ଉଲୁଣ୍ଡା,୧୮.୦୫(ଚୈତନ୍ୟ ଭୁକ୍ତା):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା କ୍ଷେତ୍ରର ବିଜେପି ବିଧାୟକ ପ୍ରାର୍ଥୀ ଇଂ ରଘୁନାଥ ଜଗଦଲା ଶୁକ୍ରବାର ସନ୍ଧ୍ୟାରେ ଏକ ବିରାଟ ରୋଡ ସୋ’ରେ ସାମିଲ ହୋଇଛନ୍ତି। ଏହି ରୋଡ୍ ସୋ’ ମାଧ୍ୟମରେ ସେ ଶକ୍ତି ପ୍ରଦର୍ଶନ କରିଛନ୍ତି। ଏଥି ସହିତ ଉପଖଣ୍ଡ ସଦରମହକୁମାର ମୁଖ୍ୟ ଛକରେ ପଥପ୍ରାନ୍ତ ସଭାରେ ବିଜେଡିକୁ କଡ଼ା ସମାଲୋଚନା କରିଛନ୍ତି। ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୨୦ ତାରିଖରେ ହେବାକୁ ଥିବା ମତଦାନର ପ୍ରଚାର ଶେଷ ପର୍ଯ୍ୟାୟରେ ଥିବା ବେଳେ ଆଜି ବିଜେପି ତରଫରୁ ବୀରମହାରାଜପୁର ବିଧାୟକ ପ୍ରାର୍ଥୀ ଶ୍ରୀ ଜଗଦଲା ଦଳୀୟ କର୍ମୀ ଏବଂ ସମର୍ଥିତ ଭୋଟରଙ୍କୁ ନେଇ ଏକ ବିରାଟ ପଟୁଆରେ ସହରରେ ରୋଡ ସୋ’ କରିବା ସହିତ ମୁଖ୍ୟଛକରେ ଏକ ସଭାର ଆୟୋଜନ କରିଥିଲେ। ସଭାରେ ସେ ବର୍ତ୍ତମାନର ବିଧାୟକଙ୍କୁ ଟାର୍ଗେଟ କରିଥିଲେ। ନିର୍ବାଚନ ମଣ୍ଡଳୀର ବାହାର ଲୋକ ସହିତ ଜିଲ୍ଲାର ମଧ୍ୟ ବାହାର ଲୋକ ହୋଇଥିବାରୁ ବୀରମହାରାଜପୁର ବିକାଶ ପାଇଁ କିଛି ଚେଷ୍ଟା କରି ନାହାନ୍ତି। ୧୫ ବର୍ଷ ଧରି ବିଧାୟକ ହୋଇ ମଧ୍ୟ ଚାଷ ଜମିକୁ ପାଣି ଦେବାରେ ବିଫଳ ହେବା ଅଞ୍ଚଳବାସୀଙ୍କ ପାଇଁ ପ୍ରତାରଣା ବୋଲି କହିଥିଲେ।