ଢେଙ୍କାନାଳ ,୦୨/୧୦ ( ଶୁଭମ ପାଣି) : – ଆଜି ଢେଙ୍କାନାଳ ଜିଲ୍ଲା ସଦର ମହକୁମାରେ ମହାସମାରୋହରେ ଜାତିର ପିତା ମହାତ୍ମାଗାନ୍ଧି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରନ୍ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଅଛି । ପବିତ୍ର ଜାତୀୟ ଦିବସ ଅବସରରେ ସ୍ଥାନୀୟ ଗାନ୍ଧିପାର୍କ ଠାରେ ସକାଳ ୭ ଘଟିକା ସମୟରେ ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତ୍ତି ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ , ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଧୀର କୁମାର ସାମଲ , ଜିଲ୍ଲା ପରିଷଦର ମାନ୍ୟବର ଅଧ୍ୟକ୍ଷା ଶ୍ରୀମତୀ ଅର୍ଜନା ପୁହାଣ , ପୌର ପରିଷଦର ମାନ୍ୟବର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର , ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀଙ୍କ ସମେତ ଢେଙ୍କାନାଳର ସମସ୍ତ ପୌର ପାରିଷଦ , ସମସ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାଲ୍ୟାପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଜାତିର ପିତା ମହାତ୍ମାଗାନ୍ଧି ଏବଂ ଲାଲ ବାହାଦୁର ଶାସ୍ତ୍ରୀ ଅହିଂସାର ମାର୍ଗ ଦର୍ଶକ , ଶାନ୍ତିର ବାର୍ତ୍ତାବହ ଥିଲେ ବୋଲି ମାନ୍ୟବର ସାଂସଦ ପ୍ରକାଶ କରି ମହାନ ଆତ୍ମା ଙ୍କର ସ୍ମୃତି ଚାରଣ କରିଥିଲେ । ଅହିଂସା ଓ ସଦ୍ଭାବନାର ପଥ ଅନୁସରଣ କରି ଦେଶ ମାତୃକାର ସେବା କରିବାକୁ ସମସ୍ତେ ଆଗେଇ ଆସିବାକୁ ଜିଲ୍ଲାପାଳ ଆହ୍ବାନ ଦେଇଥିଲେ ମାଲ୍ୟାପଣ ପରେ ଗାନ୍ଧିପାର୍କ ଠାରେ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥ । ଡକ୍ଟର ଶ୍ରୀମତୀ ଅନୁପମା ମିଶ୍ର ଗୀତା ପବିତ୍ର ପାଠ ଏବଂ ଜନାବ ନଜରୁଲ ଇସଲାମ ପବିତ୍ର କୋରାନ ପାଠ କରିଥିଲେ ।
ଗାନ୍ଧିଜୟନ୍ତୀ ଉପଲକ୍ଷେ ଆୟୋଜିତ ଜିଲ୍ଲା ସ୍ତରୀୟ ହାଇ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଓଡିଆ ବକ୍ତୃତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥ୍ମାନେ ପୁରସ୍କୃତ କରିଥିଲେ । ଏହି ପବିତ୍ର ଦିବସ ଅବସରରେ ଡକ୍ଟର ଶ୍ରୀମତୀ ଅନୁପମା ମିଶ୍ର ଏବଂ ଜନାବ ନଜରୁଲ ଇସଲାମଙ୍କୁ ମାନ୍ୟବର ସାଂସଦ ଏବଂ ଜିଲ୍ଲାପାଳ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ପବିତ୍ର ଜୟନ୍ତୀ ଅବସରରେ ପୌର ପାଳିକା ପକ୍ଷରୁ ଗାନ୍ଧିମାର୍ଗ ପାର୍ଶ୍ବରେ ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀଙ୍କ ପ୍ରତିମୂର୍ତ୍ତି , ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାର୍ଶ୍ବରେ ଭାରତରନ୍ ଲାଲବାହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତି ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତିକୁ ଅତିଥ୍ ବୃନ୍ଦ ଉନ୍ମୋଚନ କରିଥ୍ ଲି । ଏହି ଅବସରରେ ଅତିଥିମାନେ ସହରର ଭୂମିହୀନଙ୍କୁ ଜମି ପଟ୍ଟା ପ୍ରଦାନ କରିବା ସହିତ ସେମାନଙ୍କୁ କମ୍ବଳ ପ୍ରଦାନ କରିଥିଲେ । ସରକାରୀ ବେସାମରିକ ଉଡାଣ ପ୍ରଶିକ୍ଷଣ ଅନୁଷ୍ଠାନ , ବିରାଶାଳ ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ଆମ୍ବୁଲାନ୍ସ କୁ ମାନ୍ୟବର ବିଧାୟକ ହସ୍ତାନ୍ତର କରିଥିଲେ । ପଥ ଉତ୍ସବ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ସମସ୍ତ ପ୍ରତିଭାବାନମାନଙ୍କୁ ମାନ୍ୟବର ବିଧାୟକ ଏବଂ ଜିଲ୍ଲାପାଳ ମହୋଦୟ ପୁରସ୍କାର ପ୍ରଦାନ କରିଥିଲେ ।
ଏହି ଅବସରରେ ପୌର ପାଳିକା ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାନ୍ଧିମାର୍ଗରେ ପଥ ଉତ୍ସବ ( ରାହାଗିରି ) ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ଅନୁଷ୍ଠାନ ଓ ବିଦ୍ୟାଳୟର ପିଲାମାନେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା । ଈଶ୍ଵରୀୟ ପ୍ରଜାପିତା ବ୍ରହ୍ମକୁମାରୀ ଏବଂ ଇସ୍କନ ସଂସ୍ଥା ପକ୍ଷରୁ ଆୟୋଜିତ ଆଧ୍ୟାତ୍ମିକ କେନ୍ଦ୍ରରେ ଅଧ୍ୟାତ୍ମିକ ବାର୍ତ୍ତା ପ୍ରଚାର କରାଯାଇଥିଲା । ପବିତ୍ର ଜୟନ୍ତୀ ଉପଲକ୍ଷେ ସହର ମଧ୍ୟରେ ପ୍ରତ୍ୟୁଷରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ବାରା ରାମଧୂନ ପରିବେଷଣ କରଯାଇଥିଲା ଏବଂ ସହରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପ୍ରଭାତ ଫେରି ଆୟୋଜିତ ହୋଇଥିଲା । ସନ୍ଧ୍ୟାରେ ଗୋପବନ୍ଧୁ ଟାଉନ ହଲ ଠାରେ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଗାନ୍ଧିଜୀଙ୍କ ପ୍ରିୟ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା ।