ଭୁବନେଶ୍ୱର : ପୌର ନିର୍ବାଚନ ନେଇ ଫିଟିଲା ବାଟ। ପୌର ଆଇନରେ ସଂଶୋଧନକୁ ଗତ ସପ୍ତାହରେ ରାଜ୍ୟପାଳ ଗଣେଶୀ ଲାଲଙ୍କ ଅନୁମୋଦନ ପରେ ଆଇନ ବିଭାଗ ପକ୍ଷରୁ ଗେଜେଟ୍ ନୋଟିସ୍ ଜାରି ହୋଇଛି। ଏହି ଆଇନ ଅନୁସାରେ ପୌର ନିର୍ବାଚନରେ ସଂରକ୍ଷଣକୁ ସର୍ବାଧିକ ୫୦ ପ୍ରତିଶତ ମଧ୍ୟରେ ସୀମିତ ରଖାଯିବ।
ଗେଜେଟ୍ ବିଜ୍ଞପ୍ତି ପରେ ଏବେ ନଗର ଉନ୍ନୟନ ବିଭାଗ ଉପରେ ରାଜନୈତିକ ମହଲର ନଜର ରହିଛି। ବିଭାଗ ପକ୍ଷରୁ ଯେ କୌଣସି ଦିନ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇପାରେ। ପୌର ନିର୍ବାଚନରେ ୱାର୍ଡ ପୁନଃର୍ଗଠନ ସହ ସଂରକ୍ଷଣ କରାଯିବ। ଏଥିପାଇଁ ୨ରୁ ୩ ମାସ ସମୟ ଲାଗିପାରେ।
ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଆସନ୍ତା ବର୍ଷ ଦ୍ୱିତୀୟାର୍ଦ୍ଧରେ ପୌର ନିର୍ବାଚନ ହେବାର ସମ୍ଭାବନା ରହିଛି। ୨୦୧୮ ମସିହାରୁ ରାଜ୍ୟର ପୌରାଞ୍ଚଳରେ ନିର୍ବାଚନ ପରିଷଦର କାର୍ଯ୍ୟକାଳ ଶେଷ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ବାଚନ ହୋଇପାରିନାହିଁ। ନିର୍ବାଚନ ହୋଇନଥିବାରୁ ସବୁଠି ପ୍ରଶାସକ ନିଯୁକ୍ତି ଦିଆଯାଇଛି।