ବ୍ରହ୍ମପୁର,୨୦/୧୧(ଶ୍ରୀକାନ୍ତ କୁମାର ବେହେରା)- ନିଜ ଖାଦ୍ୟ ଓ ଫସଲ ଉପୁଯାଉଥିବା ଏବଂ ଅନ୍ୟକୁ ଖାଦ୍ୟ ଯୋଗାଉଥିବା ସ୍ବାଭିମାନର ପ୍ରତୀକ ଚାଷୀ ଏବଂ ତାର ଚାଷ ଆଜି ପ୍ରକୃତି, ପରିବେଶ ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ଚାପଗ୍ରସ୍ତ ଓ ବିପର୍ଯ୍ୟସ୍ତ। କିନ୍ତୁ ପ୍ରକୃତିର ତାଡନାଠୁ ବଳି ପଡୁଛି କୃଷି ଓ କୃଷକଙ୍କ ପ୍ରତି ସରକାରଙ୍କ ମନୋଭାବ ଏବଂ ଆଭିମୁଖ୍ୟ। କୃଷି ପାଇଁ ଆବଶ୍ୟକ ସାଧନ ଓ କୃଷକ ଭୋଗୁଥିବା ମୌଳିକ ସମସ୍ୟା ଗୁଡ଼ିକୁ ସମାଧାନ ଏବଂ ଦୃଷ୍ଟି ଦେବା ବଦଳରେ ସରକାର କାଳିଆ ବଳିଆ ପ୍ରଭୁତି ଯୋଜନା ମାଧ୍ୟମରେ ଚାଷିକୁ ସରକାରଙ୍କ ହାତଟେକା ସାହାର୍ଯ୍ୟ ଉପରେ ନିର୍ଭର କରିବାକୁ ବାଧ୍ୟ କରି ସ୍ବାଭିମାନ ହୀନ ଜୀବନ ଯାପନ କରିବାକୁ ଅସହାୟ ହେଇଯାଉଚି।ସରକାରଙ୍କ ଏହି ପ୍ରକାର କାକତାଳୀୟ ପଦକ୍ଷେପ ଯୋଗୁଁ କେବଳ ଚାଷର କ୍ଷତିଗ୍ରସ୍ତ ହେଉନି ବରଂ ଚାଷୀର ନିୟମିତ ଆୟ ଏବଂ ଦୀର୍ଘକାଳୀନ ଆର୍ଥିକ ବିକାଶ ମଧ୍ୟ ବାଧା ପ୍ରାପ୍ତ ହେଉଛି।ଗଞ୍ଜାମ ଜିଲ୍ଲାରେ ପର୍ଯ୍ୟାପ୍ତ ଜଳସେଚନର ଅଭାବ,ଲିଫ୍ଟ ଇରିଗେସନ ପଏଣ୍ଟ ଓ ନଳକୂପ ଅଧିକାଂଶ ଜାଗାରେ ଅଚଳ ଏବଂ ଭୂତଳ ଜଳର ନିମ୍ନସ୍ତର ଆଦି କାରଣରୁ ଜିଲ୍ଲାର ଚାଷୀ କୁଳଙ୍କୁ ମୌସୁମୀ ବର୍ଷା ଓ ପ୍ରକୃତିର ଦୟା ଉପରେ ନିର୍ଭର କରିବାକୁ ପଡ଼ୁଚି। ଅଧୁନା ଜିଲ୍ଲାରେ ସ୍ବଳ୍ପ ଓ ନିଅଣ୍ଟିଆ ବର୍ଷା ଯୋଗୁଁ ଜିଲ୍ଲାର ସମସ୍ତ ବ୍ଲକର ଅଧିକାଂଶ ଜାଗାରେ ଖରିପ ଫସଲ ନଷ୍ଟ ହେଇଯାଇଛି। ଏ ଅଭାବନୀୟ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବାକୁ ଜିଲ୍ଲାପାଳ ତୁରନ୍ତ ଜିଲ୍ଲାପରିଷଦର ବୈଠକ ଡକାନ୍ତୁ ଏବଂ ଜିଲ୍ଲାକୁ ମରୁଡ଼ି ଘୋଷଣା ସହ ଚାଷୀଙ୍କ ଉପରେ ଥିବା ଋଣ ଛାଡ଼ ସହାୟତା ଘୋଷଣା ସଂକଳ୍ପ ପତ୍ର ସେଥିରେ ପାରିତ କରନ୍ତୁ। ଏହାଦ୍ବାରା ଚାଷୀ ରବି ଫସଲ ପାଇଁ ନିଜକୁ ପ୍ରସ୍ତୁତ କରିବ। ତତ୍ ସହିତ ଜିଲ୍ଲା ଚାଷୀଙ୍କୁ ପାରମ୍ପରିକ ଧାନ ଚାଷରୁ ଧ୍ୟାନ ହଟେଇ ଜଳବାୟୁ ଅନୁକୂଳ ବାରମାସୀ ବହୁ ମୁଖି ଓ ଅର୍ଥକାରୀ ଫସଲ ଉତ୍ପାଦନ ପାଇଁ ଉତ୍ସାହିତ ଓ ପ୍ରୋତ୍ସାହିତ କରାଯାଉ। ନିର୍ଦ୍ଧିଷ୍ଟ ଅଞ୍ଚଳ ସକାଶେ ନିର୍ଦ୍ଧିଷ୍ଟ ଫସଲ ଉତ୍ପାଦନ କ୍ଲଷ୍ଟର ଘୋଷଣା କରାଯାଇ ସେହି ଫସଲ ଉତ୍ପାଦିତ ସାମଗ୍ରୀ ପାଇଁ ଏଫପିଓ ଗଠନ କରାଯାଉ। ସବୁ ଗ୍ରାମରେ କୃଷକ କ୍ଲବ ଗଠନ କରାଯାଉ ଏବଂ ଏହି ସବୁ କ୍ଳବକୁ କମ୍ପ୍ୟୁଟର ଇଣ୍ଟରନେଟ ସୁବିଧା ସହ ଏହାକୁ ଇନାମ ବ୍ୟବସ୍ଥା ସହ ଯୋଡ଼ାଯାଉ। କୃଷି ପରାମର୍ଶ , ତାଲିମ ଓ ପାଣିପାଗ ସମ୍ବନ୍ଧୀୟ ସୂଚନା ଦେବା ନିମନ୍ତେ ଜଣେ ତାଲିମପ୍ରାପ୍ତ କୃଷି ମିତ୍ର ନିଯୁକ୍ତି କରାଯାଉ । କୃଷି ବିଭାଗର କାର୍ଯ୍ୟରତ ଅଧିକାରୀ ଏବଂ କର୍ମଚାରୀ ମାନେ ଅମଲତାନ୍ତ୍ରିକ ମାନସିକତା ଓ କାର୍ଯ୍ୟ କରିବାର ଧାରା ଓ ପ୍ରଣାଳୀରେ ପରିବର୍ତ୍ତନ ଆଣନ୍ତୁ। କୃଷି ବିଭାଗରେ କାର୍ଯ୍ୟରତ କ୍ଷେତ୍ର କର୍ମଚାରୀ ମାନେ ଅଫିସରେ ନବସି କୃଷକର ଜମି ପାଖକୁ ଯିବାର ବ୍ୟବସ୍ଥା ହେଉ। ସମବାୟ ବିଭାଗ,ବ୍ୟାଙ୍କ୍ ଓ ପ୍ୟାକସ ସୋସାଇଟି ମାନଙ୍କରେ ଚାଲିଥିବା ଚାଷୀ ମାରଣ ନୀତି ଓ ବ୍ୟାପକ ଠକେଇ ଓ ଦୁର୍ନୀତି ଉପରେ ଅଙ୍କୁଶ ଲଗାଯାଉ। ବିଭାଜିତ କ୍ଷୁଦ୍ର ଜଳସେଚନ ସହ ତାଳଦଣ୍ଡା କେନାଲ ଭଳି ବୃହତ୍ ଜଳସେଚନ ସୁବିଧା ଥିବା ଭିତ୍ତିଭୂମି ସୃଷ୍ଟି ଓ ନିର୍ମାଣ, ଛୋଟ କୁଲିଙ୍ଗ ଚାମ୍ବର ,ଗୋଦାମ ଗୃହ ଏବଂ ଜୈବିକ ପଦ୍ଧତିର ଚାଷ ଉପରେ ଗୁରୁତ୍ତ୍ଵ ଦିଆଯାଉ। ସର୍ବୋପରି ଚାଷୀଙ୍କୁ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ୍ କର ଛାଡ଼ କରାଯାଉ। କୃଷି ଆଧାରିତ ଶିଳ୍ପ ପ୍ରତିଷ୍ଠା ଓ ଭାଗ, କ୍ଷୁଦ୍ର ଓ ଭୂମିହୀନ ଚାଷୀଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖାଯାଉ ସମସ୍ତ ସରକାରୀ ଯୋଜନାର ସୁଫଳ ସେମାନଙ୍କୁ ମିଳୁ। ଏହି ସମସ୍ତ ବିଷୟ ନେଇ ଆଗାମୀ ଦିନରେ ଚାଷୀ ମାନଙ୍କୁ ନେଇ ଆନ୍ଦୋଳନ ସହ ଆରଡିସିଙ୍କୁ ଦାବୀ ପତ୍ର ଦେବା ନେଇ ଆଜିର ଫେଡେରେସନ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଫେଡେରେସନର ଆବାହକ ସଞ୍ଜୀବ କୁମାର ପଟ୍ଟନାୟକଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ଦେବୀ ପ୍ରସାଦ ଦାସ, ଦିଗାମ୍ବର ସାମନ୍ତରାୟ, ବି ଭି ସାଗର, ଟି ସୁଦେଶ ପାତ୍ର, ଅଜିତ୍ ପଟ୍ଟନାୟକ, ରବୀନ୍ଦ୍ର କୁମାର ଜେନା, ଶ୍ରୀକାନ୍ତ ପଢିହାରୀ,ଏମ୍ ଲାବଣ୍ୟ ପାତ୍ର, ସୁନିଲ ପାତ୍ର, କାହୁଁ ଚରଣ ପତି, ପ୍ରଶାନ୍ତ କୁମାର ପଣ୍ଡା, ସୁଦେଷ୍ଟନା ସାହୁ , ରୋସନ କର ଓ ସୁଦାମ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସଞ୍ଜୀବ କୁମାର ପଟ୍ଟନାୟକ, ଆବାହକ, ଓଡ଼ିଆ ସ୍ବାଭିମାନ ଜାଗରଣ ଫେଡେରେସନ, ବ୍ରହ୍ମପୁର।