ମହୁଚାଷ ନାଁ ରେ ନାବାର୍ଡ ଓ ହର୍ଷାଟ୍ରଷ୍ଟ ମିଳିମିଶି ଚାଟି ଦେଲେ ୨ କୋଟି ଟଙ୍କା

କୋରାପୁଟ – (ସିଦ୍ଧାର୍ଥ ଦାଶ) – କୋରାପୁଟ ଜିଲାର ପ୍ରାକୃତିକ ସମ୍ବଳ ବିନିଯୋଗ କରି ଲୋକଙ୍କୁ ଜୀବିକା ଯୋଗାଇ ଦେବାକୁ ନାବାର୍ଡ଼ ତରଫରୁ କରାଯାଇଥିବା ପ୍ରଚେଷ୍ଟା ପାଣିରେ ପଡ଼ିଛି, ଯାହା ନନ୍ଦପୁର ବ୍ଲକରେ ଦେଖିବାକୁ ମିଳିଛି। ଏହି ବ୍ଲକ୍‌ର ୫ପଞ୍ଚାୟତରେ ମହୁଚାଷ ଆଳରେ ୨କୋଟିରୁ ଅଧିକ ଟଙ୍କା ଚଳୁ କରାଯାଇଥିବା ଅଭିଯୋଗ ହୋଇଛି। ୧୫୦ ଆଦିବାସୀଙ୍କ ସରଳତାର ସୁଯୋଗ ନେଇ ଏଭଳି କରାଯାଇଥିବା ଅଭିଯୋଗ ହୋଇଛି। ନାବାର୍ଡ଼ର ଆର୍ଥିକ ସହାୟତା ଓ ହର୍ଷାଟ୍ରଷ୍ଟ ନାମକ ସ୍ବେଛାସେବୀ ଅନୁଷ୍ଠାନର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସ୍ଥାପିତ ୧୫୦୦ ମଧ୍ୟରୁ ୧୪୦୦ରୁ ଊର୍ଦ୍ଧ୍ବ ମହୁବାକ୍ସର ମହୁମାଛି ମରିଯାଇଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି। ଦୁଇ ଅନୁଷ୍ଠାନ ତରଫରୁ ଦୋଷ ଲୁଚାଇବାକୁ ଯାଇ ଆନ୍ଧ୍ରପ୍ରଦେଶର ନନ୍ଦିୱାଲ ସାଂସଦ ପୋଚା ବ୍ରହ୍ମାନନ୍ଦ ରେଡ୍ଡୀଙ୍କୁ ଆଣି ସଫଳତାର ଅପପ୍ରଚାର ପ୍ରଚେଷ୍ଟାକୁ ସ୍ଥାନୀୟ ବୁଦ୍ଧିଜୀବୀ ନିନ୍ଦା କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅପରପକ୍ଷରେ ଆଦିବାସୀଙ୍କୁ ଜୀବିକା ଯୋଗାଇବା ଉଦ୍ଦେଶ୍ୟରେ କରାହାଇଥିବା ମହୁଚାଷ ନେଇ ଦୁଇଅନୁଷ୍ଠାନ ଜିଲା ପ୍ରଶାସନକୁ ଆଦୌ ଅବଗତ କରି ନ ଥିବା ବୋଲି ଏବେ ଅଭିଯୋଗ ହେଉଛି।


ସୂଚନା ମୁତାବକ କୋରାପୁଟ ଜିଲା ନନ୍ଦପୁର ବ୍ଲକର ଗୋଲୁର ପଞ୍ଚାୟତର ଗନ୍ଦିଗୁଡ଼ା ଓ ଡି.ଖୁଡ଼ୁବ, କୁଲାର୍ସି ପଞ୍ଚାୟତର ତାରଗାମପୁଟ ଓ କକଡ଼ା, ହାତିବାରି ପଞ୍ଚାୟତର ଏମଲାଗୁଡ଼ା ଓ ବାସକିବାରି, ପାଡୁଆ ପଞ୍ଚାୟତର କିରାମ୍ବା, କୁକୁଡ଼ାପକ୍ଷୀ, ଆମ୍ବାପଡ଼ା ଓ ଗୁମାଗୁଡ଼ା, ବାଲଡା ପଞ୍ଚାୟତର ଡାବାସପୁଟ ଗ୍ରାମର ୧୫୦ ପରିବାରଙ୍କୁ ପ୍ରତି ପରିବାର ପିଛା ୧୦ ଗୋଟି ହିସାବରେ ୧୫୦୦ ମହୁବାକ୍ସ ନାବାର୍ଡ଼ ଓ ହର୍ଷାଟ୍ରଷ୍ଟ ଅନୁଷ୍ଠାନ ପକ୍ଷରୁ ଯୋଗାଇଦିଆଯାଇଥିଲା। ବାକ୍ସ ସହ ଇଟାଲିୟନ ମହୁମାଛି ଯୋଗାଣ ନିମନ୍ତେ ଦୁଇ ଅନୁଷ୍ଠାନ ତରଫରୁ ଆନ୍ଧ୍ରପ୍ରଦେଶର ଆର୍‌କୁ ଅଞ୍ଚଳର ଭେଦିକ ହାଇଭେରୀ ହନି ନାମକ ଅନୁଷ୍ଠାନକୁ ଅହେତୁକ ଅନୁକମ୍ପା ପ୍ରଦାନ କରାଯାଇ ଅନୁବନ୍ଧିତ କରାଯାଇଥିଲା। ଉକ୍ତ ଅନୁଷ୍ଠାନର ପରିଚାଳକ ଓଡ଼ିଶା ରାଜ୍ୟ ନାବାର୍ଡ଼ର ଜଣେ ଅଧିକାରୀଙ୍କ ସମ୍ପର୍କୀୟଙ୍କର ବୋଲି ଜଣାପଡ଼ିଛି। ବାକ୍ସ, ମହୁମାଛି ସ୍ଥାପନ ଆଦି ପାଇଁ ହିତାଧିକାରୀଙ୍କ ପିଛା ଦେଢ଼ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରାଯାଇଥିଲା। କିନ୍ତୁ ନାବାର୍ଡ କିମ୍ବା ହର୍ଷାଟ୍ରଷ୍ଟ ପାଖରେ ମହୁମାଛି ପାଳନ ପାଇଁ ନ ଥିଲା ଅଭିଜ୍ଞତା, ପ୍ରଶିକ୍ଷଣ ଓ ମହୁମାଛି ପାଳନ ନିମନ୍ତେ ତାଲିମପ୍ରାପ୍ତ କର୍ମଚାରୀ। ଫଳତଃ ସ୍ଥାପନର ଅଳ୍ପକିଛି ଦିନ ମଧ୍ୟରେ ପ୍ରଥମ ମହୁ ଅମଳ ପରେ ଗୋଟିଏ ପରେ ଗୋଟିଏ ବାକ୍ସରୁ ମହୁମାଛି ମରିବା ଆରମ୍ଭ ହୋଇଥିଲା। ଯାହା ବର୍ତ୍ତମାନ ୧୪୧୦ରେ ପହଞ୍ଚିଛି। ନାବାର୍ଡ଼ର ଏହି ଯୋଜନା ଓ ହର୍ଷାଟ୍ରଷ୍ଟର ତଦାରଖ ସମ୍ପୂର୍ଣ୍ଣ ଫେଲ୍‌ ମାରିବା ପରେ ସଫଳତାର ଅପପ୍ରଚାର କରିବାକୁ ଦୁଇ ଅନୁଷ୍ଠାନ ତରଫରୁ ଉଦ୍ୟମ କରାଯାଇଛି। ସ୍ଥାନୀୟ ଜନସାଧାରଣ, ଲୋକପ୍ରତିନିଧି, ଗଣମାଧ୍ୟମ ଓ ଓଡ଼ିଆ ପ୍ରଶାସନିକ ଅଧିକାରୀଙ୍କୁ ଅଣଦେଖା ଓ ସେମାନଙ୍କ ଅଜାଣତରେ ସ୍ଥାପନ ହୋଇଥିବା ପ୍ରକଳ୍ପଗୁଡ଼ିକୁ ଆନ୍ଧ୍ରପ୍ରଦେଶ ନନ୍ଦୀୱାଲ ସାଂସଦଙ୍କୁ ଆଣି ଶିକ୍ଷଣୀୟ ପରିଦର୍ଶନ ଆଳରେ ଉଦ୍‌ଘାଟନ କରାଯାଇଛି। ଲୋକ ଦେଖାଣିଆ ଭାବେ ସାଂସଦଙ୍କ ଦ୍ବାରା ଉଦ୍‌ଘାଟିତ ଗୁଇଗ୍ରାମରେ ନନ୍ଦିଗୁଡ଼ା ଓ ଡି ଖୁଡୁବ ଗ୍ରାମ ପ୍ରକଳ୍ପର ମହୁମାଛି ମରି ଯାଇଥିଲେ ମଧ୍ୟ ରାତି ଅଧିଆ ବାକ୍ସ ପରିବର୍ତ୍ତନ କରାଯାଇଥିବା ଦେଖଣାହାରି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସାଧାରଣତଃ ବର୍ଷାଦିନରେ ଫୁଲର ଅଭାବରୁ ମହୁମାଛି ନିଜପାଇଁ ଖାଦ୍ୟ ଅଭାବରେ ଥିବାବେଳେ ସେଦିନ ସାଂସଦଙ୍କୁ ବାକ୍ସ ମଧ୍ୟରୁ ମହୁଫେଣା କାଢ଼ି କାଟି ଖାଇବାକୁ ଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।


ଯୋଜନାର ଅସଫଳତା, କୋଟିକୋଟି ଟଙ୍କା ପାଣିରେ ପଡ଼ିବା ଓ ମହୁମାଛି ମରିବା କାରଣ ଜାଣିବାକୁ କୋରାପୁଟ ନାବାର୍ଡ଼ ଏଜିଏମ୍‌ ମୁରାରି ମୋହନ ବେହେରା, ହର୍ଷାଟ୍ରଷ୍ଟ ପ୍ରକଳ୍ପ ପରିଚାଳକ ଗୌରାଙ୍ଗ ବାରିକ ଏବଂ କୋରାପୁଟ ମହୁ ଉତ୍ପାଦନ ପାଇଁ ପରିଚିତ ସର୍ବୋଦୟ ଅନୁଷ୍ଠାନର ପରିଚାଳକ ପ୍ରଦୀପ ମହାନ୍ତିଙ୍କ ପ୍ରତିକ୍ରିୟା ନେଇଥିଲୁ। ପ୍ରତିକ୍ରିୟାରେ ଶ୍ରୀ ବେହେରା ଓ ଶ୍ରୀ ବାରିକ ମହୁମାଛିଙ୍କ ମୃତ୍ୟ ଏକ ସାଧାରଣ ପ୍ରାକୃତିକ ପ୍ରକ୍ରିୟା ବୋଲି କହିଥିଲେ। କାରଣ ସେମାନଙ୍କ ଜୀବନକାଳ ମାତ୍ର ୪୫ ଦିନ। କୋରାପୁଟ ସର୍ବୋଦୟ ସମିତିର ପରିଚାଳକ ଶ୍ରୀ ମହାନ୍ତି ଗୋଟିଏ ମହୁବାକ୍ସରେ ୩ ପ୍ରକାରର ମହୁମାଛି ରୁହନ୍ତି ବୋଲି କହିଛନ୍ତି। ଏମାନେ ହେଲେ ରାଣୀ ମହୁମାଛି, ମହିଳା ତଥା ଶ୍ରମିକ ମହୁମାଛି ଓ ପୁରୁଷ ମହୁମାଛି। ରାଣୀ ମହୁମାଛିର ଜୀବନକାଳ ୩ବର୍ଷ, ଶ୍ରମିକ ମହୁମାଛି ୬ମାସ ଓ ପୁରୁଷ ମହୁମାଛିର ୨ମାସ ଜୀବନକାଳ। ବର୍ଷାଦିନେ ଜୁନ ମାସରୁ ଅକ୍ଟୋବର ମାସ ଯାଏଁ ସାଧାରଣତଃ ଫୁଲ ଓ ରେଣୁ ଆମ ଅଞ୍ଚଳରେ ମିଳି ନଥାଏ। ତେଣୁ ଖାଦ୍ୟ ଅଭାବ ଦୂର କରିବା ନିମନ୍ତେ ମହୁବାକ୍ସ ଓ ମାଛି ସ୍ଥାନାନ୍ତର ନିହାତି ଆବଶ୍ୟକ। କିମ୍ବା ବିକଳ୍ପ ବ୍ୟବସ୍ଥା ସ୍ୱରୂପ ଚିନିପାଣି ମହୁମାଛିଙ୍କୁ ଖାଦ୍ୟ ଆକାରରେ ଦିଆଯାଏ। ଟେଙ୍କର ( ଭିରୁଡ଼ି) ମାଛିଙ୍କ ମଧ୍ୟ ଏ ସମୟରେ ଭୟ ଥାଏ। କାରଣ ଦୁଇଟି ଭିରୁଡି ମାଛି ଗୋଟିଏ ବାକ୍ସରେ ଥିବା ହଜାର ମହୁମାଛିଙ୍କୁ ଗୋଟିଏ ଦିନରେ ମାରିଦେବାର ନଜିର ରହିଛି। ତେଣୁ ଅଭିଜ୍ଞ ଓ ପ୍ରଶିକ୍ଷିତ ମହୁଚାଷୀଙ୍କ ଦ୍ବାରା ଉପଯୁକ୍ତ ଦେଖାରଖା ନିହାତି ଆବଶ୍ୟକ। ଉପଯୁକ୍ତ ତାଲିମର ଅଭାବ ଓ ଅଜ୍ଞତା ସମସ୍ତ ଗ୍ରାମ​‌େ​‌ର ମହୁମାଛି ମରିବାର କାରଣ ବୋଲି କୀରାମ୍ବ ଗ୍ରାମର ବଲୁ ଖରା, ହରି ନାରିଆ, ଶନୁ ପାଙ୍ଗି, ବିଶ୍ବନାଥ ପାଙ୍ଗି, ସହଦେବ ଖରା, ଦିନାନାଥ ପାଙ୍ଗି, ରଘୁନାଥ ପାଙ୍ଗି, ତୁମାନାଥ ପାଙ୍ଗି,ସୋମନାଥ ପାଙ୍ଗି, ହରି ପାଙ୍ଗି ଓ ରାଜୁ ଖିଲ ପ୍ରମୁଖ ଅଭିଯୋଗ କରିଛନ୍ତି। ଏହାକୁ ତୀବ୍ର ସମାଲୋଚନା କରିଛନ୍ତି ପଟାଙ୍ଗି ବିଧାୟକ ପିତମ ପାଢ଼ୀ। ଜିଲା ଓ ରାଜ୍ୟ ପ୍ରଶାସନ ଦ୍ବାରା ଏଭଳି କୋଟି କୋଟି ଟଙ୍କା ନଷ୍ଟ ଓ ଅବହେଳାର ତଦନ୍ତ କରାଯିବା ସହ ଅନଭିଜ୍ଞ ଅନୁଷ୍ଠାନଗୁଡ଼ିକୁ ଏଭଳି ଗୁରୁଦାୟିତ୍ବ ନ ଦେବାକୁ ଜିଲାପାଳଙ୍କ ସମେତ ରାଜ୍ୟ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରିବେ ବୋଲି ସେ କହିଛନ୍ତି।