ରେଳ ବଜେଟ ଅନୁଦାନକୁ ନେଇ କ’ଣ କହିଲେ ଊଭୟ ଅମର ପଟ୍ଟନାୟକ (ବିଜେଡ଼ି) ଓ ଧର୍ମେନ୍ଦ୍ର ପ୍ରଧାନ(ବିଜେପି) ?

ଭୁବନେଶ୍ୱର,୦୪/୦୨: କେନ୍ଦ୍ରର ରେଳ ବଜେଟରେ ଓଡିଶା ପାଇଁ ୫୫୨୮ କୋଟି ବ୍ୟୟବରାଦ ହୋଇଛି ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋୟଲ । ଏହି ପ୍ରସଙ୍ଗ ବିଜେଡି ଓ କଂଗ୍ରେସ ପ୍ରତିକ୍ରିୟା ରଖୁଥିବା ବେଳେ ରେଳ ବଜେଟକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ବକ୍ତବ୍ୟରେ କହିଛନ୍ତି ଯେ, ‘ରେଳ ବଜେଟରେ ଓଡିଶାକୁ ୬,୯୯୫ କୋଟି ୫୮ ଲକ୍ଷ ଟଙ୍କା ମିଳିଛି । ଗତବର୍ଷ ଅପେକ୍ଷା ୬୦ ପ୍ରତିଶତ ଅଧିକ ଅନୁଦାନ ଆସିଛି । ଅଧୁରା କାମ ସାରିବାକୁ ଗୁରୁତ୍ୱ ଦିଆଯାଇଛି । ରେଳ ଲାଇନର ଆଧୁନୀକରଣ ଓ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ଓଡିଶାରେ ଚାଲିଥିବା କାମକୁ ସାରିବା ପାଇଁ ଗୁରୁତ୍ୱ ଦିଆଯାଇଛି । ନୂଆ ରେଳ ଲାଇନ ପାଇଁ ୧୫୫୩ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ରେଳ ଲାଇନ୍ ଦୋହରୀକରଣ ପାଇଁ ୧୭୦୨.୪୯ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ବିଦ୍ୟୁତକରଣ ପାଇଁ ୧୭୩ କୋଟିର ବ୍ୟୟ ବରାଦ ହୋଇଛି । ସେତୁ ପାଇଁ ୩୮.୫ କୋଟି ଓ ଲେବଲ କ୍ରସିଂ ପାଇଁ ୧୮ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଟ୍ରାଫିକ୍ ସୁବିଧା ପାଇଁ ୧୭.୧୫ ଓ କମ୍ପୁଟରୀକରଣ ପାଇଁ ୩.୪୭ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଭୂତଳ ଓ ରେଳ ଓଭରବ୍ରିଜ ପାଇଁ ୨୮୦.୪୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।’
ବିଜେଡିର ପ୍ରତିକ୍ରିୟା , ରେଳ ବଜେଟ ଅନୁଦାନକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି ଯେ, ‘ରେଳ ବଜେଟ୍ ନୈରାଶ୍ୟଜନକ । ଯେତିକି ଦାବି କରିଥିଲୁ, ସେତିକି ମିଳିଲା ନାହିଁ । ୭,୨୦୦ କୋଟି ମାଗିଥିଲୁ, ମାତ୍ର ୪,୫୦୦ କୋଟି ଟଙ୍କା ଦିଆଯାଇଛି । ସେଥିରୁ ପୁରୁଣା ଖୋର୍ଦ୍ଧା-ବଲାଙ୍ଗିର ପାଇଁ ୫୦୦ କୋଟି ଟଙ୍କା ରହିଛି । ରେଳ ବଜେଟରେ କୌଣସି ନୂଆ ଲାଇନ୍ ବା ନୂଆ ପୋଜେକ୍ଟ ନାହିଁ । ପୁରୀ-କୋଣାର୍କ, ବରଗଡ-ନୂଆପଡା, ଯାଜପୁର-ଆରଡି ଧାମ ନାଁ ନାହିଁ । ତାଳଚେର-ବିମଳାଗଡ ପାଇଁ ମାତ୍ର ୧୦ କୋଟି ଟଙ୍କା ରହିଛି । ’ ଏହା ସହିତ ବଜେଟକୁ ନୈରାଶ୍ୟଜନକ କହିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ସେ କହିଛନ୍ତି ଯେ, ‘ରେଳ ବଜେଟରେ ଓଡିଶା ପାଇଁ କୌଣସି ନୂଆ ପ୍ରକଳ୍ପ ଘୋଷଣା ହୋଇନି । ବିଭିନ୍ନ ପ୍ରକଳ୍ପ ପାଇଁ ରାଜ୍ୟ ଦେଇଥିବା ଅର୍ଥ ଘୋଷଣା କରିଛି କେନ୍ଦ୍ର । ନିର୍ମାଣଧୀନ ପ୍ରକଳ୍ପ ବାବଦରେ ଏଥର ବଜେଟରେ ଉଲ୍ଲେଖ ନାହିଁ । ରାଜ୍ୟ ସରକାର ମାଗଣା ଜମି ଓ ୫୦% ଅର୍ଥ ଦେବା କଥା ଉଲ୍ଲେଖ ନାହିଁ ।’