ଦାରିଙ୍ଗବାଡ଼ି,୨୯/୭(ତରଣୀ ସାହୁ): ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ରହିଥିବା ବୁଡ଼ାଗୁଡ଼ା ଓ କାଟିଙ୍ଗିଆ ଫାଣ୍ଡି ଏକାଧିକ ବର୍ଷ ହେଲା ବନ୍ଦ ଅବସ୍ଥାରେ ରହିଛି । ଫଳରେ ଅଞ୍ଚଳରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଯାଇଛି । ଆଇନ ଶୃଙ୍ଖଳା ପରିସ୍ଥିତି ତଦାରଖ ସହ ଲୋକଙ୍କ ସୁବିଧା ପାଇଁ ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବାଲିଗୁଡା ଥାନା ଅଧୀନ ବୁଡ଼ାଗୁଡ଼ା ଓ ବ୍ରାହ୍ମଣୀଗାଁ ଥାନା ଅଧୀନ କାଟିଙ୍ଗିଆ ଠାରେ ପୋଲିସ ଫାଣ୍ଡି ହୋଇଥିଲା । ତେବେ କାଟିଙ୍ଗିଆ ଫାଣ୍ଡି ଉପରେ ବାରମ୍ବାର ନକ୍ସଲ ଙ୍କ ଆକ୍ରମଣ ଯୋଗୁଁ ୨୦୦୭-୦୮ କନ୍ଧମାଳ ଦଙ୍ଗା ସମୟରେ ତାହା ବନ୍ଦ ହେବା ସହିତ ସେହି ନକ୍ସଲ ଓ ମାଓବାଦୀ ଙ୍କ ଭୟରେ ବୁଡ଼ାଗୁଡା ଠାରେ ନିର୍ମାଣ ହୋଇଥିବା ଫାଣ୍ଡି ଟିକୁ ମଧ୍ୟ ୨୦୧୭ ମସିହାରେ ବନ୍ଦ କରିଦିଆଯାଇଥିଲା । ଫଳରେ ବର୍ତ୍ତମାନ ବୁଡ଼ାଗୁଡା, ତିଲୋରୀ ଓ ଗୁମିକିଆ ପଞ୍ଚାୟତର ୧୫ ହଜାର ରୁ ଉର୍ଦ୍ଧ ଲୋକ କୌଣସି ଅପ୍ରିତିକର ପରିସ୍ଥିତି ହେଉ ଅବା ଚୋରି ଡକାୟତ ହେଲେ ୩୫ କିଲୋମିଟର ଯାଇ ବାଲିଗୁଡା ଥାନାରେ ଅଭିଯୋଗ କରୁଛନ୍ତି । ଏଭଳିକି ଫାଣ୍ଡି ବନ୍ଦ ରହିବା ଫଳରେ ବୁଡ଼ାଗୁଡ଼ା ରେ ରହିଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଏକାଧିକ ବାର କାନ୍ଥ ଭାଙ୍ଗି ଚୋରି ହୋଇଥିବା ବେଳେ ବୁଡ଼ାଗୁଡ଼ା ବଜାର ଉପରେ ଚୋରା ଦେଶୀ, ବିଦେଶୀ ଓ ଗଞ୍ଜେଇ କାରବାର ସହ ଜୁଆ ଖେଳ ବୃଦ୍ଧି ପାଉଛି । ଲୋକେ ମଦ ପିଇ ରାସ୍ତା ଘାଟ ରେ ଗଡିବା ସହ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । କିଛି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଲେ ପୋଲିସ ସଠିକ ସମୟରେ ପହଞ୍ଚି ପାରୁନାହିଁ । ଏଭଳି ଭାବେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ । ବୁଡ଼ାଗୁଡା ଠାରେ ଫାଣ୍ଡି ନିମନ୍ତେ ନୂତନ କୋଠା ନିର୍ମାଣ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଫାଣ୍ଡି ଖୋଲା ହେଉନଥିବା ଦେଖିବାକୁ ମିଳିଛି । ବୁଡ଼ାଗୁଡ଼ା,ଗୁମିକିଆ,ତିଲୋରୀ ପଞ୍ଚାୟତର ଅଞ୍ଚଳବାସୀ ଫାଣ୍ଡି ଖୋଲିବା ପାଇଁ ବାରମ୍ବାର କନ୍ଧମାଳ ଜିଲ୍ଲାପାଳ ଓ ଏସ. ପି ଙ୍କ ନିକଟରେ ଅଭିଯୋଗ କରିଥିଲେ ସୁଦ୍ଧା ଆଜି ଯାଏଁ ତାହା କାର୍ଯ୍ୟକ୍ଷମ ହେଉନଥିବା ଅଭିଯୋଗ ହୋଇଛି । ସେହିପରି କାଟିଙ୍ଗିଆ ଫାଣ୍ଡି ବାରମ୍ବାର ନକ୍ସଲ ଙ୍କ ଆକ୍ରମଣ ଯୋଗୁଁ ବନ୍ଦ ରହିଥିବା ବେଳେ ତାହା ଏବେ ଭୂତ କୋଠୀ ପାଲଟିଛି । ଏହି କିଛି ବର୍ଷ ହେବ ଅଞ୍ଚଳରେ ନକ୍ସଲ ଙ୍କ ପ୍ରାଦୃଭାବ ରହିନଥିବା ବେଳେ ଫାଣ୍ଡି ନଖୋଲିବା ଲୋକଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି । କାଟିଙ୍ଗିଆ ଓ କୁମ୍ଭାରିଗାଁ ପଞ୍ଚାୟତ ଅଞ୍ଚଳରେ କିଛି ବି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଲେ ଲୋକେ ଦୀର୍ଘ ୧୬ କିଲୋମିଟର ଆସି ବ୍ରାହ୍ମଣୀଗାଁ ଥାନାରେ ଲିଖିତ ଅଭିଯୋଗ କରିବାକୁ ପଡ଼ୁଛି । ଏଣୁ ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବୁଡ଼ାଗୁଡ଼ା ଓ କାଟିଙ୍ଗିଆ ଫାଣ୍ଡି ଖୋଲିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।