ଆରପାରିରେ ଲତା ମଙ୍ଗେସକର

ମୁମ୍ବାଇ : ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର ଆଉ ନାହାନ୍ତି। ୯୨ ବୟସରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଦୁନିଆକୁ ଅଲବିଦା କହିଛନ୍ତି ଭାରତରତ୍ନ ଲତା ଦିଦି। ଭାରତୀୟ ସଙ୍ଗୀତର ଏକ ମାଇଲଷ୍ଟାନ୍ ଉପୁଡି ପଡିଲା କହିଲେ ଭୁଲ ହେବନି। ଲତାଙ୍କ ବିୟୋଗରେ ସାରା ଦେଶରେ ଏବେ ଶୋକର ଛାୟା ଖେଳି ଯାଇଛି।

ଜାନୁୟାରୀ ୮ ତାରିଖରେ ଲତା କୋଭିଡ ପଜିଟିଭ ହେବା ପରେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ଆଇସିୟୁରେ ରଖିବାକୁ ପରାମର୍ଶ ଦେଇଥିଲେ। ସେବେଠାରୁ ଲତା ସେହିଠାରେ ହିଁ ରହିଥିଲେ। ଦୀର୍ଘ ୨୭ ଦିନ କାଳ ହସ୍ପିଟାଲରେ ରହିଥିବା ବେଳେ ଶନିବାର ତାଙ୍କ ଅବସ୍ଥା ବିଗିଡି ଯାଇଥିଲା। ସ୍ଥିତି ବିଗୁଡୁଥିବା ଦେଖି ଲତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା।  ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ପ୍ରତିତ ସମଦାନି କହିଥିଲେ ଯେ, ଅବସ୍ଥା ବିଗୁଡୁଥିବା ଦେଖି ତାଙ୍କୁ ଆଗ୍ରେସିଭ୍ ଥେରାପି ଦ୍ବାରା ଚିକିତ୍ସା କରାଯାଉଛି। କିନ୍ତୁ ବହୁ ଚେଷ୍ଟା ସତ୍ବେ ଲତାଙ୍କୁ ବଞ୍ଚାଇ ପାରି ନ ଥିଲେ ଡାକ୍ତର। 


୨୮ ସେପ୍ଟେମ୍ବର ୧୯୨୯ ମସିହାରେ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଦିନାନାଥ ମଙ୍ଗେସକର ଓ ସେବନ୍ତି ଓରଫ ସୁଧାମତି ମଙ୍ଗେସକରଙ୍କ କୋଳ ମଣ୍ଡନ କରି ଜନ୍ମଗ୍ରହଣ କରିଥିଲେ କୋକିଳ କଣ୍ଠୀ ଲତା ମଙ୍ଗେସକର। ପିଲାଟିବେଳୁ ପ୍ରଥମେ ଫିଲ୍ମରେ ଅଭିନୟ କରୁକରୁ ସେ ପାଲଟିଥିଲେ ପ୍ରଚ୍ଛଦପଟ୍ଟ ଗାୟିକା। ଲକ୍ଷାଧିକ ସିନେମାରେ ଗୀତ ଗାଇଥିବା ଲତାଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ଭାରତ ସରକାର ତରଫରୁ ୨୦୦୧ରେ ଭାରତରତ୍ନ ମିଳିଥିଲା। ଏହା ପୂର୍ବରୁ ୧୯୬୯ରେ ପଦ୍ମଭୁଷଣ, ୧୯୯୯ରେ ପଦ୍ମ ବିଭୁଷଣ, ୧୯୯୦ରେ ଦାଦା ସାହେବ ଫାଲକେ, ୧୯୯୪ରେ ଫିଲ୍ମ ଫେୟାର ଲାଇଫଟାଇମ୍ ଆଚିଭେମଣ୍ଟ ଆଓ୍ବାର୍ଡ ମିଳିଥିଲା।