ସୁଲକ୍ଷଣାଦେବୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ଶପଥ ସପ୍ତାହ ପାଳନ

ଢେଙ୍କାନାଳ,୨୭.୦୭(ଶୁଭମ ପାଣି):ଆଜି ସୁଲକ୍ଷଣାଦେବୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ଥରୀୟ ଶିକ୍ଷା ଶପଥ ସପ୍ତାହ କାର୍ଯ୍ୟକ୍ରମର ଷଷ୍ଠ ଦିନରେ ଇକୋ କ୍ଲବ ଓ ପୋଷଣ ଦିବସ ପାଳନ ହୋଇଯାଇଛି l ସକାଳ ୯ ଘଟିକାରେ ଏହି କାର୍ଯ୍ୟକ୍ରମଟି ଆରମ୍ଭ କରାଯାଇଥିଲା l ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମିନତୀ ଦେହୁରୀଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟର ସଭା ଗୃହରେ ଏକ ବୈଠକର ଆୟୋଜନ କରାଯାଇଥିଲା l ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ମହାପାତ୍ର l ପ୍ରଥମେ ବିଦ୍ୟାଳୟର ପିଲାମାନେ ଶରୀରର ସଠିକ୍ ପୋଷଣ ନିମନ୍ତେ ହିତକର ଖାଦ୍ୟମାନ ପ୍ରଦର୍ଶନ କରିଥିଲେ ଏବଂ ନିଜେ ନିଜେ ଆଣିଥିବା ଖାଦ୍ୟ ପଦାର୍ଥର ଉପକାରିତା ସମ୍ପର୍କରେ ବୁଝାଇଥିଲେ l ଏହାପରେ ଇକୋ କ୍ଲବ୍ ର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ଆରମ୍ଭରୁ ଦଶମ ଶ୍ରେଣୀ ପିଲାମାନଙ୍କ ଦ୍ୱରା ଗଛର ଉପକାରିତା ଉପରେ ଏକ ସୁନ୍ଦର ସଂଗୀତ ଗାନ କରାଯାଇଥିଲା l ଭିନ୍ନ ଭିନ୍ନ ଗଛ ଯଥା ନିମ୍ବ, ତାଳ, ତୁଳସୀ ଇତ୍ୟାଦି ଗଛର ଉପକାରିତା ସମ୍ବନ୍ଧରେ ପିଲାମାନେ ନିଜର ବକ୍ତବ୍ୟ ରଖିଥିଲେ l ଏହାପରେ ଗଛର ଧରିତ୍ରୀ ପାଇଁ ଥିବା ଉପକାରିତା ବିଷୟରେ ଏକ ବକ୍ତୃତା ପ୍ରତିଯୋଗିତା କରାଯାଇ ବିଜେତା ମାନଙ୍କୁ ପୁରସ୍କୃତ କରାଯାଇଥିଲା l ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ଗଛର ଉପକାରିତା ସମ୍ପର୍କରେ ବିଷଦ ଆଲୋଚନା କରି ପିଲାମାନଙ୍କୁ ଗଛ ଲଗାଇବାପାଇଁ ପରାମର୍ଶ ଦେଇଥିଲେ l ସରକାରଙ୍କ ପ୍ରାୟୋଜିତ “ମା ପାଇଁ ଗଛଟିଏ” ର ନାରାରେ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ପରିଚାଳନା କମିଟିର ସଦସ୍ୟମାନେ ବିଦ୍ୟାଳୟର ଖୋଲା ପଡ଼ିଆରେ ନିମ୍ବ, ଅଁଳା ଓ ଆମ୍ବ ଇତ୍ୟାଦି ଗଛମାନ ଲଗାଇଥିଲେ l ସୂଚନା ଥାଉ କି ଏହି ସଭା ଗୃହରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାମାନଙ୍କ ପାଇଁ “ଆସ ଗପ ଶୁଣିବା ଓ କହିବା” କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା ଏଥିରେ କୁନି କୁନି ପିଲାମାନେ ଭାଗ ନେଇ ଗପ କହିଥିଲେ ଓ ଶୁଣି ଆନନ୍ଦିତ ହୋଇଥିଲେ l