ରକ୍ତ ରଞ୍ଜିତ ହେଲା ମାଁ ବସ୍ତ୍ରେଣୀଙ୍କ ଶ୍ରେଷ୍ଠ ଶକ୍ତିପୀଠ

କଳାହାଣ୍ଡି,୨୫/୧୦ (ମଳୟ କୁମାର ସାହୁ) :- ପାର୍ବଣ ରୁତୁରେ ବିଭିନ୍ନ ଗାଁ ମାନଙ୍କରେ ଥିବା ଶକ୍ତି ପୀଠ ମାନଙ୍କରେ ଦେବା ଦେବୀଙ୍କ ପୂଜାର୍ଚ୍ଚନା କରାଯିବା ସହ ପ୍ରଥା ଓ ପରମ୍ପରା ଅନୁସାରେ ଦେବା ଦେବୀଙ୍କୁ ସନ୍ତୁଷ୍ଟ କରିବା କୁ ଯାଇ କେତେକ ଶକ୍ତି ପୀଠରେ ପଶୁ ଏବଂ ପକ୍ଷୀଙ୍କ ବଳି ଦିଆଯାଇଥାଏ । ଫଳରେ ରକ୍ତରଞ୍ଜିତ ହୋଇଉଠେ ଶକ୍ତି ପୀଠ ଗୁଡିକ । ତେବେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ କଣ୍ଡରେଇ ଗାଁର ମାଁ ’ ବୁଢ଼ୀ ବସ୍ତ୍ରେଣୀଙ୍କ ପୀଠରେ ମଧ୍ଯ ମଙ୍ଗବାର ଦିନ ଶତାଧିକ ପଶୁପକ୍ଷୀଙ୍କ ବଳି ପଡ଼ି ପୀଠ ରକ୍ତରଞ୍ଜିତ ହୋଇପଡିଛି । ଏଠାରେ ଆବାହମାନ କାଳରୁ ନିୟମିତ ଭାବେ ମାଁ ’ ବୁଢି ବସ୍ତ୍ରେଣୀଙ୍କୁ ପୂଜାର୍ଚ୍ଚନା କରାଯାଉଥିବା ବେଳେ ତତ୍କାଳିନ ମ. ରାମପୁର ଜମିଦାର ଦୂର୍ଗା ମାଧବ ସିଂଦେଓ ମନ୍ଦିର ନିର୍ମାଣ କରିବା ସହ ରକ୍ଷଣା ବେକ୍ଷଣ ପାଇଁ ୧୨ ଏକର ଜମି ପ୍ରଦାନ କରିଥିଲେ । ଏଥିରେ ଆଦିବାସୀମାନଙ୍କ ପ୍ରମୂଖ ଭୂମିକା ରହିଥିବାରୁ ଆଖପାଖର ୪୪ ଖଣ୍ଡ ଗାଁର ଲୋକେ ସାମିଲ ହୋଇ ମାଁ’ଙ୍କ ପୂଜାର୍ଚ୍ଚନା କରିଥାନ୍ତି । ତେବେ ଏଠାରେ ପୂଜା ପାଉଥିବା ମାଁ ’ ବୁଢି ବସ୍ତ୍ରେଣୀ ଦେବୀଙ୍କୁ ଅଷ୍ଟମୀ ତିଥିରୁ କାର୍ଣ୍ଣିଖୁଣ୍ଟି , କୁଶୁର୍ଲା (ଅଙ୍ଗଦପଡା) ଠାରୁ ଦେବୀଙ୍କ ଖଣ୍ଡା ଓ ଛତର ଉପବାସ ପୂଜା ପାଇଁ ଘଣ୍ଟ,ଶଙ୍ଖ, ବାଜା ସହ ମନ୍ଦିରକୁ ଆସିବା ପରେ ନବମୀ ତିଥିରେ ଛତରକୁ ପୂଜା କରାଯାଇ ଦଶମୀ ତିଥିରେ ପ୍ରଥା ଅନୁଯାୟୀ ପଶୁପକ୍ଷୀଙ୍କୁ ବଳି ଦିଆଯାଇଥାଏ । ଏହି ଦିନ ମାଁ’ ବସ୍ତ୍ରେଣୀ , ଦ୍ବାରସନୀ , ବାବୁରା , ବନମାଉଲୀ ନାମକ ଚାରି ଦେବୀ ୪ରି ଜଣ ଦିସାରୀଙ୍କ ଶରୀରରେ କାଳିସି ବେଶରେ ଲାଗିଥାନ୍ତି । ଏଥିରେ ନିଃସନ୍ତାନ ମାନେ ପୁତ୍ର ପ୍ରାପ୍ତି ନିମନ୍ତେ ଦେବୀଙ୍କ ଠାରେ ଗୁହାରୀ କରିବା ପରେ ଦେବୀ ସେହି ଭକ୍ତମାନଙ୍କ ଗୁହାରୀ ଶୁଣିବା ସହ କଣ୍ଟା ଦୋଳିରେ ଖେଳିଥାନ୍ତି । ଛତର ପୂଜା ପରେ ଦେବୀ ବିଭିନ୍ନ ଗାଁକୁ ଭ୍ରମଣ କରିବା ପାଇଁ ବାହାରିଥାନ୍ତି । ଏବଂ ଦଶମୀ ତିଥିରେ ପୂଜା କାର୍ଯ୍ୟ କରୁଥିବା ବିଭିନ୍ନ ସମ୍ପ୍ରଦାୟର ଲୋକେ ଏକତ୍ରୀତ ହୋଇ ଦ୍ବାରସନୀ ଓ ବସ୍ତ୍ରେଣୀ ମନ୍ଦିରକୁ ଆସି ପୂଜା କରିବା ପରେ ମାନସୀକ ଧାରୀମାନେ ଆଣିଥିବା ପୋଢ଼ , ବୋଦା , କୁକୁଡା , ପାରା ଆଦିକୁ ବଳି ଦିଆଯାଇଥାଏ । ଲୋକକଥା ଅନୁସାରେ ଏହି ଗାଁର ମୁଡେଲ, ଗେଞ୍ଜେଲ ନାମକ ୨ ଭାଇ ବସ୍ତ୍ରଗଡରୁ ବାଣିଜ୍ୟ ସାରି ଫେରୁଥିବା ବାଟରେ ମାଁ’ ବସ୍ତ୍ରେଣି ଶଗଡ଼ରେ ବସି ଏଠାକୁ ଆସିଥିବା କୁହାଯାଏ । ଏଠାରେ ପୂଜା ପାଉଥିବା ଦେବୀଙ୍କୁ ପ୍ରତ୍ୟକ୍ଷ ଦେବୀ ଭାବେ ଭକ୍ତମାନଙ୍କ ବିଶ୍ବାସ ରହିଥିବାରୁ ପ୍ରତିବର୍ଷ ଭକ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ପୋଲିସ୍ ପ୍ରଶାସନ ପକ୍ଷରୁ ଜଣେ ଗ୍ରାମରକ୍ଷୀ ଙ୍କୁ ଏହି ଯାତ୍ରାର ସୁରକ୍ଷା ଦାୟିତ୍ବ ଦିଆଯାଇଥିବା ବେଳେ ଯାହା କି ସମୁଦ୍ର କୁ ଶଙ୍ଖେ ପରୀ ସଦୃଶ । ଏଣୁ ଆଗାମି ବର୍ଷ ଯାତ୍ରାର ସଂପୂର୍ଣ୍ଣ ସୁରକ୍ଷା ପାଇଁ ପୋଲିସ ଫୋର୍ସ ମୁତୟନ କରିବା ପାଇଁ ଅଂଚଳବାସୀ ଦାବି କରିଛନ୍ତି ।