲ ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ବହୁ ଗୁଣିତ କରିଥାଏ । ଏହା ଲୋକଙ୍କ ମନରେ ଏକ ସକାରାତ୍ମକ ଭାବନା ସୃଷ୍ଟି କରିଥାଏ । ଦାରିଙ୍ଗବାଡି ଓଡ଼ିଶାର କାଶ୍ମୀର ହୋଇଥିବା ବେଳେ ଏହାକୁ ଆଖି ଆଗରେ ରଖି ଜଙ୍ଗଲ ବିଭାଗ ପକ୍ଷରୁ ଚେରି ବ୍ଲସମ୍ ଗଛ ରୋପଣ କରିବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ଆଗ୍ରହ ପ୍ରକାଶ କରିଛି । ଯଦି ଏହି ଗଛ ଉକ୍ତ ଅଞ୍ଚଳରେ ବଞ୍ଚିବ ତାହାଲେ ଲୋକେ ଜାପାନ ବଦଳରେ ଦାରିଙ୍ଗବାଡିକୁ ଆସି ଉକ୍ତ ଫୁଲକୁ ଦେଖି ଏହାର ସୌନ୍ଦର୍ଯ୍ୟ କୁ ଉପଭୋଗ କରିବେ । ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ରରେ ଏକ ନୂଆଁ ରେକର୍ଡ ସୃଷ୍ଟି କରିବ । ଚାରା ଲଗାଯିବା ପରେ ଏହାର ରକ୍ଷଣାବେକ୍ଷଣା ଜଙ୍ଗଲ ବିଭାଗ ପକ୍ଷରୁ କରାଯିବ । ଚାରା ରୋପଣ କରାଯିବାର ୭ ବର୍ଷ ପରେ ଫୁଲ ହେବ । ଫୁଲ ହେବା ସମୟରେ ଗଛ ରେ କୌଣସି ପତ୍ର ରହିବ ନାହିଁ । ମନ୍ତ୍ରୀ ଙ୍କ ଗସ୍ତ ସମୟରେ ଆରସିସିଏଫ ସଞ୍ଜୟ ସ୍ୱାଇଁ, ବାଲିଗୁଡା ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡା, କେନ୍ଦୁଲିଫ ବନଖଣ୍ଡ ଅଧିକାରୀ ଶରତ ମିଶ୍ର, ଏସିଏଫ ତଥା ଦାରିଙ୍ଗବାଡି ବନାଞ୍ଚଳ ଅଧିକାରୀ ସତିଶ ଧାରୁଆ, ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧିକାରୀ ହରିହର ବେହେରା, ବିଡ଼ିଓ ଗଦାଧର ପାତ୍ର, ଅତିରିକ୍ତ ତହସିଲଦାର କୃଷ୍ଣ ଚନ୍ଦ୍ର ନାୟକ, ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସମେତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ବିଜେପି ର କର୍ମକର୍ତ୍ତା ମାନେ ମନ୍ତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।