ବିଦ୍ୟୁତ କାଟ କୁ ନେଇ ଚିନ୍ତାରେ ହିନ୍ଦୋଳବାସୀ |

ହିନ୍ଦୋଳ :(ସନାତନ ନାଥ )ଏବେ ସାରା ରାଜ୍ୟରେ ପ୍ରବଳ ଖରାର ପ୍ରକୋପ ଦେଖାଯାଉଥିବା ବେଳେ ଅଘୋଷିତ ବିଦ୍ୟୁତ କାଟ୍ ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି।ଏପରିକି ଖୋଦ୍ ରାଜ୍ୟର ଶକ୍ତି ମନ୍ତ୍ରୀ ଏ ଘଟଣାକୁ ନେଇ ନିଜର ମନ୍ତବ୍ୟ ରଖିସାରିଛନ୍ତି।ଏହାର ଅନୁରୂପ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଞ୍ଚଳରେ।ସ୍ଥାନୀୟ ଜନସାଧାରଣଙ୍କୁ କୌଣସି ପ୍ରକାରର ସୂଚନା ଦିଆ ନଯାଇ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବିଦ୍ୟୁତ କାଟ୍ ହେଉଛି।ଫଳରେ ନାହିଁ ନଥିବା ହଇରାଣ ଭୋଗୁଛନ୍ତି ହିନ୍ଦୋଳବାସୀ।ଅସହ୍ୟ ଗୁଳୁଗୁଳିରେ ଲୋକମାନେ ଛଟପଟ ହେଉଥିବା ବେଳେ ଗମନାଗମନ ଓ ପିଲାଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି।ଏନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ପ୍ରଶ୍ନ ପଚରା ଯିବାରୁ ହିନ୍ଦୋଳ ଏକ ହାତୀ କରିଡର ହୋଇଥିବାରୁ ସ୍ଥାନୀୟ ବନବିଭାଗର ନିର୍ଦ୍ଦେଶରେ ବିଦ୍ୟୁତ କାଟ୍ ହେଉଥିବାର ବାହାନା ଦେଖାଇଛନ୍ତି।ମାତ୍ର ହିନ୍ଦୋଳ ରେଞ୍ଜରଙ୍କୁ ପଚାରିବାରୁ ତାଙ୍କ ବିଭାଗର ନାମ ନେଇ ବିଦ୍ୟୁତ ବିଭାଗ ବର୍ତିବାକୁ ଚେଷ୍ଟା କରୁଛି ବୋଲି ସେ କହିଥିଲେ।ଯେଉଁ ଅଞ୍ଚଳରେ ହାତୀ ମାନଙ୍କର ଗତିବିଧି ଜଣାପଡ଼େ କେବଳ ସେହି ଅଞ୍ଚଳର ବିଦ୍ୟୁତ କାଟ୍ କରିବା ପରିବର୍ତ୍ତେ ସମ୍ପୂର୍ଣ୍ଣ ହିନ୍ଦୋଳ ଅଞ୍ଚଳର ବିଦ୍ୟୁତ ସରବରାହକୁ ବନ୍ଦ କରି ଦିଆଯାଉଛି।ଏପରିକି ଖୋଦ୍ ଯନ୍ତ୍ରୀ ମହାଶୟ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ଅଛି ତେଣୁ ସେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇ ପାରିବେନାହିଁ ବୋଲି ରୋକ୍ ଠୋକ ମନା କରି ଦେଇଥିଲେ।ତେବେ ଏଠି ପ୍ରଶ୍ନ ଉଠୁଛି ଯେ ସ୍ଥାନୀୟ ଲୋକଙ୍କ ସମସ୍ୟାକୁ ନେଇ TPCODL ଅଧିକାରୀଙ୍କୁ ପ୍ରଶ୍ନ କିଏ କରିବ??ଲୋକଙ୍କ ଆକ୍ରୋଶ ଚରମ ସୀମାରେ ପହଞ୍ଚିଥିବା ବେଳେ କେବେ ଏ ସମସ୍ୟାର ସମାଧାନ ହେବ ଏବଂ ଅଞ୍ଚଳବାସୀ ବିଦ୍ୟୁତ ସମସ୍ୟାରୁ କେବେ ନିସ୍ତାର ପାଇବେ ତାହା ଦେଖିବାକୁ ବାକି ରହିଲା।