ଟିକିରି,(ପ୍ରଫୁଲ କୁମାର ବେହେରା) ରିଖ ଶନିବାର ଦିନ ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକ୍ ଅଧିନସ୍ଥ ଓଷାପଡା ସ୍ଥିତ ଆଦିତ୍ୟ ବିର୍ଲ୍ଲା ପବ୍ଲିକ ସ୍କୁଲ ପରିସରରେ ଅଧ୍ୟକ୍ଷା ସୁଶ୍ରୀ ରିଙ୍କୁ ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟର ବାର୍ଷିକୋତ୍ସବ ‘ରିସ୍ତେ ‐ ଏକ୍ ଅନୋଖା ଏହସାସ୍’ ମହା ଆଡମ୍ୱରରେ ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ଓ ଆଦିତ୍ୟ ଆଲୁମିନାର ୟୁନିଟ ହେଡ୍ ତଥା ସଭାପତି ଶ୍ରୀଯୁକ୍ତ ମଜହର୍ ଉଲ୍ଲା ବେଗଙ୍କ କରକମଳରେ ବୃକ୍ଷରୋପଣପୂର୍ବକ ଏହି ଉତ୍ସବର ଅୟମାରମ୍ଭ କରାଯାଇଥିଲା । ଏହି ଉତ୍ସବରେ ଅନ୍ୟାନ୍ୟ ସମ୍ମାନନୀୟ ଅତିଥିମାନଙ୍କ ମଧ୍ୟରେ ଉତ୍କଳିନା ମହିଳା ସମିତି ସଭାନେତ୍ରୀ ତଥା ବିଦ୍ୟାଳୟ ପରିଚାଳନା କମିଟିର ସଂରକ୍ଷକ ଶ୍ରୀମତୀ ହିନା ବେଗ୍ , ଉତ୍କଳ ଆଲୁମିନାର ସହଯୋଗୀ ସଭାପତି ଶ୍ରୀଯୁକ୍ତ କୌଶିକ ଶରଣ ମିଶ୍ର , ମାନବ ସମ୍ୱଳ ବିକାଶ ମୁଖ୍ୟ ଶ୍ରୀଯୁକ୍ତ ବିଜୟା କୁମୁରା, ସିକ୍ୟୁରିଟି ବିଭାଗ ମୁଖ୍ୟ ଲେଫ୍ଟେନାଣ୍ଟ କର୍ଣ୍ଣଲ ଶ୍ରୀଯୁକ୍ତ ଶକ୍ତି ସିଂହଙ୍କ ସହିତ ଅନ୍ୟାନ୍ୟ ମାନ୍ୟଗଣ୍ୟ ଅତିଥି ଯୋଗଦାନ କରି ନିଜ ନିଜର ଅଭିଭାଷଣ ପ୍ରଦାନ ପୂର୍ବକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।
ବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ରିଙ୍କୁ ବାନାର୍ଜୀ ଏହି ଅବସରରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଶିକ୍ଷାବର୍ଷରେ ଶିକ୍ଷା , କ୍ରୀଡା , ବିଜ୍ଞାନ , ସାଂସ୍କୃତିକ ଓ ବୈଷୟିକ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ମାନନୀୟ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇ ସମ୍ୱର୍ଦ୍ଧିତ କରାଯାଇଥିଲା । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ " ରିସ୍ତେ ‐ ଏକ୍ ଅନୋଖା ଏହସାସ୍" ଭଳି ସ୍ୱତନ୍ତ୍ର ବିଷୟବସ୍ତୁକୁ ଆଧାର କରି ଅନୁଷ୍ଠିତ ହୋଇଯାଇଛି ଏ ବର୍ଷର ବାର୍ଷିକୋତ୍ସବ । " ରିସ୍ତେ ‐ ଏକ୍ ଅନୋଖା ଏହସାସ୍" ସହିତ ଜଡିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା । ପରିବେଷଣ କରାଯାଇଥିବା କାର୍ଯ୍ୟକ୍ରମଗୁଡିକ ଏପରି ପରିକଳ୍ପନା କରାଯାଇଥିଲା ଯେ ବିଦ୍ୟାଳୟର ଅଧିକାଂଶ ଛାତ୍ରଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ମୁଖ୍ୟ ଅତିଥି , ସମ୍ମାନୀୟ ଅତିଥିମାନଙ୍କୁ ଓ ଉପସ୍ଥିତ ସମସ୍ତ ଅଭିଭାବକମାନଙ୍କୁ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଜୀବାନନ୍ଦ ଦାଶଙ୍କ ଧନ୍ୟବାଦ ଅର୍ପଣ ପରେ ଜାତୀୟ ସଙ୍ଗୀତ ଗାନ ସହିତ ଉତ୍ସବର ପରିସମାପ୍ତି ହୋଇଥିଲା ।