ଗୁଣପୁର,(ସିଦ୍ଧାର୍ଥ ଦାଶ): ଗୁଣପୁର ସହର ସୁରକ୍ଷିତ ତ ? ଏପରି ଅନେକ ପ୍ରଶ୍ନ ଏବେ ଗୁଣପୁର ସହରବାସୀ ଙ୍କ ମନରେ ଉଙ୍କି ମାରୁଛି । ଗୁଣପୁର ସହର ଦେଶର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ମାନ୍ୟତା ପାଇସାରିଛି । ଗୁଣପୁର ଠାରେ ଥିବା ଶିକ୍ଷାନୁଷ୍ଠାନ ଗୁଡିକରେ ପାଠ ପଢିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଶିକ୍ଷାର୍ଥି ମାନେ ଆସିଥାନ୍ତି । ଧୀରେ ଧୀରେ ଗୁଣପୁର ସହରର ଜନସଂଖ୍ୟା ବଢିବା ସହ ଛୋଟ ବଡ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ଖୋଲିବାରେ ଲାଗିଛି । ଗୁଣପୁର ସହରରେ ବ୍ୟବସାୟ ଭଲ ହେଉଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ଲୋକମାନେ ଆସି କିଛି ବର୍ଷ ରହିବା ପରେ ନିଜର ପରିଚୟ ପତ୍ର କରି ସ୍ଥାନୀୟ ବାସିନ୍ଦା ଭାବେ ରହୁଛନ୍ତି । ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ବ୍ୟକ୍ତିଙ୍କର କୌଣସି ସିଠିକ୍ ପରିଚୟ ପତ୍ର ଯାଞ୍ଚ ହେଉନଥିବା ଗୁଣପୁର ର ବୁଦ୍ଧିଜୀବି ମାନେ ପ୍ରକାଶ କରିଛନ୍ତି । କିଛି ବର୍ଷ ହେଲା ଗୁଣପୁର ଏବେ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଛି ଦିନ ଦୁଇ ପହରରେ ମଧ୍ୟ ଅପହରଣ , ଭିନ୍ନ ଭିନ୍ନ ଧରଣର ଚୋରି , ଭିନ୍ନ ଭିନ୍ନ ଧରଣର ଦୁର୍ଘଟଣା ମାନେ ଦେଖିବାକୁ ମିଳୁଛି । ଏବେ କିଛି ଦିନ ତଳେ ମଧ୍ୟ ଗୁଣପୁର ସହର ରେ ପ୍ରଥମ ଥର ପାଇଁ ଗୁଳି କରି ହତ୍ୟା କରାଯାଇଥିଲା । ତାହା ଗୁଣପୁର ସହରରେ ଅଶାନ୍ତ ର ବାତାବରଣ ସୃଷ୍ଟି କରିଛି । ଲୋକ ମାନେ ବାହାରକୁ ବାହାରିବା ପାଇଁ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି । କିଛି ଦିନ ହେବ ଗୁଣପୁର ସହରରେ ଅନୁପ୍ରବେଶକାରୀ ଙ୍କ ସଂଖ୍ୟା ବଢିବା ନେଇ ଅଭିଯୋଗ ହେଉଛି । ଅନୁପ୍ରବେଶକାରୀ ମାନେ ସକାଳ ବେଳେ ବିଭିନ୍ନ ପ୍ରକାର ସାମଗ୍ରୀ ନେଇ ସହରର ଥିବା ବିଭିନ୍ନ ୱାର୍ଡରେ ବଲୁଥିବା ଦେଖାଯାଉଛି । ଅନୁପ୍ରବେଶକାରୀ ମାନେ ହିନ୍ଦୀରେ କଥା ହେଉଥିବା ବେଳେ ସେମାନେ କେଉଁଠାରୁ ଆସିଛନ୍ତି ତାହାର କୌଣସି ସଠିକ୍ ସୂଚନା ଗୁଣପୁର ସହରବାସୀ ଙ୍କ ନିକଟରେ ନାହିଁ । ସହରରେ ବିଭିନ୍ନ ସ୍ଥାନରେ ଘର ଭଡା କରି ରହୁଥିବା ବେଳେ ଘର ମାଲିକ ମାନେ ସେମାନଙ୍କ ପରିଚୟ ପତ୍ର ଯାଞ୍ଚ ନ କରି ଘର ଭଡା ପ୍ରଦାନ କରୁଥିବା ନେଇ ଗୁରୁତର ଅଭିଯୋଗ ହେଉଛି । ଅନୁପ୍ରବେଶକାରୀ ସହରରେ କିଛି ଅଘଟଣ ଘଟାଇବାର ପୂର୍ବରୁ ସେମାନଙ୍କ ପରିଚୟ ପତ୍ର ପୋଲିସ ପ୍ରଶାସନ ପକ୍ଷରୁ କଡାକଡି ଭାବେ ଯାଞ୍ଚ କରିବା ପାଇଁ ସହରର ବୁଦ୍ଧିଜୀବି ମାନେ ମତବ୍ୟକ୍ତ କରିଛନ୍ତି ।