ଚଣ୍ଡେଶ୍ୱର-୦୨/୦୩(ବିନୁ ଦାସ୍):-ଖୋର୍ଦ୍ଧା ଜିଲ୍ଲାର ଦ୍ୱାଦଶ ଶତାବ୍ଦୀର ପ୍ରସିଦ୍ଧ ଶୈବପୀଠ ଚଣ୍ଡେଶ୍ୱର ଦେବଙ୍କ ପବିତ୍ର କେଶର କ୍ଷେତ୍ରରେ ଶିବରାତ୍ରୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଦୀର୍ଘ ଦୁଇ ବର୍ଷ ଧରି କୋଭିଡ କଟକଣା ରହି ସାଧାରଣ ଦର୍ଶନ ବନ୍ଦ ରହିଥିବା ବେଳେ ଦୁଇ ବର୍ଷ ପରେ ପୁଣି ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ପୂର୍ବାହ୍ନ ଆଠ ଘଟିକା ଠାରୁ ଉପବାସ କରିଥିବା ଶ୍ରଦ୍ଧାଳୁ ଭକ୍ତ ମାନଙ୍କର ସମାବେଶରେ ମନ୍ଦିର ପରିସର ମୁଖରିତ ହେବା ସହିତ ହରିବୋଲ ହୁଳହୁଳି ଧ୍ଵନି ଗଗନ ପବନକୁ ମୁଖରିତ କରୁଥିଲା।ଅପରାହ୍ନ ତିନି ଘଟିକା ଠାରୁ କୌସୁମୀ ନଦୀର ହୁଳୁହୁଳା ଗଣ୍ଡକୁ ପ୍ରଭୁଙ୍କ ଚଳନ୍ତି ପ୍ରତିମା ଜଳଯାତ୍ରା କରିଥିଲେ। ଦୋଳ ବିମାନରେ ବିଜେପ୍ରତିମା ଆରୋହଣ କଲାପରେ ଛତ୍ର,ଚାମର,ଆଲଟ ସେବାର ଅପୂର୍ବ ସେବା ଦେଖିବାକୁ ମିଳିଥିଲା।ଘଣ୍ଟ ମର୍ଦଳ ର ତାଳେ ତାଳେ ବାଦକ ମାନଙ୍କର ନୃତ୍ୟ ଓ ତାନମାନ ଚମତ୍କାରିତା ସୃଷ୍ଟି କରୁଥିଲା। ସଂକୀର୍ତ୍ତନ, ଢୋଲ, ଟମକ ବାଦ୍ୟ ବାଦନ କରି ଅସଂଖ୍ୟ ଭକ୍ତ ଏବଂ ସେବାୟତ ମାନଙ୍କ ଦ୍ୱାରା ଶୋଭାଯାତ୍ରା ଅତିରମଣୀୟ ଶୋଭା ଧାରଣ କରିଥିଲା।ଜଳଯାତ୍ରା ପରେ ଚଣ୍ଡୀହର ଦେବଙ୍କ ବିଧିନୁଯାୟୀ ସ୍ନାନବିଧି ସମାପନ ହୋଇଥିଲା।ଅପରାହ୍ନ ଚାରି ଘଟିକା ପରେ ହଜାର ହଜାର ଭକ୍ତ ବେଢ଼ା ଭିତରେ ଏବଂ ବାହାରେ ବସି ଦୀପମାନ ଜାଳି ପ୍ରଭୁଙ୍କ ଭକ୍ତି ରେ ମଜି ରହିଥିଲେ।
ସୂଚନାଯୋଗ୍ୟ କି ପ୍ରଭୁ ଚଣ୍ଡେଶ୍ୱର ଦେବଙ୍କ ଚାରିଗୋଟି ଦୁର୍ଲଭ ବେଷ କରାଯାଇଥିଲା। ଘୃତ କମଳ ବେଷ, ନାଗା ଭରଣ ବେଷ, ରାଜ ରାଜେଶ୍ୱର ବେଷ ଏବଂ ଯୋଗୀ ବେଷ ମାଧ୍ୟମରେ ପର୍ଯ୍ୟାୟ କ୍ରମେ ହଜାର ହଜାର ଭକଙ୍କୁ ସାରା ରାତି ଦର୍ଶନ ଦେଇଥିଲେ।ନିୟମାନୁସାରେ ରାତ୍ର ଚାରି ଘଟିକା ସମୟେ ଚାରି ବେଷ,ଚାରି ବେଷ ସମାପନ ହେବା ସହିତ ହରିହର ଭେଟ ଏବଂ କେତକୀ ଲାଗି କରାଯିବା ପରେ ମହାଦୀପ ମନ୍ଦିର ଉପରକୁ ଉଠାଯାଇଥିଲା।
ଏହି ମହାସମାରୋହରେ ମନ୍ଦିର ର ମ୍ୟାନେଜିଙ୍ଗ ଟ୍ରଷ୍ଟ ସଭାପତି ନାରାୟଣ ରଣା,ଚଣ୍ଡେଶ୍ୱର ସରପଞ୍ଚ ସୁଧାକର ମହାପାତ୍ର,ଟାଙ୍ଗୀ ଥାନାଧିକାରୀ ବିଜୟ ମଲ୍ଲିକଙ୍କର ତତ୍ୱାବଧାନ ରେ ଦୁଇ ପ୍ଲାଟୁନ ଫୋର୍ସ ଙ୍କର ସହିତ ମନ୍ଦିର ଟ୍ରଷ୍ଟ ର ସମସ୍ତ ସଦସ୍ୟଙ୍କର ସହଯୋଗ ରେ ସୁନ୍ଦର ଭାବେ ସମାହିତ ହୋଇଥିଲା।