ବାଣପୁର ଏନ.ଏ.ସିରେ ବାଟ ହୁଡିଛି ‘ବସୁଧା’ ଯୋଜନା

ବାଣପୁର, ୨୬/୦୬: ସହରାଞ୍ଚଳ ବାସୀଙ୍କୁ ହାତପାହାନ୍ତାରେ ବିଶୁଦ୍ଧ ପାଣି ଯୋଗାଇ ଦେବାକୁ ଅନେକ ଯୋଜନା କରିଛନ୍ତି ସରକାର। ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ଲାଗି ‘ବସୁଧା’ ଯୋଜନାରେ ପ୍ରକଳ୍ପ ନିର୍ମାଣ କରାଯାଉଛି। ପାଇପ୍‌ ପାଣି ଯୋଗାଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ଅଗ୍ରାଧିକାର ଦିଆଯାଉଛି। ଏହା ସତ୍ତ୍ୱେ ସହରାଞ୍ଚଳରେ ଉତ୍କଟ ଜଳସଙ୍କଟରୁ ମୁକ୍ତି ମିଳୁନାହିଁ। ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନ.ଏ.ସି ଅନ୍ତର୍ଗତ ୧୫ ଗୋଟି ୱାର୍ଡ ଏହାର ଉଦାହରଣ । ସରକାର ସହରାଞ୍ଚଳ ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଲିଖିତ ରେକର୍ଡ କହୁଛି। କିନ୍ତୁ ତାର ବାସ୍ତବ ଦୃଶ୍ୟ କିଛି ଅଲଗା କହେ। ସହରର ଚିତ୍ର ଆଜି ନଗ୍ନ ପାଲଟି ଯାଇଛି।

ଯେଉଁଠି ଲୋକ ସ୍ୱର ଉତ୍ତୋଳନ କରୁଛନ୍ତି ବା କରିବାର ସାମର୍ଥ୍ୟ ଥିବା ବଡ ବଡିଆ ଲୋକ ବସବାସ କରୁଛନ୍ତି ସେମାନଙ୍କୁ ସୁହାଇଲା ପରି କିଛି କାମ ସହରମାନଙ୍କରେ କରାଯାଉଛି କେବଳ କାର୍ଯ୍ୟକୁ ଲୋକ ଲୋଚନରେ ଆଣି ଭୋଟ ସଂଗ୍ରହ କରିବାର ଲୁକ୍କାୟିତ ସ୍ବାର୍ଥ ପାଇଁ, ହେଲେ ଯେଉଁ ସରଳ ନିରୀହ ମାନେ ରହୁଛନ୍ତି ତାଙ୍କ ପାଇଁ କିଛି ନାହିଁ । କାରଣ ସେମାନେ ନିଜ ପାଇଁ କିଛି ଚିନ୍ତା ନ କରି ଭୋଟ ଦେଇଥାନ୍ତି। ଆମେ କହୁଛୁ ବାଣପୁର ଓ ଏହାର ଆଖ ପାଖ ଅଞ୍ଚଳରେ ସରକାରୀ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କଥା । ଏଠାରେ ନିମ୍ନ ମାନର କାମ ଅଳ୍ପ ଗଭୀରତାରେ ପାଇପ ବିଛା ଯିବା ଓ ନିମ୍ନମାନର ପାଇପ ପାଇଁ ରାସ୍ତା ସାରା ପାଣି ପାଇପ ଫାଟି ରାସ୍ତାଘାଟ ଜଳାର୍ଣ୍ଣବ ହେବା ସହିତ ଏହାର ଅପମିଶ୍ରଣ ହୋଇ ବିଭିନ୍ନ ମହାମାରୀ ରୋଗ ସୃଷ୍ଟି ହେବାର ସମ୍ଭାବନା ଅଛି । ଓଡିଶା ସରକାରଙ୍କର ‘ବସୁଧା’ ଯୋଜନାର କାର୍ଯ୍ୟକାରିତା ଆଜି ଅଧା ବାଟରେ ଅଟକ ଅଛି ।

ଏଥି ପାଇଁ ଅଧିକାରୀଙ୍କ ଠାରୁ ନେଇ ପ୍ରତିନିଧି ମାନେ ମଧ୍ୟ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଅବ୍ୟବସ୍ଥାକୁ ଉପଭୋଗ କରୁଛନ୍ତି । ଅଭିଯୋଗକାରୀ ମାନେ ଏଠାରେ ଆକ୍ରୋଶର ଶିକାର ହେବାକୁ ପଡୁଛି । ଠିକା ସଂସ୍ଥା ମାଲିକ ମାନଙ୍କ ମନମୁଖୀ କାର୍ଯ୍ୟକୁ ସରକାରୀ ଅଧିକାରୀ ମାନଙ୍କ ସହଯୋଗ ସତେ ଯେମିତି କଙ୍କଡା ଗୋଳିପାଣି ଉବାଚ ପରି ମନେ ହେଉଛି । ବିଭିନ୍ନ ହିତାଧିକାରୀ ମାନେ ପାନୀୟ ଜଳ ସଂଯୋଗ ପାଇଁ ଅପେକ୍ଷା କରିଥିବା ବେଳେ ଏଠାକାର ଠିକା ସଂସ୍ଥା ମାଲିକଙ୍କ ଅବହେଳା ପାଇଁ ଅବ୍ୟବସ୍ଥାର ଶିକାର ହେଉଛନ୍ତି, ଅନେକ ୱାର୍ଡରେ ପାଇପ ବିଛେଇବା ପାଇଁ ରୋଡ ଖୋଳା ଯାଇଥିଲେ ମଧ୍ୟ ପାଇପ ବିଛା ଯାଉନି ଯେଉଁଠି ପାଇପ ବିଛା ଯାଇଛି ନିମ୍ନ ମାନର ଢଳେଇ କରାଯାଇଛି ତ କେଉଁଠି ଢଳେଇ କରାନଯିବାରୁ ଦୁର୍ଘଟଣା ମଧ୍ୟ ହେଉଛି । ସମସ୍ୟାର ସମାଧାନ କରିବାକୁ ବିଭାଗୀୟ ଅଧିକାରୀ ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।