ମୁନିଗୁଡା/ରାୟଗଡ:୧୦/୦୮(ପ୍ରଫୁଲ୍ଲ କୁମାର ବେହେରା): ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ମୁନିଗୁଡା-ବାଲିଗୁଡା ରାସ୍ତାର ହୁକୁମାତୋଳା ଛକରୁ ଶହେ ମିଟର ଆଗକୁ ଏକ ବିଶାଳ ବରଗଛ ଲଗାଣ ବର୍ଷାରେ ଉପୁଡି ପଡିବା ଫଳରେ ଯାତାୟତ ଦୀର୍ଘ ସମୟ ଠପ ହୋଇଯାଇଥିଲା।ଦୀର୍ଘ ସମୟ ଧରି ଆମ୍ବୁଲାନ୍ସ ମଧ୍ୟ ଛିଡ଼ା ହୋଇ ରହିଥିଲା।ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ଘନୀଭୂତ ଲଘୁଚାପ ଅବପାତ ପରେ ମୁନିଗୁଡ଼ାରେ ଦୁଇଦିନ ଧରି ଲଗାଣ ବର୍ଷା ଚାଲିଛି।ବେଳକୁ ବେଳ ବର୍ଷା ବଢିବା ସହିତ ଏହାର ପ୍ରକୋପ ଜନ ଜୀବନ ଉପରେ ପ୍ରଭାବ ପକାଉଥିବା ଦେଖିବାକୁ ମିଳୁଛି।ଆଜି ଭୟଙ୍କର ବର୍ଷାରେ ହୁକୁମତୋଳା ବାଲିଗୁଡା ରାସ୍ତାର ବାମ ପଟରେ ଥିବା ଶହେବର୍ଷରୁ ଉର୍ଦ୍ଧ ବିଶାଳ ବରଗଛଟି ରାସ୍ତା ଉପରେ ଉପୁଡି ପଡିଥିଲା।ଫଳରେ ସେହି ରାସ୍ତା ଦୀର୍ଘ ସମୟ ବନ୍ଦ ହୋଇ ଯାଇଥିଲା।ଏତେ ବଡ଼ ଆଉ ବହୁ ପୁରାତନ ଗଛଟି ଉପୁଡି ପଡିଥିବା ଦେଖି ବହୁ ଲୋକଙ୍କ ମନରେ ଦୁଃଖ ଆସିଥିବା ବେଳେ ବର୍ଷା ପାଣିରେ ଏତେ ବଡ ଗଛ ଉପୁଡିବାକୁ ନେଇ ବିଶ୍ବାସ ଲାଗୁନାହିଁ।ହେଲେ ବର୍ଷା ପାଣିରେ ଗଛର ମୂଳରୁ ମାଟି ଧୋଇଯିବା ଫଳରେ ଗଛ ଉପୁଡି ଯାଇଥିବା ମନେକରାଯାଏ।ବରଗଛଟି ଆଜି ସକାଳ ୯ଟାରେ ରାସ୍ତା ଉପରେ ଟଳି ପଡିଥିବା ଦେଖି ଆମ ପ୍ରତିନିଧି ମୁନିଗୁଡା ବନ ବିଭାଗ,ଅଗ୍ନିଶମ ବିଭାଗ,ବିଦ୍ୟୁତ ବିଭାଗ ଓ ପୋଲିସ ଷ୍ଟେସନକୁ ଖବର ଦେବାପରେ ଯୁଦ୍ଧ କାଳୀନ ଭିତ୍ତିରେ ଗଛକୁ କଟାଯାଇ ରାସ୍ତା ଅବରୋଧ ହଟାଇବାକୁ ବ୍ୟବସ୍ଥା ଚାଲିଛି।ହେଲେ ଦିନ4 ଟା ସୁଦ୍ଧା ବନ ବିଭାଗର କେହିବି ଏଠାରେ ପହଂଚିନଥିଲେ।ମୁନିଗୁଡା ଥାନା ସେକେଣ୍ଡ ଅଫିସର ଏସ ଆଇ ନରସିଂହ ବେହେରା ପୋଲିସ ଦଳ ସହ ଉଦ୍ଧାର କାର୍ଯ୍ୟରେ ଅଗ୍ମିସମ ବିଭାଗର ଅଭିରାମ ନାୟକ,ରିପୁଚନ୍ଦ୍ର ସାହୁ,ଏପି .ରେଡି,ହେମନ୍ତ ଭୋଇ ଓ ବିଦ୍ୟୁତ ବିଭାଗର ଶଙ୍କର କୁମାରଙ୍କୁ ସହଯୋଗ ଜାରି ରଖିଥିଲେ।ଅଗ୍ନିଶମ କର୍ମଚାରୀମାନେ ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ସେମାନଙ୍କ ହାତ ହତିଆର ସାହାଯ୍ୟରେ ଗଛକୁ କାଟୁଥିବା ଦେଖିବାକୁ ମିଳୁଥିଲା।ଗଛଟିର ବିଶ୍ୱାଳତାକୁ ଦେଖି ମୁନିଗୁଡା ଅଗ୍ନିଶମ ବିଭାଗର ଅନୁରୋଧକ୍ରମେ ବିଷମକଟକ ଅଗ୍ନିଶମ ବିଭାଗ ଆସି ରାସ୍ତା ସଫା କରିବାରେ ସାହାଯ୍ୟ କଲା ପରେ ରାସ୍ତା ସଫା ହୋଇଥିଲା ।