ଫୁଲବାଣୀ ବିଧାୟକ ଓ ସରପଞ୍ଚ ଦଶମ ପରୀକ୍ଷା ଦେଲେ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ଚଳିତ ବର୍ଷ କନ୍ଧମାଳ ଜିଲ୍ଲା ଫୁଲବାଣୀର ବିଧାୟକ ଅଙ୍ଗଦ କହଁର ଓ ଲୁଇସିଂ ପଞ୍ଚାୟତ ର ସରପଞ୍ଚ ସୁଦର୍ଶନ କହଁର ଦେଉଛନ୍ତି ମାଟ୍ରିକ ପରୀକ୍ଷା । ଏହାକୁ ନେଇ ଏବେ କନ୍ଧମାଳ ଜିଲ୍ଲାରେ ବେସ୍ ଚର୍ଚ୍ଚା ଚାଲିଛି । ଏକଥା କିଛି ନୁଆ ନୁହେଁ । ପୂର୍ବରୁ ଏମିତି ଅନେକ ବିଧାୟକ ମଧ୍ୟ ଦଶମ ପରୀକ୍ଷା ଦେଇଛନ୍ତି ଏବଂ ଉତ୍ତୀର୍ଣ୍ଣ ମଧ୍ୟ ହୋଇଛନ୍ତି । ହେଲେ ଫୁଲବାଣୀ ବିଧାୟକ ପୂର୍ବରୁ ଦଶମ ପଢ଼ୁଥିବା ବେଳେ ତାଙ୍କର ଆର୍ଥିକ ଓ ପାରିବାରିକ ସମସ୍ୟା କାରଣରୁ ସେତେବେଳେ ସେ ମାଟ୍ରିକ ପରୀକ୍ଷା ଦେଇପାରି ନଥିଲେ । କାଳକ୍ରମେ ବୟସ ବଢ଼ିବାସହ ସେ ରାଜନୈତିକ ବ୍ୟସ୍ତତା ଯୋଗୁଁ ସମୟ ବାହାର କରିନପାରି ପାଠପଢ଼ାରୁ ଦୂରେଇ ରହିଥିଲେ । ବୟସ୍କ ଲୋକମାନେ ପରୀକ୍ଷା ଦେଉଥିବା ବିଭିନ୍ନ ଗଣମାଧ୍ୟମରୁ ଜାଣିବା ପରେ ତାଙ୍କର ଜଣେ ଘନିଷ୍ଠ ବନ୍ଧୁଙ୍କ ସହ ଆଲୋଚନା ପରେ ଆଜି ମିଶି ଦୁହେଁ ପରୀକ୍ଷା ଦେବାକୁ ଯାଇଥିବା ଜଣାପଡ଼ିଛି । ବୟସକୁ ଦ୍ୱାହି ଦେଇ ପାଠପଢ଼ାରୁ ଦୂରେଇ ରହୁଥିବା ଲୋକଙ୍କୁ ଏହା ପ୍ରେରଣା ଯୋଗାଇବ । ରୁଜାଙ୍ଗି ହାଇସ୍କୁଲରେ ବିଧାୟକ ଅଙ୍ଗଦ କହଁରଙ୍କ ସହ ଲୁଇସିଂ ସରପଞ୍ଚ ସୁଦର୍ଶନ କହଁର ମଧ୍ୟ ପରୀକ୍ଷା ଦେଇଛନ୍ତି ।