ଦୁଇମାସ ହେଲା ଷ୍ଟେଟବ୍ୟାଙ୍କ ଏଟିଏମ ଅଚଳ : ଭେଣ୍ଡରର ସମସ୍ୟା ଯୋଗୁଁ ଟଙ୍କା ଲୋଡିଂ ହୋଇପାରୁନି

ବାଲିଗୁଡା, ତା, ୦୫/୦୩:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଏଟିଏମ୍‌ରେ ଟଙ୍କା ଲୋଡିଂ ହୋଇପାରୁନଥିବା ଯୋଗୁଁ ଅଧିକାଂଶ ସ୍ଥାନରେ ଏହା ଅଚଳ ହୋଇ ରହିଥିବା ଜଣାଯାଇଛି। ଏହି ସମସ୍ୟା ଫେବ୍ରୁଆରି ମାସରୁ ଆରମ୍ଭ ହୋଇଯାଇଥିବା ବେଳେ ଅଦ୍ୟାବଧି ସୁଦ୍ଧା ଏହାର କୌଣସି ବିକଳ୍ପ ପନ୍ଥା ଗ୍ରହଣ କରାଯାଇ ନ ଥିବାରୁ ସମଗ୍ର ଅଞ୍ଚଳରେ ଏସବିଆଇର ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି l ଏହି ଅସନ୍ତୋଷକୁ ଦୃଷ୍ଟିରେ ରଖି କେବଳ ଏସ୍‌ବିଆଇ ବ୍ୟାଙ୍କ ନିକଟସ୍ଥ କାଉଣ୍ଟରକୁ ବାଦ୍ ଦେଲେ ଅନ୍ୟ କୌଣସି ଏସବିଆଇ ଏଟିଏମ ଗୁଡିକରେ ସମସ୍ୟା ସମାଧାନ ହୋଇନଥିବା ଜଣାଯାଇଛି। ତେବେ ଏହି ସମସ୍ୟା କେବଳ ବାଲିଗୁଡା କିମ୍ବା ଆଖପାଖ ଅଞ୍ଚଳରେ ନୁହଁ ସର୍ବଭାରତୀୟ ସ୍ତରରେ ହୋଇଥିବା ନେଇ ଭାରତୀୟ ଷ୍ଟେଟ ବ୍ୟାଙ୍କ ବ୍ରହ୍ମପୁର ଜୋନାଲ କାର୍ଯ୍ୟାଳୟ ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ସମଗ୍ର ଅଞ୍ଚଳରେ ଥିବା ଏସ୍‌ବିଆଇର ଅଧିକାଂଶ ଏଟିଏମ୍ ଅଚଳାବସ୍ଥାରେ ରହିଥିବା ବେଳେ ବ୍ୟାଙ୍କ ନିକଟସ୍ଥ କାଉଣ୍ଟର ଗୁଡ଼ିକ କାର୍ଯ୍ୟକାରୀ ହେଉଛି l ଆଉ କେତେକ ଏଟିଏମ୍ କାଉଣ୍ଟରର ସଟର୍‌ ପଡ଼ି ରହିଥିବା ବେଳେ ଯେଉଁ କେତୋଟି କାଉଣ୍ଟରର ସଟର୍‌ ପଡ଼ିନାହିଁ ସେ ଗୁଡ଼ିକରୁ ଟଙ୍କା ବାହାରୁନାହିଁ। ଗ୍ରାହକଙ୍କୁ ଅବଗତ କରିବା ପାଇଁ ଏସ୍‌ବିଆଇ କର୍ତ୍ତୃପକ୍ଷ ଅଚଳ ହୋଇ ରହିଥିବା କାଉଣ୍ଟର ସଟର୍‌ ଉପରେ ପରିଚାଳନାଗତ ସମସ୍ୟା ଦର୍ଶାଇ ନିକଟସ୍ଥ କାଉଣ୍ଟରକୁ ଯିବା ପାଇଁ ପରାମର୍ଶ ଦେଇଛନ୍ତି। ଆଜି ମଧ୍ୟ ଅଧିକାଂଶ ଏସ୍‌ବିଆଇର ଏଟିଏମ କାଉଣ୍ଟରର ସମାନ ଚିତ୍ର ରହିଥିଲା। ଏଥିନେଇ ଏସ୍‌ବିଆଇ ଆର୍‌ବିଓର ଜଣେ ବରିଷ୍ଠ ପଦାଧିକାରୀଙ୍କ ସହ ଯୋଗାଯୋଗ କରାଯିବାରେ ଏହି ସମସ୍ୟା କେବଳ ବାଲିଗୁଡାରେ ନୁହେଁ, ଏହା ସର୍ବଭାରତୀୟସ୍ତରରେ ରହିଥିବା ପ୍ରକାଶ କରିଛନ୍ତି। ମୁମ୍ବାଇ କର୍ପୋରେଟ୍‌ସ୍ତରରେ ଏଥିନେଇ ଆଲୋଚନା ଜାରି ରହିଥିବା ସେ ପ୍ରକାଶ କରିଛନ୍ତି, ମିଳିଥିବା ସୂଚନା ଅନୁଯାୟୀ ଏସ୍‌ବିଆଇ ଏଟିଏମ୍ ଗୁଡ଼ିକରେ ଟଙ୍କା ଲୋଡିଂ କରିବା ପାଇଁ ଦୁଇଟି ଭେଣ୍ଡର କାମ କରୁଛନ୍ତି। ଏନିଏସ୍ ଏବଂ ସିଏମ୍ଏସ୍ ନାମକ ଦୁଇ ଜଣ ଭେଣ୍ଡର ଏସ୍‌ବିଆଇ ଏଟିଏମର ଟଙ୍କା ଲୋଡିଂ କାମ କରୁଥିବା ବେଳେ ଏନିଏସ୍ ଭେଣ୍ଟରର କିଛି ସମସ୍ୟା ଥିବା ଯୋଗୁଁ ଏହି ଅସୁବିଧା ସୃଷ୍ଟି ହୋଇଥିବା ସୂଚନା ଦେଇଛନ୍ତି। ଏସ୍‌ବିଆର ସର୍ବଦା ଗ୍ରାହକ ସେବାକୁ ପ୍ରାଥମିକତା ଦେଉଥିବାରୁ ତୁରନ୍ତ ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି ପଦାଧିକାରୀ ଜଣକ କହିଛନ୍ତି l ତେବେ ବ୍ୟାଙ୍କ ନିଜେ ଲୋଡିଂ କରୁଥିବା କାଉଣ୍ଟର ଏବଂ ସିଏମ୍ଏସ୍ ଭେଣ୍ଡର ଲୋଡିଂ କରୁଥିବା କାଉଣ୍ଟର ଗୁଡ଼ିକର କୌଣସି ସମସ୍ୟା ନଥିବା ସେ କହିଛନ୍ତି।