ଭୁବନେଶ୍ୱର: ବିଜେପି କର୍ମୀଙ୍କୁ ମାଡ଼ମାରିବା ଖୋର୍ଦ୍ଧା ଜିଲ୍ଲା ଚିଲିକା ବଧାୟକଙ୍କ ପାଇଁ ମହଙ୍ଗା ପଡ଼ିଛି। ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ବିଜୁ ଜନତା ଦଳ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି। ବିଜେଡରୁି ପ୍ରଶାନ୍ତ ନିଲମ୍ବିତ ହୋଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି ।
ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନ୍ଏସି କାର୍ଯ୍ୟାଳୟ ପରିସରରେ ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ରାସନକାର୍ଡ ବଂଟନ ବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ବିଜେପିର ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଂଜନ ସେଠୀଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା। ଏହି ଘଟଣାରେ ବିଜେପି ପକ୍ଷରୁ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରାଯିବା ସହ ତାଙ୍କର ଗିରଫ ଦାବିରେ ଥାନା ଆଗରେ ଧାରଣାରେ ବସିଥିଲେ।
ସୂଚନାଯୋଗ୍ୟ, ଆଜି ବାଲୁଗାଁ ଏନ୍ଏସି କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ରାସନକାର୍ଡ ବଂଟନ କାର୍ଯ୍ୟକ୍ରମ ପାଇଁ ସ୍ଥିର ହୋଇଥିଲା। ଏଥିରେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ଯୋଗ ଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଥିଲା।
ତେବେ ସ୍ଥାନୀୟ ବିଜେପିର ନଗର ମଣ୍ଡଳ ସଭାପତି ନିରଂଜନ ସେଠୀଙ୍କ ନେତୃତ୍ୱରେ ବିଜେପିକର୍ମୀମାନେ ବିଧାୟକଙ୍କ ଯୋଗ ଦାନକୁ ବିରୋଧ କରିଥିଲେ। ଏହାକୁ ନେଇ ବିଧାୟକ ଓ ବିଜେପି ମଣ୍ଡଳ ସଭାପତିଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ସମୟରେ ଉତକ୍ଷିପ୍ତ ହୋଇ ବିଧାୟକ ମଣ୍ଡଳ ସଭାପତିଙ୍କୁ ମାରିବାପାଇଁ ହାତ ଉଠାଇଥିଲେ। ଏହାକୁ ନେଇ ଉଭୟଙ୍କ ସମର୍ଥକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହି ଘଟଣାରେ ନିରଂଜନ ସେଠୀଙ୍କ ପକ୍ଷରୁ ବିଧାୟକ ଜଗଦ୍ଦେବଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ ଦିଆଯାଇଥିଲା। ତେବେ ଥାନାରେ ଅଭିଯୋଗ ଭିତ୍ତିରେ ଏତଲା ଦାଏର ହୋଇନଥିବାରୁ ଅପରାହ୍ଣରେ ପୃଥ୍ବୀରାଜ ହରିଚନ୍ଦନଙ୍କ ନେତୃତ୍ୱରେ ଥାନା ସମ୍ମୁଖରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।