ରାଜଧାନୀରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା, ୪୨୧ ଜଣ ଆକ୍ରାନ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଛି । ଆଜି ପୁଣି ଥରେ ୩୦ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ମୋଟ ୪୨୧ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଛନ୍ତି । ଏପର୍ଯ୍ୟନ୍ତ ମୋଟ ୪୯୦୧ଟି ଘର ଏବଂ ୨୦ ହଜାର ୩୫୦ ଲୋକଙ୍କ ନମୁନା ସଂଗ୍ରହ କରାଯାଇଛି । ଡେଙ୍ଗୁ ରୋଗୀ ଚିହ୍ନଟ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ସୂଚନା ଦିଆଯାଇଛି।

ଗୋଟିଏ ପଟେ ରାଜଧାନୀରେ ଦୈନିକ କୋଭିଡ୍‌ ସଂକ୍ରମଣ ଆଖିଦୃଶିଆ ଭାବେ କମୁନଥିବା ବେଳେ ବିଏମ୍‌ସି ପାଇଁ ଏବେ ସୃଷ୍ଟି ହୋଇଛି ଡେଙ୍ଗୁ ନିୟନ୍ତ୍ରଣ ଚ୍ୟାଲେଞ୍ଜ। ରାଜଧାନୀର ନୀଳାଦ୍ରି ବିହାର ଓ ଶୈଳଶ୍ରୀ ବିହାର ଅଞ୍ଚଳରେ ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ୱାର୍ଡ଼ ନମ୍ବର ୭, ୧୪,୧୭ ଓ ୪୨ରେ ଡେଙ୍ଗୁ ରୋଗୀ ସଂଖ୍ୟା ଅଧିକା ରହିଛି। ଦିନକୁ ୧୫ରୁ ୨୦ଟି ଡେଙ୍ଗୁ ମାମଲା ସାମ୍ନାକୁ ଆସୁଛି। ତେବେ ଏଥିପାଇଁ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଉଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।