ଭୁବନେଶ୍ୱର,୦୬।୧୧: ଚଳିତ ମାସରେ ଖୋଲିବନି ସ୍କୁଲ। ଏନେଇ ସରକାର ନିଷ୍ପତ୍ତି ନେଇଛନ୍ତି। କରୋନା ଦ୍ଵିତୀୟ ଲହରୀର ଆଶଙ୍କା ଯୋଗୁ ସଂକ୍ରମଣ ବ୍ୟାପିବାର ସମ୍ଭାବନା ଅଧିକ ରହୁଛି। ଯେଉଁଥିଲାଗି ମୁଖ୍ୟମନ୍ତ୍ରୀ ଅଧିକ ସତର୍କ ରହିବାକୁ ଆହ୍ୱାନ ଦେଇଛନ୍ତି। ଯାହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ଏପରି ନିଷ୍ପତ୍ତି ନେଇଛି। ଏଥିସହ ଆନ୍ଧ୍ରପ୍ରଦେଶରେ ସ୍କୁଲ ଖୋଲୁ ଖୋଲୁ ସଂକ୍ରମଣ ବ୍ୟାପିବାରୁ ଚିନ୍ତା ବଢ଼ି ଯାଇଛି। ରାଜ୍ୟରେ ଯେପରି ଛାତ୍ରଛାତ୍ରୀ ଙ୍କ ଠାରେ ସଂକ୍ରମଣ ନ ବ୍ୟାପେ ସେଥିପାଇଁ ସୁରକ୍ଷା ମୂଳକ ପଦକ୍ଷେପ ନିଆଯାଇଛି। ପୂର୍ବରୁ ସ୍ୱତନ୍ତ୍ର ରିଲିଫ କମିଶନର ନଭେମ୍ବର ୧୫ ପରେ ସ୍ଥିତି ପରଖି ନବମରୁ ଦ୍ୱାଦଶ ଶ୍ରେଣୀ ଯାଏ ସ୍କୁଲ କହିବାର ଗାଇଡଲାଇନ ଜାରି କରିଥିଲେ। ଏହାପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ମଧ୍ୟ ନଭେମ୍ବର ମାସରେ ହିଁ ଖୋଲିବା ଲାଗି ଘୋଷଣା କରିଥିଲେ। ହେଲେ ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ପୁଣି ଥରେ ନିଷ୍ପତ୍ତି ପରିବର୍ତ୍ତନ ହୋଇଥିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂତ୍ରରୁ ଜଣାପଡ଼ିଛି।
ସ୍କୁଲ ଖୋଲିବା ନିଷ୍ପତ୍ତି ପରେ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ମଧ୍ୟରେ ଦେଖାଦେଇଥିଲା ଉତ୍ସାହ । ବିଶେଷ କରି ମାଟ୍ରିକ୍ ଏବଂ ଦ୍ବାଦଶ ଛାତ୍ରଛାତ୍ରୀଙ୍କ ବୋର୍ଡ ପରୀକ୍ଷା ଆଉ ମାତ୍ର ୩ ମାସ ବାକି ଥିବାରୁ ପ୍ରସ୍ତୁତିରେ ଏହା ବେଶ ସହାୟକ ହେବ ବୋଲି ଛାତ୍ରଛାତ୍ରୀ କହିଥିଲେ । ସ୍କୁଲଗୁଡ଼ିକ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । ସ୍କୁଲ ପରିସର ସହ କ୍ଲାସରୁମ୍ ସଫା ଓ ସାନିଟାଇଜେସନ୍ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିଲା ।