ଫସର ଫାଟି ଯିବନି ତ ଡାକ୍ତର ଆସିବା ଖୁସୀ ; କେତେଦିନ ସ୍ଥାୟୀ ହୋଇ ରହିବେ ବୋଲି ସାଧାରଣ ରେ ପ୍ରଶ୍ନବାଚୀ

ଗୁଣପୁର – (ସିଦ୍ଧାର୍ଥ ଦାଶ): ଗୁଣପୁର ଉପଖଣ୍ଡ ମେଡ଼ିକାଲରେ ସୁଧୁରିବ ସ୍ଵାସ୍ଥ୍ୟସେବା । ଖାଲି ପଡିଥିବା ପଦବି ପୂରଣ ପାଇଁ ରାଜ୍ୟ ସରକାର ଆଜି ୫ ବିଶେଷଜ୍ଞ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି। ୩ ଦିନ ମଧ୍ୟରେ ବିଶେଷଜ୍ଞଙ୍କୁ କାର୍ଯ୍ୟରେ ଯୋଗଦେବାକୁ ବିଜ୍ଞପ୍ତି ପ୍ରକାଶ କରିଛି ରାଜ୍ୟ ପରିବାର ଓ ସ୍ବାସ୍ଥ୍ୟ କଲ୍ୟାଣ ବିଭାଗ | ନିଯୁକ୍ତି ପାଇଥିବା ୫ ଜଣ ଡାକ୍ତର ମଧ୍ୟରେ ବିଶେଷଜ୍ଞ ଭେଷଜ ଡା. ଜିତେନ୍ଦ୍ର କୁମାର ପାଣିଗ୍ରାହୀ , ଅସ୍ଥିଶଲ୍ୟ ବିଶେଷଜ୍ଞ ଡା. ଅଭିଷେକ ମିଶ୍ର , ନିଶ୍ଚେତକ ବିଶେଷଜ୍ଞ ଡା. ଶିବାଙ୍ଗୀ ମହନ୍ତ , ସର୍ଜରୀ ବିଶେଷଜ୍ଞ ଡା. ସୌମେନ୍ଦ୍ର ଶତପଥୀ ଏବଂ ଦନ୍ତ ବିଶେଷଜ୍ଞ ଡା. ବୋଧିସତ୍ଵ ପଟ୍ଟନାୟକ। କିଛି ବର୍ଷ ହେଲା ଗୁଣପୁର ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତର ଅଭାବରୁ ରୋଗୀ ଚିକିତ୍ସା ସେବାରୁ ବଞ୍ଚିତହୋଇ ଆସୁଥିଲେ . ଡାକ୍ତରଖାନା କେବଳ ରେଫରାଲ୍ କେନ୍ଦ୍ର ପାଲଟିଥିଲା। ପ୍ରାଥମିକ ଚିକିତ୍ସା ପରେ ରୋଗୀଙ୍କୁ ବ୍ରହ୍ମପୁର, କଟକ, ଭୁବନେଶ୍ଵର ଓ ବିଶାଖାପାଟଣା ସ୍ଥାନାନ୍ତର କରାଯାଉଥିଲା। ଫଳରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି କରାଯାଇଥିଲା । ଏହି ସମ୍ପର୍କରେ ରାଜ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧିର କୁମାର ଦାଶ , ଗୁଣପୁର ବିଧାୟକ ରଘୁନାଥ ଗାମାଙ୍ଗ, ରାୟଗଡ଼ା ବିଧାୟକ ମକରନ୍ଦ ମୁଦଲି ପ୍ରମୁଖ ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କୁ ଭେଟି ଆଲୋଚନା କରିଥିଲେ। ଆଜି ୫ ଜଣ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦିଆଯାଇଥିବା ବେଳେ, ଜଣେ ଶିଶୁ ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଗଲେ ଅନେକଙ୍କ ସମସ୍ୟା ଦୂର ହୋଇପାରିବ . ସୂଚନା ଥାଉ କି ଏହା ପୂର୍ବରୁ ମଧ୍ୟ ଏଭଳି ଡାକ୍ତର ମାନେ ଆସି ଅଳ୍ପ ଦିନ ପରେ ଉଚ୍ଚ ଶିକ୍ଷା , ରିସର୍ଚ୍ଚ ,ବ୍ୟକ୍ତିଗତ ସମସ୍ୟା ଇତ୍ୟାଦି ବିଭିନ୍ନ ଆଳ ରେ ଏଠାରୁ ଚାଲିଯିବା ନଜିର ରହିଛି । ଏହି ଅଞ୍ଚଳ ସ୍ୱାସ୍ଥ୍ୟ ସେବା ନିମନ୍ତେ ସମ୍ବେଦନଶୀଳ ହୋଇଥିବା ବେଳେ ଜିଲ୍ଲା ଚିକିତ୍ସା ଅଧିକାରୀ ସବୁବେଳେ ବୈମାତୃକ ମନୋଭାବ ପୋଷଣ କରନ୍ତି ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି । ତେଣୁ ବର୍ତ୍ତମାନ ସମୟ ଆସିଛି ଆସିଥିବା ଡାକ୍ତର ମାନଙ୍କୁ ଏଠାରେ ଦୀର୍ଘ ଦିନ ରଖିବା ନିମନ୍ତେ ରୋଗୀକଲ୍ୟାଣ ସମିତି ସଦସ୍ୟ ମାନେ ଡାକ୍ତର ମାନଙ୍କ ସହ ସୁଖ ଦୁଃଖର ସାଥି ହୁଅନ୍ତୁ ଏବଂ ଏହାର ଶୀଘ୍ର ସମାଧାନ କରନ୍ତୁ ବୋଲି ଅନୁରୋଧ କରିଛନ୍ତି । ଏହା ସହ ଆମ ଅଞ୍ଚଳର ସମ୍ବେଦନଶୀଳ ଭାବନାକୁ ଦୃଷ୍ଟିରେ ରଖି ଆସିଥିବା ଡାକ୍ତର ମାନଙ୍କ ଦୀର୍ଘ କାଳୀନ ଛୁଟି, ଉଚ୍ଚ ଶିକ୍ଷା ର ଅନୁମତି, ବଦଳି ଓ ଡେପୁଟସନ ଭଳି କ୍ଷମତା କେବଳ ଜିଲ୍ଲାପାଳ ନିଜ ହାତରେ ରଖି ପରାମର୍ଶ ପରେ ପଦକ୍ଷେପ ନେବା କୁ ଜିଲ୍ଲା ଓ ଅଞ୍ଚଳର ନେତୃବର୍ଗ ପ୍ରକାଶ କରିଛନ୍ତି ।