ଢେଙ୍କାନାଳ,୧୦/୨(ଶୁଭମ ପାଣି): ଅଦ୍ୟ ସ୍ଥାନୀୟ ଯାଉଁଳି ପୋଖରୀ ମଠ ପ୍ରାଙ୍ଗଣରେ ନିଖିଳ ଓଡିଶା ଅଙ୍ଗନଓ୍ବାଡି କର୍ମୀ ସଂଘର ଜିଲ୍ଲା କମିଟି ବୈଠକ ସୁଫଳା ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ତଥା ଏ.ଆଇ.ଟି.ୟୁ.ସି.ର ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନା ଯୋଗଦେଇ ଆସନ୍ତା ୧୬ ତାରିଖରେ ହେବାକୁ ଯାଉଥିବା ସର୍ବଭାରତୀୟ ଧର୍ମଘଟ ଉପରେ ବକ୍ତବ୍ୟ ରଖୁଥିଲେ । ରାଜ୍ୟ ସାଧାରଣ ସମ୍ପାଦିକା ହରପ୍ରିୟା ସାଇଁ ଯୋଗଦେଇ ଅଙ୍ଗନୱାଡି କର୍ମୀଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ । ବଜାର ଦର ହୁହୁ ହୋଇ ବଢୁଥିବା ସ୍ଥଳେ ଅଙ୍ଗନଓ୍ବାଡି କେନ୍ଦ୍ରର ରନ୍ଧନ ଖାଦ୍ୟ ଓ ବଂଟନ ଖାଦ୍ୟ ଦର ପୂର୍ବ ଭଳି ବଜାୟ ରହୁଅଛି। ତେଣୁ କର୍ମୀମାନେ ବହୁ ସମସ୍ୟାର ସମୁଖୀନ ହେଉଛନ୍ତି । ଅଣ୍ଡା ଦର ବଜାରରେ ବର୍ତମାନ ଗୋଟା ପ୍ରତି ୮ ଟଙ୍କା ଥୁଲାବେଳେ ସରକାର ୫ ଟଙ୍କା ୫୦ ପଇସା ଦେଉଛନ୍ତି । ତେଣୁ କର୍ମୀ କି ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା କେବଳ ସେ ନିଜେ ହିଁ କହିପାରିବେ ବୋଲି ମତବ୍ୟକ୍ତ ଦେଇଥିଲେ । ଜିଲ୍ଲା ସମ୍ପାଦିକା ମଳୟ ମଞ୍ଜରୀ ଜେନା କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ । ଏ.ଆଇ.ଟି.ୟୁ.ସି. ଜିଲ୍ଲା ସଭାପତି ରବି ରଥ ଯୋଗଦେଇ ୧୬ ତାରିଖରେ ହେବାକୁ ଯାଉଥିବା ଆନ୍ଦୋଳନକୁ ସଫଳ କରିବା ପାଇଁ ଆହ୍ବାନ ଦେଇ ଜିଲ୍ଲାର ଶ୍ରମଜିବୀ ଜନଗଣଙ୍କୁ ଆହ୍ବାନ ଦେଇଥିଲେ। ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମାମିନା ମହାପାତ୍ର, ମେହେମୁଦା ବେଗମ୍, ଭରତୀ ନାୟକ, ସୁମତି ସାହୁ, ଲକ୍ଷ୍ମୀପ୍ରିୟା ସାହୁ, କଳ୍ପନା ସାହୁ, ବିଜୟଲକ୍ଷ୍ମୀ ସାହୁ, ନିରାସୀ ବେହେରା, ପ୍ରିୟମ୍ବଦା ମହାପାତ୍ର, ତୃପ୍ତିମାଳା ପଣ୍ଡା, ପ୍ରଭାତି ସାହୁ ପ୍ରମୁଖ ଯୋଗଦେଇଥିଲେ ।