ଅପରାଜିତା ଙ୍କୁ “ଚା” ଖଟିରେ ଭେଟିଲେ ଓଡିଶା ଦୁର୍ନୀତି ସଂଘର୍ଷ ମଞ୍ଚ

ଗୁଣୁପୁର, (ସିଦ୍ଧାର୍ଥ ଦାସଙ୍କ ରିପୋର୍ଟ) ୦୬।୧୦, ରାୟଗଡା ଜିଲ୍ଲା ସ୍ୱାଭିମାନ ମଞ୍ଚର ନିମନ୍ତ୍ରଣ ରକ୍ଷାକରି ଭୁବନେଶ୍ୱର ସାଂସଦ ତଥା ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଙ୍କ ଗୁଣପୁର ଗସ୍ତ ସମୟରେ ସଦର ମହକୁମା ମୁଖ୍ୟ ରାସ୍ତାରେ ଏକ ଚାହା ଦୋକାନ ଠାରେ ଚା ଖଟି ରେ ଯୋଗ ଦେଇଥିଲେ । ସେ ଏଠାରେ ସ୍ଥାନୀୟ ଲୋକଙ୍କ ସହ କଥା ହୋଇ ସେମାନଙ୍କର ବ୍ୟକ୍ତିଗତ ଅସୁବିଧା ବୁଝିଥିଲେ । ଏହି ଅବସର ରେ ଓଡିଶା ଦୁର୍ନୀତି ସଂଘର୍ଷ ମଞ୍ଚର ଗୁଣପୁର ଶାଖା ସଦସ୍ୟ ମାନେ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏଥିରେ ରେଳଯାତ୍ରୀ ମାନେ ସମ୍ମୁଖୀନ କରୁଥିବା ଅସୁବିଧା ମାନ ଉଲ୍ଳେଖକରି ଏହାର ସୁବ୍ୟବସ୍ଥା ନିମନ୍ତେ କେନ୍ଦ୍ର ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଅନୁରୋଧ କରିଛନ୍ତି ।

ଯାତ୍ରାର ସୁବିଧା ନିମନ୍ତେ ଷ୍ଟେସନ କାଉଣ୍ଟର ରେ ଟିକେଟ ରିଜରଭେସନ ର ସୁବିଧା କରାଯିବା, ଷ୍ଟେସନ ଫାଟକ ଆଗରେ ଗାଡି ଗୁଡିକୁ ରଖି ଅଟୋ ଚାଳକ ମାନେ ରାସ୍ତା ଜାମ କରୁଥିବା ଅବ୍ୟବସ୍ଥା କୁ ହଟାଇବା ନିମନ୍ତେ ଷ୍ଟେସନ ଠାରେ ଅଟୋ ପାର୍କିଙ୍ଗ ର ବ୍ୟବସ୍ଥା କରିବା, ଯାତ୍ରୀଙ୍କ ସୁରକ୍ଷା ନିମନ୍ତେ ଷ୍ଟେସନ ଠାରେ ରେଲୱେ ସୁରକ୍ଷା ବଳ ଙ୍କୁ ଗୁଣପୁର ଷ୍ଟେସନ୍ ରେ ନିୟୋଜନ କରିବା , ଦୂରଦୂରାନ୍ତ ରୁ ଆସୁଥିବା ଯାତ୍ରୀଙ୍କ ଯାନବାହନ କୁ ରଖିବା ନିମନ୍ତେ ସ୍ଥାୟୀ ଗାଡି ପାର୍କିଙ୍ଗର ବ୍ୟବସ୍ଥା କରିବା , ନିତିଦିନ ଚାଲୁଥିବା ଗୁଣପୁର ଠାରୁ ପୁରୀ ଓ ରାଉରକେଲା ଗାଡିକୁ ଗୁଣପୁର ଠାରେ ସଫା କରିବା ନିମନ୍ତେ ବ୍ୟବସ୍ଥା କରିବା , ବଂଶଧାରା ଜଳ ବିବାଦ ରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିବା ଏବଂ ବଂଶଧାରା ଅବବାହିକା ଅଞ୍ଚଳର ଚାଷୀଙ୍କ ସୁବିଧା ନିମନ୍ତେ ବଂଶଧାରା ର ଉପର ମୁଣ୍ଡରେ ଡ୍ୟାମର ନିର୍ମାଣ କରିବା ଦିଗରେ କେନ୍ଦ୍ର ସରକାର ଙ୍କୁ ଅବଗତ କରାଇବା ଭଳି ଦାବୀମାନ ଉଲ୍ଲେଖ କରି ଅନୁରୋଧ କରିଛନ୍ତି ।