ବାଲିଗୁଡା,୦୯.୦୩(ସଞ୍ଜୟ କୁମାର ପାଣିଗ୍ରାହୀ): ବନାଗ୍ନି ନିବାରଣ ଓ ନିରାକରଣ ପାଇଁ ଗଡ଼ିଲା ସଚେତନତା ରଥ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧିକାରୀ ବିଶ୍ବରାଜ ପଣ୍ଡା ସବୁଜ ପତାକା ଦେଖାଇ ରଥର ଶୁଭାରମ୍ଭ କରିଛନ୍ତି । ସାଧାରଣତଃ ଖରାଦିନେ ଜଙ୍ଗଲରେ ନିଆଁ ଲାଗେ । ଫଳରେ ବହୁ ମୁଲ୍ୟବାନ ଗଛ ନଷ୍ଟ ହେବାସହ ଜଙ୍ଗଲି ଜନ୍ତୁଙ୍କ ପ୍ରାଣହାନୀ ମଧ୍ୟ ଘଟିଥାଏ । ଏଣୁ ଖରାଦିନ ପୁର୍ବରୁ ଗାଁ ଗାଁ ରେ ବୈଠକ କରିବା ସହ ପଥପ୍ରାନ୍ତ ନାଟକ ମାଧ୍ୟମରେ ଅଞ୍ଚଳବାସୀଙ୍କୁ ସଚେତନ କରାଯାଇଛି । ବର୍ତ୍ତମାନ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବନଖଣ୍ଡର ସାତୋଟି ବନାଞ୍ଚଳ ବାଲିଗୁଡ଼ା,କ.ନୁଆଗାଁ, ବ୍ରାହ୍ମଣୀଗାଁ, ଦାରିଙ୍ଗିବାଡ଼ି,କୋଟଗଡ଼, ତୁମୁଡ଼ିବନ୍ଧ ଓ ବେଲଘର ବନାଞ୍ଚଳର ଗଳି କନ୍ଦିରେ ବୁଲିବ ଏହି ସଚେତନତା ରଥ । ଏଥିରେ କୁଇ ଭାଷାରେ ସଂଯୋଜିତ ଗୀତ ମାଧ୍ୟମରେ ଜଙ୍ଗଲରେ ନିଆଁ ନ ଲଗାଇ ବାକୁ ପରାମର୍ଶ ଦେବା ସହ ଅଞ୍ଚଳବାସୀଙ୍କୁ ଆଉ ଟିକେ ଅଧିକ ସଚେତନତା କରିବା ଏବଂ ଜଙ୍ଗଲରେ ନିଆଁ ଲାଗିଲେ ବିଭାଗକୁ ସୂଚନା ଦେବା ସହ ନିଜ ଅଞ୍ଚଳର ଜଙ୍ଗଲକୁ ସୁରକ୍ଷା ଦେବା କଥା କୁହାଯାଇଛି । ବାଲିଗୁଡ଼ା ବନଖଣ୍ଡର ସବୁଜ ସୁନ୍ଦର ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ପକ୍ଷରୁ ଏହା ଅନ୍ୟ ଏକ ପଦକ୍ଷେପ ବୋଲି ବନଖଣ୍ଡ ଅଧିକାରୀ ବିଶ୍ବରାଜ ପଣ୍ଡା ପ୍ରକାଶ କରିଛନ୍ତି ।