ବାଲିଗୁଡା: ହୃଦଘାତରେ ଓଡ଼ିଆ ଯବାନଙ୍କ ମୃତ୍ୟୁ, ଜମ୍ମୁ କାଶ୍ମୀର ଶ୍ରୀନଗର ଥିଲେ କାର୍ଯ୍ୟରତ

ବାଲିଗୁଡା,୧୫/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଳକର ପେଟାପାଙ୍ଗା ପଞ୍ଚାୟତର ବାଗାରାମା ଗ୍ରାମର ସଞ୍ଜୟ କୁମାର ପ୍ରଧାନ (୩୫) ଜମ୍ମୁ-କାଶ୍ମୀରର କୁପୁଆଡ଼ା ଜିଲ୍ଲାର କିନ୍ନଗାଁର ଭାରତ-ପାକିସ୍ତାନ ସୀମାରେ ସୁଉଚ୍ଚ ପର୍ବତ ଉପରେ ପାଟ୍ରୋଲିଂ କରୁଥିବା ସମୟରେ ଅମ୍ଳଜାନ ଅଭାବ ଯୋଗୁଁ ଶ୍ଵାସ ରୁଦ୍ଧ ହୋଇ ହୃଦଘାତରେ ରବିବାର ମୃତ୍ୟୁ ବରଣ କରିଛନ୍ତି । ତାଙ୍କ ମୃତ୍ୟୁ ଖବର ପାଇବା ପରେ ସମଗ୍ର ବାଗାରାମା ଗ୍ରାମରେ ଶୋକର ଛାୟା ଖେଳିବା ସହ କାନ୍ଦ ବୋବାଳିରେ ପ୍ରକମ୍ପିତ ହୋଇ ଉଠିଥିଲା । ସଙ୍ଗେ ସଙ୍ଗେ ଗାଁର ଜବାନ ପୁଅ ସଞ୍ଜୟଙ୍କ ମର ଶରୀରକୁ ଶ୍ରଦ୍ଧାଞ୍ଜଳି ଜଣାଇ ଶେଷକୃତ୍ୟ ସମ୍ପର୍ଣ୍ଣ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରିଥିଲେ ଗ୍ରାମବାସୀ ।

ମଙ୍ଗଳବାର ସକାଳେ ସଞ୍ଜୟଙ୍କ ମର ଶରୀର ନିଜ ଜନ୍ମମାଟି ବାଗାରାମା ଗ୍ରାମରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାର୍ଡ ଅଫ ଅନର ଦେଇ ଗାଁ ସ୍ମଶାନରେ ଶେଷକୃତ୍ୟ ସମ୍ପୂର୍ଣ୍ଣ କରାଯାଇଛି । ପ୍ରକାଶ ଯେ, ସଞ୍ଜୟ ପ୍ରଥମେ ୨୦୦୭ ମସିହାରେ ବିହାର ରେଜିମେଣ୍ଟରେ ଯୋଗ ଦେଇଥିଲେ । ସେ ପ୍ରାଥମିକ ସ୍କୁଲ ନିଜ ଗାଁ, ରାଇକିଆ ବ୍ଲକର ପେଟାପାଙ୍ଗା ପଞ୍ଚାୟତର ଆଡାସକୁପାର ବାଗାରାମା ସ୍କୁଲରେ ପାଠ ପଢି, ପଞ୍ଚାୟତ ହାଇସ୍କୁଲ ଗାରେଡ଼ିଙ୍ଗିଆରୁ ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ୨୦୦୭ ଭାରତୀୟ ସେନବାହିନୀରେ ଯୋଗ ଦେଇଥିଲେ । ବାପା ପରମେଶ୍ଵର ପ୍ରଧାନ ମା ଜୁଲିମା ପ୍ରଧାନଙ୍କ ୪ଜଣ ପୁଅଙ୍କ ମଧ୍ୟରୁ ସଂଜୟ ହେଉଛନ୍ତି ଦ୍ୱିତୀୟ ପୁତ୍ର, ବିବାହର ୯ ବର୍ଷ ଓ ତାଙ୍କର ୮ ବର୍ଷର ଗୋଟିଏ ପୁଅ ସୌମଜିତ ପ୍ରଧାନ ଅଛନ୍ତି ।

ସଞ୍ଜୟ ଗାଁରେ ସେ ସମସ୍ତଙ୍କ ସହ ମେଳାପି ଥିଲେ । ଗାଁ କୁ ଆସିବାର ମାସକ ପରେ ଅର୍ଥାତ ମଇ ମାସ ୨୯ ତାରିଖରେ ନୟାଗଡରେ କାର୍ଯ୍ୟରତ ନିଜ ଶିକ୍ଷୟତ୍ରୀ ସ୍ତ୍ରୀ ଜିନିତାଙ୍କ ପାଖକୁ ଯାଇଥିଲେ । ପୁଣି ଭୁବନେଶ୍ବରରୁ ଜୁନ ୧ତାରିଖ ଦିନ ଫ୍ଲାଇଟ ଯୋଗ ଜମ୍ମୁ କାଶ୍ମୀର ଯାଇଥିଲେ । ସଞ୍ଜୟଙ୍କ ପରିବାର ଲୋକେ ରବିବାର ଜୁନ ୧୩ତାରିଖ ରବିବାର ଦିନ ୧୨ ଟା ବେଳେ ଜାଣିବାକୁ ପାଇଲେ ତାଙ୍କ ପୁଅ ଜମ୍ମୁ କାଶ୍ମୀରରେ ଡ୍ୟୁଟି କଲା ବେଳେ ହୃଦଘାତ ରେ ମୃତ୍ୟୁ ବରଣ କରିଛନ୍ତି ।