ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର, ଶେଷରେ ଖବରକାଗଜ ମାଲିକାଣି ତଥା ଦୟାଲ ଆଶ୍ରମ ମୁଖ୍ୟ ଶର୍ମିଷ୍ଠା ରାଉତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ପୋଲିସ । କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଗିରଫ । ଆଜି ଭଦ୍ରକର ନଲାଙ୍ଗ ରୁ କ୍ରାଇମବ୍ରାଞ୍ଚ ଓ ଭଦ୍ରକ ପୋଲିସ ମିଳିତ ଚଢ଼ାଉ ରେ ଗିରଫ କରିଛି । ଶର୍ମିଷ୍ଠା ସହିତ ଅପରାଧରେ ଜଡିତ ଥିବା ଏବଂ ଫେରାର ଥିବା ସହଯୋଗୀ ଝୁନା ଭୋଇ ମଧ୍ୟ ଗିରଫ ହୋଇଛନ୍ତି। ଉଭୟଙ୍କୁ କୋର୍ଟରେ ହାଜର କରାଯିବା ପରେ ତାଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିବ କ୍ରାଇମବ୍ରାଞ୍ଚ। ପୂର୍ବରୁ ଏହି ମାମଲାରେ ୫ ଜଣ ଗିରଫ ହୋଇଛନ୍ତି।

ସୂଚନା ଅନୁଯାୟୀ, ଭୁବନେଶ୍ୱରର ଦୟାଲ ବୃଦ୍ଧାଶ୍ରମରେ କ୍ରାଇମବ୍ରାଞ୍ଚ ଟିମ୍ ର ତନାଘନା କରାଯାଉଛି । ଡ଼ିଏସପି କଳ୍ପନା ସାହୁଙ୍କ ନେତୃତ୍ୱରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି । ଆଶ୍ରମର ମହିଳା କେୟାରଟେକର ଙ୍କୁ ସାଥୀରେ ଧରି ଛାନଭିନ୍ ଆରମ୍ଭ ହୋଇଛି । ଫରେନସିକ୍ ଟିମ୍ ସହ ଏମସ୍ ର ଡ଼ାକ୍ତରୀ ଦଳ ମଧ୍ୟ ଏହି ଛାନଭିନ୍ ର ସାମିଲ୍ ହୋଇଛନ୍ତି । ବୁଧବାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ପୋଲିସ୍‌ ଡିଜି । ଏହି ମାମଲାରେ ଜଡ଼ିତ ସମସ୍ତ କାଗଜପତ୍ର କ୍ରାଇମ୍‌ବ୍ରାଞ୍ଚକୁ ହସ୍ତାନ୍ତର ହୋଇଥିଲା । ତଦନ୍ତ ପାଇଁ ଚାନ୍ଦବାଲି ଅଭିମୁଖେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ବାହାରିଥିଲା । ସେହିପରି ଅନ୍ୟଏକ ଟିମ୍‌ ଶର୍ମିଷ୍ଠାଙ୍କୁ ଗିରଫ କରିବା ପାଇଁ ବାହାରିଥିବା ସୂଚନା ମିଳିଥିଲା ।

ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଏବଂ ତାଙ୍କ ସହଯୋଗୀ ଝୁନା ଭୋଇ ଯାଜପୁର କାଳିଆପାଣି ଅଞ୍ଚଳରେ ୩ ଦିନ ଲୁଚି ରହିଥିବା ପୋଲିସ୍‌କୁ ସୂଚନା ମିଳିଛି । ଏନେଇ ଖବର ଜଣାପଡିବା ପରେ ଶର୍ମିଷ୍ଠାଙ୍କ ଶାଶୁଙ୍କୁ ତଦନ୍ତକାରୀ ଟିମ୍ ପଚରାଉଚରା କରି ଫେରିଥିବା ଜଣାପଡିଛି । ମାମଲାରେ ତଦନ୍ତକୁ ତ୍ୱରାନିତ ନେଇ ରାଜ୍ୟ ବାହାରକୁ କ୍ରାଇମବ୍ରାଞ୍ଚର ଏକ ଟିମ୍‌ ଗସ୍ତ କରିଛି ।