🩸ପୁନେରେ ଓଡ଼ିଆଙ୍କ ଦ୍ୱାରା ଭବ୍ୟ ରକ୍ତଦାନ ଶିବିର ଆୟୋଜିତ🩸

ରକ୍ତ ଦାନ ମହାପୂଣ୍ୟ , ଏହି ମହାଦାନର ମୂଲ୍ୟ ଅକଳ୍ପନୀୟ ଓ ଅତୁଳନୀୟ । ବିନ୍ଦୁଏ ରକ୍ତ କଣିକା ଅନ୍ୟ ଏକ ଜୀବନକୁ ବଞ୍ଚାଇପାରେ । ଆବଶ୍ୟକ ଅନୁଯାଇ ଆପାତକାଳରେ ଟୋପାଏ ରକ୍ତର ମହତ୍ତ୍ୱ କେବଳ ଶଯ୍ୟାସାୟି ହୋଇ ମୃତ୍ୟୁମୁଖରେ ସଂଗ୍ରାମ କରୁଥିବା ବ୍ୟକ୍ତି ହିଁ ବୁଝିପାରିଥାଏ ଯେ ବିନ୍ଦୁଏ ରକ୍ତର ମୂଲ୍ୟ କେତେ । ଜଣେକେହି ରକ୍ତ ଦେଲେ ଅନ୍ୟ କାହାକୁ ମିଳିଥାଏ । ଜାଣତରେ ହେଉ ଅବା ଅଜାଣତରେ ନିଜ ରକ୍ତ ଅନ୍ୟର ଶିରା ପ୍ରଶିରାରେ ପ୍ରବାହିତ ହୋଇ କାହାର ଉପଚାର ହୋଇପାରିଥାଏ । ସମୟ ଅନୁସାରେ ରକ୍ତର ଅଭାବକୁ କେବେହେଲେ ଅର୍ଥରେ ମାପିହୁଏନାହିଁ । ପ୍ରଚୁର ଧନ ସମ୍ପତ୍ତି ଥାଇ ମଧ୍ୟ ଯଦି କେହି ଦାନ ନକରେ ତେବେ ରକ୍ତ ପାଇବା ଅସମ୍ଭବ ଓ କଷ୍ଟସାଧ୍ୟ ହୋଇଥାଏ । ଏହି ପରିପ୍ରେକ୍ଷିରେ ପୁନେରେ ଥିବା ଓଡ଼ିଆ ସଂଗଠନ ସ୍ପ୍ରେଡ୍ ହେପିନେସ୍ ଫାଉଣ୍ଡେସନ୍ , ବନ୍ଦେ ଉତ୍କଳ ଭାରତୀ, ସରସ୍ୱତୀ ପୂଜା ସମିତି ଓ ମହାରାଷ୍ଟ୍ରର ଇକୋଗ୍ରାମ ସୋସାଇଟି ର ମିଳିତ ଆନୁକୂଲ୍ଯରେ ଛତ୍ରପତି ଶିବାଜୀ ମହାରାଜଙ୍କ ଜନ୍ମଜୟନ୍ତି ଓ ନାରୀଙ୍କ ସମାଜ ପ୍ରତି ଅତୁଳନୀୟ ଅବଦାନର ଦିବସ ବିଶ୍ୱ ମହିଳା ଦିବସ ଅବସରରେ ମାର୍ଚ୍ଚ ୧୦ ତାରିଖ ରବିବାର ଦିନ ମହାରାଷ୍ଟ୍ରର ପୁନେ ଜିଲ୍ଲାର ଶିକ୍ରାପୁର ଠାରେ ଏକ ଭବ୍ୟ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶତାଧିକ ସ୍ୱେଚ୍ଛାସେବୀ ଆସି ଏହି କାର୍ଯ୍ୟରେ ଭାଗ ନେଇଥିଲେ ଓ ରକ୍ତଦାନ କରିଥିଲେ । ସ୍ପ୍ରେଡ୍ ହେପିନେସର ମୁଖ୍ୟ ସଞ୍ଚାଳକ ଓ ଅଧକ୍ଷ ସୌମ୍ୟ ରଞନ ମହାପାତ୍ର , ସ୍ଥାନୀୟ ସରପଞ୍ଚ , ସମାଜସେବୀ ଓ ବହୁ ପ୍ରତିଷ୍ଠିତ ବ୍ୟକ୍ତି ମାନେ ଉପସ୍ଥିତ ରହି ଏହି ରକ୍ତଦାନ ସମାରୋହକୁ ସାଫଲ୍ୟମଣ୍ଡିତ କରିଥିଲେ ଓ ଶିବାଜୀ ମହାରାଜଙ୍କ ମୂଳମନ୍ତ୍ରରେ ଅନୁପ୍ରାଣିତ ହୋଇ ଏକତ୍ରିତଭାବେ ସଂଗଠିତ ହୋଇ ଅନ୍ୟାୟ ବିରୋଧରେ ସଂଗ୍ରାମ କରିବା ଓ ତାଙ୍କର ନୀତି ଆଦର୍ଶକୁ ପାଥେୟ କରି ଏକତାବଦ୍ଧ ହୋଇ ଅଗ୍ରସର ହେବାର ସଂକଳ୍ପ ନେଇଥିଲେ । ସଂଗଠନର ମୂଖ୍ୟ ସୌମ୍ୟ ରଞ୍ଜନ ମହାପାତ୍ର ଏହାର ଅଧ୍ୟକ୍ଷତା କରିଥିଲେ । ସମସ୍ତ ସଦସ୍ୟମାନେ କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକା ଲିଭାଇଥିଲେ ଓ ଏହି କାର୍ଯ୍ୟକୁ ସୁଚାରୁ ରୂପେ ସୁବ୍ୟବସ୍ଥିତ ଭାବରେ ପରିଚାଳିତ କରିଥିଲେ । ଇକୋଗ୍ରାମ ସୋସାଇଟିର କାର୍ଯ୍ୟର୍କର୍ତ୍ତାମାନେ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ଏଥିରେ ସହୋଯଗ କରିଥିଲେ । ପ୍ରାରମ୍ଭରେ ଶିବିରରେ ଛତ୍ରପତି ଶିବାଜୀ ମହାରାଜାଙ୍କ ମୂର୍ତ୍ତିର ପୂଜା ଓ ମାଲ୍ୟାର୍ପଣ ପରେ ରାଷ୍ଟ୍ରସଂଗୀତ ଗାନ କରି ରକ୍ତ ଦାନର ପ୍ରାରମ୍ଭ ହୋଇଥିଲା । ରକ୍ତଦାନର ମହତ୍ତ୍ୱ ଓ ଫାଇଦାକୁ ଅବଗତ କରାଇ ସମସ୍ତଙ୍କୁ ଉତ୍ସାହିତ କରାଯାଇଥିଲା । ରକ୍ତ ଦାନ ପରି ମହତ ଦାନ କରୁଥିବା ଦାତାଙ୍କୁ ସ୍ୱାଗତ ଜଣାଇ ସେମାନଙ୍କ ମାନବିକତାକୁ ଧନ୍ୟବାଦ ଜଣାଇ, ଅନ୍ତିମରେ ସମସ୍ତଙ୍କୁ ସସମ୍ମାନର ସହିତ ମାନପତ୍ର ସହିତ ସାନ୍ତ୍ୱନା ମୂଳକ ଉପହାର ପ୍ରଦାନ କରାଯାଇଥିଲା । ସମସ୍ତଙ୍କ ପାଇଁ ଉତ୍ତମ ଜଳପାନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ସ୍ପ୍ରେଡ୍ ହେପିନେସ୍ ଫାଉଣ୍ଡେସନ୍ ମହାରାଷ୍ଟ୍ର ସରକାରଙ୍କ ଦ୍ୱାର ପଞ୍ଜିକୃତ ଏକ ସ୍ୱେଚ୍ଛାସେବୀ ସଂଗଠନ । ବିଗତ ଦିନରୁ ପ୍ରବାସୀ ଓଡ଼ିଆ ଓ ଅଣ ଓଡ଼ିଆଙ୍କ ସର୍ବାଙ୍ଗୀନ ହିତ ଓ ସମାଜ କଲ୍ୟାଣ ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାର ମଙ୍ଗଳକର କାର୍ଯ୍ୟମାନ କରିଆସୁଅଛି । ସଂଗଠନର ସମାଜ ପ୍ରତି ନିସ୍ୱାର୍ଥପୂର୍ଣ୍ଣ ସେବା ଓ ଜନହିତକର କାର୍ଯ୍ୟକଳାପକୁ ଦର୍ଶାଇ ପ୍ରବାସୀ ଓଡ଼ିଆଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ଓ ଜୀବନ ବୀମାର ଆବଶ୍ୟକତାକୁ ବିସ୍ତୃତ ଭାବରେ ପର୍ଯ୍ୟାଲୋଚନା କରି ସମସ୍ତଙ୍କୁ ସୁଲଭ ଦୁର୍ଘଟଣା ବୀମା ପ୍ରଦାନ କରାଯାଇଛି । ସମସ୍ତ ସଦସ୍ୟଙ୍କ ଉଦ୍ୟମ ଏବଂ ପୁନେର ପୁରନ୍ଦର ବ୍ଲଡ ସେଣ୍ଟର ସହୋଯଗରେ ସଫଳ ରକ୍ତଦାନ ସମ୍ପନ୍ନ ହୋଇଛି । ଏହି କାର୍ଯ୍ୟକ୍ରମରେ ସମସ୍ତ ଓଡ଼ିଆଙ୍କ ସ୍ୱଚ୍ଛଳ ମନଭାବ, କାର୍ଯ୍ୟଶୈଳି, ସଦଭାବନା ଓ ଜନସ୍ୱାର୍ଥ ଉଦ୍ଦେଶ୍ୟରେ ସମସ୍ତପ୍ରକାର କାର୍ଯ୍ୟକଳାପରେ ସନ୍ତୁଷ୍ଟିତ ହୋଇ ଉପସ୍ଥିତ ମାନ୍ୟଗଣ ବ୍ୟକ୍ତିବିଶେଷମାନେ ପ୍ରଶଂସିତ କରିବା ସହିତ ଧନ୍ୟବାଦର ପାତ୍ର ବୋଲି ସମ୍ବୋଧିତ କରିଥିଲେ । ସ୍ଥାନୀୟ ଜନସାଧାରଣ ଓ ବିଭିନ୍ନ ସଂସ୍ଥାନ ମାନେ ସ୍ପ୍ରେଡ୍ ହେପିନେସର ସମାଜପ୍ରତି ହିତ ସାଧନା ଉଦ୍ଦେଶ୍ୟରେ ସମସ୍ତ ସଦସ୍ୟ ମାନଙ୍କର ଆଗ୍ରହ ଓ ସ୍ପୃହାରେ ସନ୍ତୁଷ୍ଟିତ ହୋଇ ବହୁତ ପ୍ରଶଂସା ପ୍ରାଦାନ କରିଥିଲେ । ପ୍ରତ୍ୟେକ ନାଗରିକ ନିଜ ଭିତରେ ଥିବା ମାନବିକତାକୁ ପ୍ରକଟ କରି ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଯଥାସମ୍ଭବ କିଛିନା କିଛି କାର୍ଯ୍ୟ କରିବା ଉଚିତ । ଏଥିପାଇଁ ସଂଗଠନ ତରଫରୁ ସମସ୍ତଙ୍କୁ ଆଗ୍ରହର ସହିତ ଆହ୍ୱାନ କରାଯାଇଥିଲା ଓ ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ଜ୍ଞାପନ କରାଯାଇଥିଲା ।