ଭୁବନେଶ୍ୱର, : ଲଘୁଚାପ ପ୍ରଭାବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ରବିବାର ଠାରୁ ପ୍ରବଳ ବର୍ଷା ହେଉଛି। ଗତକାଲି ସକାଳ ୮ଟା ୩୦ରୁ ଆଜି ସକାଳ ୬ଟା ୩୦ ମଧ୍ୟରେ ପୁରୀରେ ସର୍ବାଧିକ ୩୨୯ ମିମି ବର୍ଷା ରେକର୍ଡ କରାଯାଇଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି
ଏହି ସମୟ ମଧ୍ୟରେ ପାରାଦୀପରେ ୨୧୮ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ୧୯୩ ମିମି ବର୍ଷା ହୋଇଛି। ଲଗାଣ ବର୍ଷା ଯୋଗୁ ଭୁବନେଶ୍ୱରରେ ରାସ୍ତାଘାଟରେ ଲହଡ଼ି ମାରୁଛି ପାଣି। ଅନେକ ଅଞ୍ଚଳରେ ରାସ୍ତା ଉପରେ ପାଣି ଭରି ଯାଇଥିବା ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବର୍ଷା ସାଙ୍ଗକୁ ହାଲୁକା ପବନ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସେହିପରି ଲଗାଣ ବର୍ଷା ଯୋଗୁ କଟକ ସହରର ସ୍ଥିତି ବେହାଲ ହୋଇଯାଇଛି। ବାଦାମବାଡ଼ି ସମେତ ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଯାଇଛି।
କଟକ ଓ ଭୁବନେଶ୍ୱରରେ ଆହୁରି ବର୍ଷା ହେବ। ସେଥିପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ୬ ଘଣ୍ଟା ପାଇଁ ସତର୍କ ରହିବାକୁ ଏହି ଦୁଇ ସହରବାସୀଙ୍କୁ ପରାମର୍ଶ ଦିଆଯାଇଛି। ଘଣ୍ଟାକୁ ୨ରୁ ୩ ସେମି ପର୍ଯ୍ୟନ୍ତ ବର୍ଷା ହେବା ନେଇ ଆକଳନ କରାଯାଇଛି। ଏଥିଯୋଗୁ ଦୁଇ ସହରର ତଳିଆ ଅଞ୍ଚଳ ଜଳମଗ୍ନ ହୋଇପାରେ। ତେଣୁ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି। ଏହା ସହିତ ଯଥାସମ୍ଭବ ବାହାରକୁ ନବାହାରିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।
ଅନ୍ୟପକ୍ଷରେ ଲଘୁଚାପ ଅବପାତରେ ପରିଣତ ହୋଇସାରିଛି। ଏଣୁ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଜାରି ରହିଛି। ଏହି ଅବପାତ ଆଜି ଚାନ୍ଦବାଲି ଦେଇ ଓଡ଼ିଶା ଅତିକ୍ରମ କରିବ ଅବପାତ। ଆସନ୍ତାକାଲି ପର୍ଯ୍ୟନ୍ତ ସାରା ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବ ବୋଲି କୁହାଯାଇଛି।ଲଗାଣ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବଢ଼ୁଛି। ତେବେ ସେଗୁଡ଼ିକ ବିପଦ ସଂକେତ ତଳେ ପ୍ରବାହିତ ହେଉଥିବା କୁହାଯାଇଛି