ରାୟଗଡା,୧୦.୦୩(ଅମୂଲ୍ୟ ନିଶଙ୍କ):କୋଲନରା ବ୍ଲକ ଅନ୍ତର୍ଗତ କେଲିଗୁଡା ଗ୍ରାମ ପଞ୍ଚାୟତର ପୂଜାରୀଗୁଡା ଗ୍ରାମକୁ ଆଜି ଗସ୍ତ କରି ବିଷମକଟକ ନିର୍ବାଚନ ମଣ୍ଡଳୀର କଂଗ୍ରେସ ଦଳର ଆଶାୟୀ ବିଧାୟକ ପ୍ରାର୍ଥୀ ନୀଳମାଧବ ଉଲାକା ଓ ବ୍ଲକ ଯୁବ କଂଗ୍ରେସ ସଭାପତି ନରେନ୍ଦ୍ର ନିଶାଲ କଂଗ୍ରେସ ଦଳର ସାଙ୍ଗଠନିକ ବିଷୟରେ ଆଲୋଚନା କରିବା ସହ କଂଗ୍ରେସ ଦଳକୁ କିପରି ସୁଦୃଢ଼ କରାଯିବ ସେ ନେଇ ଆଲୋଚନା କରିଥିଲେ | ଉକ୍ତ ଗ୍ରାମର ଉଭୟ ମହିଳା, ପୁରୁଷ ଓ ଯୁବଗୋଷ୍ଠୀ ମାନଙ୍କୁ ଭେଟି ଗ୍ରାମରେ ଥିବା ବିଭିନ୍ନ ସମସ୍ୟା ଏବଂ ଲୋକଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିବା ସହ କଂଗ୍ରେସ ଦଳକୁ ପୁନର୍ବାର କିପରି ଗ୍ରାମାଞ୍ଚଳରୁ ମଜବୁତ କରାଯାଇ ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ଅଧିକରୁ ଅଧିକ ଭୋଟରେ ବିଜୟୀ କରାଯିବ ସେ ନେଇ ଆଲୋଚନା କରିଥିଲେ | ବିଜେଡି ସରକାରଙ୍କ ଦୀର୍ଘ ୨୫ ବର୍ଷର ଶାସନ କାଳରେ ଆଜି ମଧ୍ୟ ଉକ୍ତ ଅଞ୍ଚଳରେ ପାନୀୟ ଜଳ, ରାସ୍ତା ଘାଟ ସହ ବିଭିନ୍ନ ସମସ୍ୟା ଲାଗି ରହିଥିବା ବେଳେ ବହୁ ଗରିବ ଶ୍ରେଣୀର ଲୋକେ ଆବାସ ଗୃହ କିମ୍ବା ବିଜୁ ପକ୍କାଘର ପାଇବାରୁ ବଞ୍ଚିତ ରହିଛନ୍ତି | ବିକାଶର କଥା କହି ଡିଣ୍ଡିମା ପିଟୁଥିବା ରାଜ୍ୟ ସରକାର ଏବଂ କେନ୍ଦ୍ରରେ ଶାସିତ ବିଜେପି ସରକାର କେବଳ ଗରିବ ମାରଣ ନୀତି ଉପରେ କାର୍ଯ୍ୟ କରୁଛନ୍ତି | କଂଗ୍ରେସ ଅମଳରେ ଯେତିକି ସବୁ ଯୋଜନା ପ୍ରଣୟନ ହୋଇଥିଲା ସେଗୁଡିକୁ କେବଳ ନାମ ପରିବର୍ତ୍ତନ କରି ଉଭୟ ସରକାର ବାହାବା ନେଉଥିବା ଦେଖିବାକୁ ମିଳୁଛି | ଯଦି ସମ୍ପୂର୍ଣ ବିକାଶ କହିଲେ କେବଳ କଂଗ୍ରେସ ହିଁ କରିପାରିବ ବୋଲି ଶ୍ରୀ ଉଲାକା କହିଥିଲେ | ପରେ ଉକ୍ତ ଗ୍ରାମରେ ଆୟୋଜିତ ଏକ ବୈଠକରେ ଯୋଗ ଦେଇ ଲୋକଙ୍କୁ କଂଗ୍ରେସ ଦଳକୁ ମଜବୁତ୍ କରିବା ଦିଗରେ ସହଯୋଗ କରିବାକୁ ଆହ୍ବାନ ଦେଇଥିଲେ | ଏଥିରେ ପୂଜାରୀଗୁଡା ଗ୍ରାମର ବବି ପେରିସିକା, ଶିବ ହିମିରୀକା, ଲେଙ୍ଗୁ ମିଣିଆକା, ରମେଶ ରୁସେସଙ୍ଗ, ଗୋପାଳ ପେରିସିକା, ହିରଦାସ ପେରିସିକା ଓ ନକୁଳ ପେରିସିକାଙ୍କ ସମେତ ବହୁ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ରହିଥିଲେ |