ରାୟଗଡ଼ା,୧୮/୧୦:(ପ୍ରଫୁଲ୍ଲ କୁମାର ବେହେରା) ରାୟଗଡ଼ା ସ୍ବୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଦେଖାଦେଇଛି ଛାତ୍ର ଅଶାନ୍ତି। ଅଣଛାତ୍ରଙ୍କ ମାଡ଼ରେ ତିନି ଜଣ ଛାତ୍ର ଆହତ ହୋଇଛନ୍ତି। ଫଳରେ ଏହାକୁ ନେଇ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଛାତ୍ରମାନେ ଏକତ୍ରିତ ହୋଇ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି।
ସୂଚନା ଅନୁସାରେ, ବାଇକ ପାର୍କିଂ କରିବା ଘଟଣାକୁ ନେଇ ମଙ୍ଗଳବାର ଅପରାହ୍ନରେ ଗଣ୍ଡଗୋଳ ହୋଇଥିଲା। ଜଣେ ଛାତ୍ର ବାଇକ ସାଇଡ କରିବା ସମୟରେ ଅନ୍ୟ ଜଣେ ଛାତ୍ରଙ୍କୁ ଲାଗି ଯାଇଥିଲା। ଏହାପରେ ସେ କ୍ଷମା ମାଗିବାରୁ ଘଟଣା ଶାନ୍ତ ହୋଇଥିଲା। ତେବେ ବାଇକ ବାଜିଥିବା ଜଣେ ଛାତ୍ର ସ୍ଥାନୀୟ ଏକ ନିର୍ଦ୍ଦିଷ୍ଟ ସାହିର ହୋଇଥିବାରୁ ସେହି ସାହିର କିଛି ଯୁବକ ମହାବିଦ୍ୟାଳୟ ପହଞ୍ଚି ପୁଣି ସେହି କଥା ଆରମ୍ଭକରି ଆକ୍ରମଣ କରିଥିଲେ।
ଅଣଛାତ୍ରଙ୍କ ଆକ୍ରମଣରେ ତିନି ଜଣ ଛାତ୍ର ଆହତ ହୋଇଛନ୍ତି। ସେମାନେ ହେଲେ ଯୁକ୍ତ ତିନି ପ୍ରଥମ ବର୍ଷର ବସନ୍ତ ପାଣି, ଯୁକ୍ତ ଦୁଇ ପ୍ରଥମ ବର୍ଷର ତପନ ଗାଣ୍ଟା ଓ ପ୍ରୀତମ ନାୟକ। ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେମାନଙ୍କୁ ଭର୍ତ୍ତି କରାଯାଇଛି। ଖବରପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲା। ତେବେ ଏହି ଘଟଣା ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। କିଛି ଛାତ୍ର ସନ୍ଧ୍ୟାରେ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ପହଞ୍ଚି ଏସପିଙ୍କ ସହିତ ସାକ୍ଷାତ କରି ଅଭିଯୋଗ ପାଇଁ ଆସିଥିଲେ। ଡିଏସପି ସୁଦାମ ମଲ୍ଲିକ ଛାତ୍ରମାନଙ୍କ ସହିତ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତଥାପି ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଥିବା ନଜରକୁ ଆସିଛି। ଆକ୍ରମଣ କରିଥିବା ଅଣଛାତ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି ଛାତ୍ରଛାତ୍ରୀ ।