ସକାଳ ୭ରୁ ଦିନ ୧ଟା ପର୍ଯ୍ୟନ୍ତ ହେବ ମତଦାନ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ପଞ୍ଚାୟତ ନିର୍ବାଚନ ହେବାର ସମ୍ଭାବନା ଥିବାବେଳେ ରାଜ୍ୟ ନିର୍ବାଚନ କମିଶନର ଆଜି କେତେକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଚଳିତଥର ପଞ୍ଚାୟତ ନିର୍ବାଚନ ପାଇଁ ଭୋଟଗ୍ରହଣ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ। ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶନାମା ଅନୁସାରେ ଓଡ଼ିଶା ଗ୍ରାମ ପଂଚାୟତ ନିର୍ବାଚନ ରୁଲସ୍‌, ଓଡ଼ିଶା ପଞ୍ଚାୟତ ସମିତି ନିର୍ବାଚନ ରୁଲସ, ଓଡ଼ିଶା ଜିଲ୍ଲା ପରିଷଦ ନିର୍ବାଚନ ରୁଲସରେ ପ୍ରଦତ୍ତ କ୍ଷମତାକୁ ଉପଯୋଗ କରି ରାଜ୍ୟ ନିର୍ବାଚନ କମିଶନ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଭୋଟଗ୍ରହଣ ଅବଧିକୁ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ସ୍ଥିରୀକୃତ କରିଛନ୍ତି। ଏହାସହିତ କମିଶନ ଚଳିତଥର ଭୋଟଗଣତି ବୁଥସ୍ତରରେ ନକରି ବ୍ଲକସ୍ତରରେ କରାଯିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ବ୍ଲକସ୍ତରରେ ଭୋଟଗଣତି କ୍ରମାଗତ ୩ ଦିନ ଧରି ଚାଲିବ। ମତଦାନର ତାରିଖ ଆଧାରରେ ଭୋଟ ଗଣତି ତାରିଖ ସ୍ଥରୀକୃତ ହେବ ବୋଲି ଜଣାପଡ଼ିଛି।