ଢେଙ୍କାନାଳ, ୨୨/୮(ଶୁଭମ ପାଣି) : ନିଖିଳ ଉତ୍କଳ ପଂଚାୟତ ନିର୍ବାହୀ ଅଧିକାରୀ ସଂଘ, ଓଡିଶାର ଡାକରା କ୍ରମେ ଢେଙ୍କାନାଳ ଜିଲ୍ଲାର ସମସ୍ତ ୮ଗୋଟି ବ୍ଲକ୍ର ୧୩୦ ଜଣ ପଂଚାୟତ ନିର୍ବାହୀ ଅଧିକାରୀ ଗତ ୧୮ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣ ଧାରଣାରେ ବସିଥିଲେ। ଗ୍ରାମ ପଂଚାୟତ ସ୍ତରରେ ଓଡିଶା ସରକାରଙ୍କ ୧୪ ଗୋଟି ବିଭାଗର ୨୯ ଗୋଟି ଯୋଜନାକୁ ତଥା ମନରେଗା, ଗ୍ରାମାଂଚଳ ଗୃହ ନିର୍ମାଣ ଯୋଜନା, ମୋ ଘର ଯୋଜନା, ସାଧାରଣ ବଂଟନ ବ୍ୟବସ୍ଥା, ସାମାଜିକ ସୁରକ୍ଷା ଯୋଜନା, ଗ୍ରାମ ପଂଚାୟତ ଉନ୍ନୟନ ଯୋଜନା, ପାନୀୟ ଜଳ ଯୋଜନା, ରାସ୍ତା ଆଲୋକି କରଣ, ହରିଶ୍ଚନ୍ଦ୍ର ଯୋଜନା, ଗ୍ରାମ ପଂଚାୟତ ଭିତିଭୂମି ପ୍ରତିଷ୍ଠା ଇତ୍ୟାଦି ଯୋଜନାର ସଫଳ ରୂପାୟନ କରି ଚାଲୁଥିଲେ ମଧ୍ୟ ଦଶନ୍ଧି ଦଶନ୍ଧି ପଂଚାୟତ ନିର୍ବାହୀ ଅଧ୍ୟାକାରୀ ସଂଘ ନିଜର ଦାବି ପୂରଣ ଦିଗରେ ରାଜ୍ୟ ସରକାରଙ୍କ ନିକଟରେ ବହୁବାର ଦାବି ପୂରଣ ପାଇଁ ଅନୁରୋଧ କରିଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଦାବି ପୂରଣ ହୋଇନାହିଁ । ଯଦି ସରକାର ଏହି ଦୁଇଗୋଟି ଦାବୀ ଯଥା- ପଂଚାୟତ ନିବାହୀ ଅଧିକାରୀ ପଦବୀର ଶିକ୍ଷାଗତା +୨ ରୁ +୩ କରିବା ସହିତ ଦରମା ହାର ଲେବୁଲ୍ – ୫ ରୁ ଲେବୁଲ୍ – ୯ କୁ ଧାର୍ଯ୍ୟ କରିବା, ନୂତନ ପଦବୀ ସୃଷ୍ଟି କରି ୧୦ ବର୍ଷ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିବା ପଂଚାୟତ ନିବାହୀ ଅଧିକାରୀଙ୍କୁ ପଦୋନ୍ନତି ପ୍ରଦାନ ସହିତ ଜି.ପି.ଡି.ଓ ପଦବୀରେ ଶତପ୍ରତିଶତ ପଦୋନ୍ନତି ପ୍ରଦାନ କରିବା ଓ ଓ.ପି.ଆର୍.ଏସ୍. କ୍ୟାଡର୍ ରୁଲ୍ ରେ ଅନ୍ତର୍ଭୁକ୍ତ କରିବା ଇତ୍ୟାଦି । ସେଥପାଇଁ ୨୩ ତାରିଖରେ ନିଖିଳ ଉତ୍କଳ ପଂଚାୟତ ନିର୍ବାହୀ ଅଧିକାରୀ ସଂଘ ତରଫରୁ ଭୁବନେଶ୍ୱର ମାଷ୍ଟର କ୍ୟାଟିନ୍ ଠାରୁ ଲୋୟର ପିଏମ୍ଜି ଯାଏଁ ଏକ ବିରାଟ ରାଲିରେ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପଂଚାୟତ ରାଜ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଦାବୀପତ୍ର ପ୍ରଦାନ କରିବେ । ଏହି ଗଣ ଧାରଣାରେ ଜିଲ୍ଲା ସଭାପତି ସୁବ୍ରତ କୁମାର ମଲ୍ଲିକ, ଉପସଭାପତି ବିଜୟ କୁମାର ମିଶ୍ର, ସାଧାରଣ ସମ୍ପାଦକ ଅଜୟ କୁମାର ନାୟକ, ଓଡାପଡା ବ୍ଲକ୍ ସଭାପତି ବିଶ୍ବନାଥ ପାଣି, ଗଁଦିଆ ବ୍ଲକ୍ ସଭାପତି ଅନ୍ତର୍ଯ୍ୟାମୀ ବାରିକ, ହିନ୍ଦୋଳ ବ୍ଲକ୍ ସଭାପତି ଦିନେଶ ଚନ୍ଦ୍ର ସାମଲ, କଙ୍କଡାହାଡ ବ୍ଲକ ସଭାପତି ପ୍ରତାପ ଚନ୍ଦ୍ର ଦାସ, କାମାକ୍ଷା ନଗର ବ୍ଲକ୍ ସଭାପତି ସୁଶାନ୍ତ ସ୍ୱାଇଁ, ଭୁବନ ବ୍ଲକ୍ ସଭାପତି ବିନୋଦ କୁମାର ସାହୁ, ସଦର ବ୍ଲକ୍ ସଭାପତି ସୁନିଲ୍ କୁମାର ପରିଡା, ପରଜଙ୍ଗ ବ୍ଲକ୍ ସଭାପତି ମୁନା ସୋରେନ୍, ରାଜ୍ୟ ପରିଷଦ ସଦସ୍ୟ ରତ୍ନାକର ଲେଙ୍କା, କୃଷ୍ଣଚନ୍ଦ୍ର ସାହୁ ଓ ସମସ୍ତ ବ୍ଲକ୍ର ନିବାହୀ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବେ ବୋଲି କହିଛନ୍ତି । ଯେ ପର୍ଯ୍ୟନ୍ତ ଦାବୀ ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଭାପତି ସୂଚନା ଦେଇଛନ୍ତି ।