ଢେଙ୍କାନାଳ,(ଶୁଭମ ପାଣି) – ସମ୍ପ୍ରତି କପିଳାସ ପୀଠରେ ଶ୍ରାବଣ ଲାଗି ଜଳାଭିଷେକ ହେତୁ ପୀଠରେ ଅଧିକ ଶ୍ରଦ୍ଧାଳୁଙ୍କ ସମାବେଶ ହେଉଥିବାରୁ ମୁଖ୍ୟତଃ ସେଠାରେ ଯାତ୍ରୀଙ୍କ ଠାରୁ ଗାଡି ପାକଂ ନିମନ୍ତେ ଅଧିକ ଦେୟ ଆଦାୟ ଷ୍ଟାଣ୍ଡ ଜଗୁଆଳକ ଅମାର୍ଜିତ ବ୍ୟବହାର ଏବଂ ଅନ୍ୟାନ୍ୟ ଅସୁବିଧା ସମ୍ପର୍କରେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ନବୀନ ନନ୍ଦ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହାର ସମାଧାନ ନିମନ୍ତେ ଆଜି ସନ୍ଧ୍ୟାରେ ଜିଲ୍ଲା କାର୍ଯ୍ୟାଳୟ ଓସୱାନ ହଲଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସମ୍ପୃକ୍ତ ଗାଡି ଷ୍ଟାଣ୍ଡ ନିଲାମ ଧାରୀଙ୍କୁ କୌଣସି ପରିସ୍ଥିତିରେ ଯାତ୍ରୀଙ୍କ ଠାରୁ ଅଧିକ ପାକିଂ ଦେୟ ଆଦାୟ ନ କରିବାକୁ ଏବଂ ସମସ୍ତ ଯାତ୍ରୀଙ୍କୁ ମାର୍ଜିତ ବ୍ୟବହାର କରିବା ନିମନ୍ତେ କଡା ନିର୍ଦ୍ଦେଶ ଦେଇଛନ୍ତି । ଟୋଲ ଗେଟ ଏବଂ ପାକିଂକୁ ଅଧିକ ବ୍ୟବସ୍ଥିତ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏଥୁ ନିମନ୍ତେ ବଡ ଦାଣ୍ଡ ରାସ୍ତା ପାର୍ଶ୍ବ ଏବଂ ୧୧ ନମ୍ବର ବାଙ୍କ ସଂଲଗ୍ନ ସ୍ଥାନରେ ପାକଂ ବ୍ୟବସ୍ଥା କରିବାକୁ ସେ ପରାମର୍ଶ ଦେଇଛନ୍ତି । ଯେପରି ପୀଠର ସୁନାମରେ ଆଞ୍ଚ ନ ଆସିବ ସେଥୁପ୍ରତି ଧ୍ୟାନ ଦେବାକୁ ସେ ଷ୍ଟାଣ୍ଡ ନିଲାମଧାରୀଙ୍କୁ କହିଛନ୍ତି । ପୀଠରେ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଏକ କମିଟି ଗଠନ କରାଯାଇ ବିହିତ ବ୍ୟବସ୍ଥା କରାଯିବ ।
ଆରକ୍ଷୀ ଅଧୀକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର ପୀଠରେ ବିଶେଷ ପର୍ବ ସମୟରେ ଏବଂ ବର୍ଷ ତମାମ କିପରି ଟ୍ରାଫିକ ନିୟନ୍ତ୍ରଣ ଏବଂ ଗାଡ଼ି ପାକିଂ ବ୍ୟବସ୍ଥିତ ହୋଇପାରିବ, ସେଥିପାଇଁ ବିହିତ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରି ପ୍ରସ୍ତାବ ରଖିଥିଲେ । ପୀଠରେ ଗାଡି ପାର୍କି, ଜୀଉଙ୍କ ସ୍ଥାବର ଅସ୍ଥାବର ସମ୍ପତି ର ରକ୍ଷଣା ବେକ୍ଷଣ, ସେବାୟତଙ୍କ ସମସ୍ୟାର ସମାଧାନ ଉପରେ ବିଶେଷ ଦୃଷ୍ଟି ଦିଆଯିବ ବୋଲି ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ପୂର୍ବତନ ବିଧାୟକ ଶ୍ରୀ ନନ୍ଦଙ୍କୁ ପ୍ରତିଶୃତି ଦେଇଛନ୍ତି । ଏହି ବୈଠକରେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ( ସାଧାରଣ ), ଦେବୋତ୍ତର ଅଧିକାରୀ ଶ୍ରୀ ହରିହର ପଞ୍ଚୁଆତି, ଗନ୍ଦିଆ ଥାନା ଅଧିକାରୀ, ଦେଓ ଗାଁ ସରପଞ୍ଚ ଏବଂ ଗାଡି ପାକଂ ନିଲାମଧାରୀ ଉପସ୍ଥିତ ରହି ଆଲୋଚନା କରିଛନ୍ତି ।