କନ୍ଧମାଳ : ଅନ ଲାଇନ କ୍ଲାସ କରିବା ପରେ ମୋବାଇଲ ଫାଟିଗଲା ଅଳ୍ପକେ ବର୍ତ୍ତିଲେ ଛାତ୍ର

କନ୍ଧମାଳ,୧୯/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): କରୋନା ମହାମାରୀ ଯୋଗୁଁ ଗତ ଶିକ୍ଷା ବର୍ଷ ଠାରୁ ସରକାର ସ୍କୁଲ ,କଲେଜ ଆଦି ବନ୍ଦ ରଖି ଅନଲାଇନ ରେ କ୍ଲାସ କରିବାକୁ ପରାମର୍ଶ ଦେଇଛନ୍ତି । ଏହି ଅନଲାଇନ କ୍ଲାସ ସରିବାପରେ ଫାଟିଗଲା ମୋବାଇଲ। ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଫୁଲବାଣୀ ପବ୍ଲିକ ସ୍କୁଲରେ ପାଠ ପଡୁଥିବା ଅଷ୍ଟମ ଶ୍ରେଣୀର ଛାତ୍ର ସାତ୍ୱିକ ପଟ୍ଟନାୟକ । ପ୍ରକାଶ ଯେ, ସାତ୍ଵିକ ସବୁଦିନ ପରି ଆଜି ମଧ୍ୟ ସକାଳୁ ଅନଲାଇନରେ ପାଠ ପଢୁଥିଲେ ।

ତେବେ କ୍ଲାସ ସରିବାପରେ ମୋବାଇଲକୁ ରଖି ଦୁରରେ ବସି ହୋମ ୱାର୍କ କରୁଥିଲେ। ତେବେ ମୋବାଇଲଟି ହଠାତ ଫାଟିଯାଇଥିଲା । ଫଳରେ ଶବ୍ଦ ଶୁଣି ଘର ଲୋକେ ଦଉଡି ଆସିଥିଲେ। ତେବେ ସାତ୍ଵିକକୁ କୌଣସି ଆଘାତ ଲାଗି ନଥିବା ବିଷୟ ବାପା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ପଟ୍ଟନାୟକ କହିଛନ୍ତି । ତେବେ ସେ ଭୟଭୀତ ହୋଇ ପଡିଥିବା କଥା ଛାତ୍ରର ମା’ ସୁଜାତା ପଟ୍ଟନାୟକ କହିଛନ୍ତି ।

ଠାକୁରଙ୍କ କୃପାରୁ ପୁଅ ସୁରକ୍ଷିତ ଥିବା ବିଷୟ ଉଭୟେ କହିଛନ୍ତି । ତେବେ ସତର୍କ ନ ରହିଲେ ଏହି ଅନଲାଇନ କ୍ଲାସ ଯେ ଦିନେ ପିଲାଙ୍କ ପାଇଁ ବିପଦ ଆଣିପାରେ ଏଥିରୁ ଅନୁମାନ କରାଯାଉଛି । ହେଲେ ଏହି ମୋବାଇଲ ହଠାତ କିପରି ଫାଟିଲା ତାହାର ପ୍ରକୃତ କାରଣ ଜଣାପଡ଼ିନାହିଁ ।